ରାଜନୀତି

କଟକ ଲୋକସଭା: ଦ୍ୱନ୍ଦ୍ୱରେ ବିଜେପି, ନୂଆ ପ୍ରାର୍ଥୀ ଦେଇପାରେ ବିଜେଡ଼ି – Sahana Mela

[ad_1]


ଭୁବନେଶ୍ୱର: ବିଜେଡ଼ିରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଇସ୍ତଫା ପ୍ରଦାନ ପରେ କଟକ ସାଂସଦ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି। କେବଳ ବିଜେଡ଼ି ନୁହେଁ, ବିଜେପି ଓ କଂଗ୍ରେସ ମଧ୍ୟ ପ୍ରାର୍ଥିତ୍ୱକୁ ନେଇ ଅଙ୍କ କଷୁଥିବା ଆଲୋଚନା ହେଉଛି। ଏହି ଗୁରୁତ୍ତ୍ୱପୂର୍ଣ୍ଣ ଆସନ ପାଇଁ ତିନି ଦଳ ପାଇଁ ପ୍ରାର୍ଥୀ ଚୟନ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ପରିସ୍ଥିତି କିଛି ଏଭଳି ହୋଇଛି ଯେ ବିଜେଡ଼ି ନୂଆ ମୁଁହ ଖୋଜୁଥିବା ବେଳେ ବିଜେପି ଆଶାୟୀଙ୍କ ସଂଖ୍ୟାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପଡ଼ିଛି। ସେପଟେ କଂଗ୍ରେସ ମଧ୍ୟ ଏକ ଟାଣୁଆ ନେତା ସନ୍ଧାନରେ ରହିଛି।

ବିଜେଡ଼ିରୁ ନିକଟରେ ଇସ୍ତଫା ଦେଇଥିଲେ ସାଂସଦ ଭର୍ତ୍ତୃହରି ମହତାବ। ସାଂସଦ ଦଳ ଛାଡ଼ିବା ପରେ ଚର୍ଚ୍ଚା ହେଉଛି କି ସେ ବିଜେପିରେ ଯୋଗଦେବେ। ଭର୍ତ୍ତୃହରି ଯଦି ବିଜେପିରେ ଯୋଗ ଦିଅନ୍ତୁ ତେବେ ଦଳ ତାଙ୍କୁ ପ୍ରାର୍ଥୀ କରିବା କିଛି ଅସମ୍ଭବ ନୁହେଁ। ସେପଟେ ବିଜେପି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ କଟକ ସାଂସଦ ପ୍ରାର୍ଥୀ ପାଇଁ ଆଶାୟୀ ରହିଛନ୍ତି। ସେହିପରି ବିଜେଡ଼ି ଛାଡ଼ିବା ପରେ ଭର୍ତ୍ତୃହରିଙ୍କ ବିକଳ୍ପ ଖୋଜୁଛି ଶାସକ ବିଜେଡ଼ି। କୁହାଯାଉଛି ନିକଟରେ ବିଜେଡ଼ିରେ ଯୋଗଦେଇଥିବା ସନ୍ତୃପ୍ତ ମିଶ୍ରଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇ ସୁଯୋଗ ନେଇପାରେ ଶାସକ ଦଳ। ସେପଟେ କଂଗ୍ରେସ ମଧ୍ୟ ଏକ ଟାଣୁଆ ନେତା ସନ୍ଧାନରେ ରହିଛି। କୁହାଯାଉଛି କି କଂଗ୍ରେସ ଲୋକସଭା ଆସନ ପାଇଁ ୪୨ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି। ତେବେ ଆସନ୍ତା ୨୭ ତାରିଖରେ ପିସିସି ପ୍ରଚାର କମିଟିର ନବନିଯୁକ୍ତ ଅଧ୍ୟକ୍ଷ ଭକ୍ତ ଦାସ ଓଡ଼ିଶା ଫେରିବା ପରେ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯିବ ବୋଲି କଂଗ୍ରେସ କ୍ୟାମ୍ପରେ ଆଲୋଚନା ହେଉଛି।

