ରାଜ୍ୟ

ପୀଠରେ ପାର୍ବଣର ବାସ୍ନା, କାକଟପୁର ମା’ ମଙ୍ଗଳାଙ୍କ ଠାରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

କାକଟପୁର: ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ ,ପାର୍ବଣ ଋତୁରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଆରମ୍ଭ ହୋଇଛି ଶାରଦୀୟ ପୂଜା । ସେହିପରି ପୁରୀ ଜିଲ୍ଲା କାକଟପୁରରେ ମା ମଙ୍ଗଳା ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା। ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ମା ମଙ୍ଗଳାଙ୍କୁ ପୂଜା କରୁଛନ୍ତି ସେବାୟତ। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ମା’ ମଙ୍ଗଳାଙ୍କ ଶୋଡ଼ଷ ଉପଚାର ପୂଜା ଚାଲିବ ।

ଆଜି ଏହି ପୂଜାର ଦ୍ବିତୀୟ ଦିନ। ସ୍ଵତନ୍ତ୍ର ରୀତିନୀତିରେ ମା’ ମଙ୍ଗଳାଙ୍କ ଆରାଧନା ହେଉଛି। ଦୂର ଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଛନ୍ତି ମାଙ୍କ ଦର୍ଶନ ପାଇଁ।

ପାର୍ବଣରେ କାକଟପୁର ମା ମଙ୍ଗଳା’ଙ୍କର ସବୁ ନୀତି ଭିତରେ ନିଆରା ନୀତି । ସହସ୍ର କୁମ୍ଭାଭିଶେକ ଦିନ ମା ମଙ୍ଗଳାଙ୍କୁ ୧୦୮ଗରା ସୁବାସିଶ ଜଳରେ ସେବାୟତ ମାନେ ସ୍ନାନକରାଇ ମାଙ୍କର ସ୍ୱତନ୍ତ୍ର ମାର୍ଜନା କରାଇଥାନ୍ତି । ମାଙ୍କର ଏହି ପୂଜା ମହାଷ୍ଠମୀ ପର୍ଯ୍ଯନ୍ତ ଷୋଳଦିନ ଧରି ଜାରି ରହିବ। ମା ମଙ୍ଗଳାଙ୍କୁ ଅନ୍ଯଦିନ ମାନଙ୍କରେ ପଞ୍ଚ ଉପଚାରରେ ପୂଜାର୍ଚନା କରାଯାଇଥାଏ ,କିନ୍ତୁ ଏହି ପାର୍ବଣ ସମୟରେ ମା ମଙ୍ଗଳାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଇଥାଏ । ଏହି ପୂଜାରେ ସ୍ୱତନ୍ତ୍ର ଷୋଡଶ ଉପଚାର ପୂଜାପଣ୍ଡା ନିୟୋଜିତ ହୋଇଥାନ୍ତି । ଏହି ସମୟରେ ମାଙ୍କ ପୀଠରେ ଚଣ୍ଡୀପାଠ ,ସିଙ୍ଘପୂଜା ,ମନ୍ତ୍ରଜପ ,ଘଟପୂଜା ଭଳି ସ୍ୱତନ୍ତ୍ର ପୂଜା ଆରମ୍ଭ ହୋଇଥାଏ । ମା ମଙ୍ଗଳାଙ୍କ ଶାରଦୀୟ ପୂଜା ଆଶ୍ଵିନ ମାସରେ ଆରମ୍ଭ ହୋଇଥାଏ ,ଏହି ସମୟରେ ବିଭିନ୍ନ ଅଞ୍ଚଳରେ ମହିଳା ମାନେ ଆଶ୍ଵିନର ମଙ୍ଗଳବାରକୁ ନିଶା ମଙ୍ଗଳବାର ଓଷା ଭାବରେ ପୂଜା କରିଥାନ୍ତି । ମା ମଙ୍ଗଳାଙ୍କ ଶାରଦୀୟ ପୂଜା ସମୟରେ ବିଭିନ୍ନ ଅଞ୍ଚଳରୁ ଅନେକ ଭକ୍ତ ବା ଶ୍ରଦ୍ଧାଳୁ ମାନେ ଏଠାକୁ ଆସିଥାନ୍ତି । ଏହି ସମୟରେ ମାଙ୍କୁ ଦର୍ଶନ କଲେ ସବୁ ମନସ୍କାମନ ପୂର୍ଣ୍ଣ ହୋଇଥାଏ ବୋଲି ଶ୍ରଦ୍ଧାଳୁ ମାନେ ବିଶ୍ୱାସ କରନ୍ତି ।

Leave a Reply

Your email address will not be published. Required fields are marked *

Back to top button