୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ନିର୍ମାତା ଓ ନିର୍ଦ୍ଦେଶକଦ୍ୱୟ ହେଲେ ସମ୍ମାନିତ
ଭୁବନେଶ୍ୱର,୦୯/୧୦: ଜାତୀୟ ସ୍ତରରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ‘ଦମନ’ । ମଙ୍ଗଳବାର ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ଆୟୋଜିତ ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଯୋଜକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କାଙ୍କୁ ସମ୍ମାନିତ ହୋଇଛନ୍ତି ।
ଫିଚର୍ ଚଳଚ୍ଚିତ୍ର ବର୍ଗରେ ଆଞ୍ଚଳିକ ଛବି ଭାବେ ଅନ୍ୟ ଓଡ଼ିଆ ଚଳଚ୍ଚିତ୍ରକୁ ପଛରେ ପକାଇ ଦମ୍ର ସହ ‘ଦମନ’ ବିଜୟ ହୋଇଛି ।
ଏଥିସହ ଅଣ ଫିଚର୍ ଚଳଚ୍ଚିତ୍ର ବର୍ଗରେ ସତିଶ ଶର୍ମାଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ହିନ୍ଦୀ ସିନେମା ‘ୟାନ୍’ ପାଇଁ ଓଡ଼ିଆ ପୁଅ ସାଉଣ୍ଡ୍ ଡିଜାଇନ୍ର ମାନସ ଚୌଧୁରୀ ମଧ୍ୟ ଜାତୀୟ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ‘ଦମନ’ ଏବଂ ସାଉଣ୍ଡ୍ ଡିଜାଇନ୍ର ଶ୍ରୀ ଚୌଧୁରୀଙ୍କୁ ପୁରସ୍କାର ସ୍ୱରୂପ ରଜତ କମଳ ସହ ୨ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି । ଦୁଇଟି ଭିନ୍ନ ଭିନ୍ନ ବର୍ଗରେ ଜାତୀୟ ସ୍ତରରେ ଓଡ଼ିଆ ସିନେମା ଓ ଓଡ଼ିଆ ପୁରସ୍କୃତ ହେବା ନିଶ୍ଚିତ ପକ୍ଷେ ଗର୍ବ ଏବଂ ଗୌରବର ବିଷୟ ।
ଏହି ସଫଳତା ପାଇଁ ଚାରିଆଡ଼ୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସବୁଠି ଓଡ଼ିଆ ଏବଂ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାର ନିର୍ମାତା, ନିର୍ଦ୍ଦେଶକ, କଳାକାର ଏବଂ ଏହା ପଛରେ ଥିବା ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଜାତୀୟ ସ୍ତରରେ ‘ଦମନ’ର ଏହି ସଫଳତା ଆଗାମୀ ଦିନରେ ଆମ ଓଡ଼ିଆ ସିନେମା ଜଗତକୁ ନିଶ୍ଚୟ ଉତ୍ସାହିତ କରିବ ବୋଲି ସମସ୍ତେ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି । ମଞ୍ଚରେ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟମାନେ ଉପସ୍ଥିତ ଥିଲେ।