ପୂର୍ବ ନିର୍ବାଚନର ଫଳାଫଳକୁ ଦେଖିଲେ ବିଗତ ୬ଟି ନିର୍ବାଚନରେ ଏହି ଆସନକୁ ବିଜେଡ଼ି ନିଜ ଦଖଲରେ ରଖିଥିଲା। ୧୯୯୮ ମସିହାରୁ କ୍ରମାଗତ ଭାବେ ବିଜୟ ହାସଲ କରିଆସୁଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ବିଜେଡ଼ିର ମଜବୁତ ସଂଗଠନ ବଳରେ ସହଜରେ ବିଜୟ ହାସଲ କରି ଆସୁଛନ୍ତି ଭର୍ତ୍ତୃହରି। ଏହି ଲୋକସଭା ଆସନ ଅଧିନରେ ଆସୁଥିବା ସମସ୍ତ ଗ୍ରାମାଞ୍ଚଳ ଭୋଟ ଭର୍ତ୍ତୃହରିଙ୍କ ଖାତାକୁ ଆସିଥାଏ। ଏହି ଆସନ ଅଧିନରେ ଖଣ୍ଡପଡ଼ା, ବଡମ୍ବା, ଆଠଗଡ଼, ବାଙ୍କୀରୁ ସର୍ବାଧିକ ଭୋଟ ଭର୍ତ୍ତୃହରିଙ୍କୁ ମିଳିଥାଏ। ଫଳରେ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇବାରେ ସଫଳ ହୁଅନ୍ତି ଭର୍ତ୍ତୃହରି। ଏଥର କିନ୍ତୁ ଗଣିତ କିଛି ଅଲଗା କହୁଛି।

ଯଦି ଭର୍ତ୍ତୃହରି ବିଜେପିରେ ଯୋଗ ଦିଅନ୍ତୁ ତେବେ ଏହି ଗ୍ରାମାଞ୍ଚଳ ଭୋଟ ତାଙ୍କ ନିକଟକୁ ଯିବତ ! ନା ଏହି ଗ୍ରାମାଞ୍ଚଳ ଭୋଟ ବିଜେଡ଼ି ତା ନିକଟରେ ରଖିବାରେ ସମର୍ଥ ହେବ ଏଭଳି କିଛି ପ୍ରଶ୍ନ ଏବେ ରାଜନୈତିକ ମହଲରେ ବେଶ ଆଲୋଚନାର ପ୍ରସଙ୍ଗ ପାଲଟିଛି। ସେପଟେ ଆଜି କଟକ ଲୋକସଭା ଆସନକୁ ନେଇ ନବୀନ ନିବାସରେ ବୈଠକ ହୋଇଛି। ନିର୍ବାଚନ ରଣାଙ୍ଗରେ ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରି ବାଜିମାରିବାକୁ ପ୍ରୟାସ କରିପାରେ ବିଜେଡ଼ି। କାରଣ କଟକ ସହର ସହିତ ସନ୍ତୃପ୍ତଙ୍କର ଭଲ ସମ୍ପର୍କ ରହିଛି। କୁହାଯାଉଛି କି ତୃଣମୂଳ ସ୍ତରରେ ଲୋକସମ୍ପର୍କକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି ସନ୍ତୃପ୍ତ। ସେହିପରି କଂଗ୍ରେସରୁ ପରିଚିତ ଚେହେରା ମଧ୍ୟରେ ଶରତ ରାଉତ, ବିଭୂତି ମିଶ୍ର, ସୁରେଶ ମହାପାତ୍ର, ଗିରିବାଳା ବେହେରା, ଆକାଶ ଭୂୟାଙ୍କ ନାଁ ଆଗରେ ରହିଥିବା ନେଇ କଂଗ୍ରେସ କ୍ୟାମ୍ପରେ କଳ୍ପନା ଜଳ୍ପନା ହେଉଛି। ଏମାନଙ୍କ ମଧ୍ୟରୁ କାହାକୁ ଦଳ ପ୍ରାର୍ଥୀ କରିବ ତାହା ଦେଖିବାକୁ ବାକି ରହିଲା।



[ad_2]

Leave a Reply

Your email address will not be published. Required fields are marked *

Back to top button