ସୁପ୍ରିମକୋର୍ଟଙ୍କ ବଡ ରାୟ: ବାଂଲାଦେଶରୁ ଭାରତ ଆସିଥିବା ପ୍ରବାସୀଙ୍କୁ ମିଳିବ ନାଗରିକତା

ନୂଆଦିଲ୍ଲୀ: ନାଗରିକତା ଅଧିନିୟମ ୧୯୫୫ର ଧାରା ୬-ଏକୁ ନେଇ ଏକ ବଡ ନିଷ୍ପତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ l କୋର୍ଟ ଧାରା ୬-ଏ ବୈଧତାକୁ ବଜାୟ ରଖିଛନ୍ତି l ଫଳରେ ଏହି ଆଇନ ଆସାମ ରାଜିନାମା ଅନ୍ତର୍ଗତ ଆସୁଥିବା ବିଦେଶୀଙ୍କୁ ନାଗରିକତା ପ୍ରଦାନ କରିବ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଧାରା ୬-ଏ ଅନୁଯାୟୀ, ୧୯୬୬ ଜାନୁଆରୀ ୧ ରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ପ୍ରବାସୀ ଲୋକମାନେ ଭାରତକୁ ଆସି ଆସାମରେ ବାସକରୁଛନ୍ତି ଏବେ ସେମାନେ ନିଜକୁ ଭାରତୀୟ ଭାବେ ପଞ୍ଜିକୃତ କରିପାରିବେ ।ସେହିପରି ବେଆଇନ ବାଂଲାଦେଶୀ ପ୍ରବାସୀମାନଙ୍କୁ ଚିହ୍ନଟ କରି ଦେଶରୁ ବିତାଡିତ କରିବା ପାଇଁ ତତ୍କାଳୀନ ସରବାନନ୍ଦ ସୋନୋୱାଲ ସରକାରଙ୍କ ଅଧୀନରେ ଆସାମରେ ଏନଆରସି ସମ୍ବନ୍ଧରେ ଦିଆଯାଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।
ବିଚାରପତି ଚନ୍ଦ୍ରଚୂଡ଼ ରାୟରେ କହିଛନ୍ତି ଯେ, ଉପଧାରା ୬-ଏ ଓ ୭ ଅନୁଯାୟୀ, ସମସ୍ତ ମୂଳ ଭାରତୀୟ, ଯେଉଁମାନେ ୧୯୬୬ ଜାନୁଆରୀ ୧ ପୂର୍ବରୁ ତାଙ୍କ ଅଞ୍ଚଳରୁ ଆସାମକୁ ଆସିଥିଲେ ଏବଂ ସେବେଠାରୁ ଆସାମରେ ରହି ଆସୁଛନ୍ତି ସେମାନେ ଜାନୁଆରୀ ୧ ତାରିଖ ୧୯୬୬ରୁ ଭାରତର ନାଗରିକ ଭାବରେ ବିବେଚିତ ହେବେ । ସୁପ୍ରିମ କୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ସୁନ୍ଦ୍ରେସ, ଜଷ୍ଟିସ ଜେ ବି ପାର୍ଡିୱାଲ ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ୪:୧ ବହୁମତରେ ଏହି ଆଇନକୁ ବୈଧ ଘୋଷଣା କରାଯାଇଛି । ପରିସଂଖ୍ୟାନ ଅନୁଯାୟୀ ଆସାମରେ ୪୦ ଲକ୍ଷ ବେଆଇନ ପ୍ରବାସୀ ଅଛନ୍ତି। ପଶ୍ଚିମବଙ୍ଗରେ ଏଭଳି ଲୋକଙ୍କ ସଂଖ୍ୟା ୫୭ ଲକ୍ଷ l ତଥାପି ଆସାମର କମ୍ ଜନସଂଖ୍ୟାକୁ ବିଚାରକୁ ନେଇ ସେଠାରେ ଏକ ପୃଥକ କଟ୍ ଅଫ୍ ତାରିଖ ପ୍ରସ୍ତୁତ କରିବା ଆବଶ୍ୟକ ଥିଲା। ତେଣୁ ମାର୍ଚ୍ଚ ୨୫, ୧୯୭୧ର କଟ୍ ଅଫ୍ ତାରିଖ ଠିକ୍ ଅଟେ।