ତିରୁପତି ଇସ୍କନ ମନ୍ଦିରକୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ବିମାନ, ଟ୍ରେନ ଏବଂ ସ୍କୁଲ ପରେ ଏବେ ମନ୍ଦିରକୁ ମିଳିଛି ବୋମା ଧମକ । ଏବେ ଆନ୍ଧ୍ରପ୍ରଦେଶର ତିରୁପତି ଇସ୍କନ ମନ୍ଦିରକୁ ବୋମା ଧମକ ମିଳିଥିବା ଖବର ମିଳିଛି । ମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଇମେଲ ଜରିଆରେ ବୋମା ଧମକ ମିଳିଛି । ମନ୍ଦିର ପ୍ରଶାସନ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ ଦାୟର କରାଯାଇଛି ।
ତେବେ ଏହି ଧମକ ଆଇଏସଆଏସ ଆତଙ୍କୀ ସମ୍ପୃକ୍ତ ଥିବା ଜଣାପଡିଛି ।
ଖବର ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସ୍ଥାନୀୟ ପୋଲିସ ବିସ୍ଫୋରକ ଯାଞ୍ଚ ସହିତ ବୋମା ନିଷ୍କ୍ରିୟକାରୀ ଟିମ୍ ଏବଂ ଡଗ୍ ସ୍କାର୍ଡ ମଧ୍ୟ ଯାଞ୍ଚ କରୁଛି । ମନ୍ଦିର ପରିସରରୁ କୌଣସି ବିସ୍ଫୋରକ କିମ୍ବା ଅନ୍ୟ ଆପତ୍ତିଜନକ ବସ୍ତୁ ଜବତ ହୋଇନାହିଁ । ଇସ୍କନ ମନ୍ଦିରର କର୍ମଚାରୀମାନେ ଅକ୍ଟୋବର ୨୭ରେ ଏକ ଇମେଲ ପାଇଥିଲେ, ଯେଉଁଥିରେ ପାକିସ୍ତାନର ଆଇଏସଆଇ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ ।
କେହି ଜାଣିଶୁଣି ଏପରି ଆତଙ୍କ ସୃଷ୍ଟି କରୁଥିବା ସନ୍ଦେହ କରାଯାଉଛି । ଏହାପୂର୍ବରୁ ଅକ୍ଟୋବର ୨୬ରେ ମଧ୍ୟ ତିରୁପତିର ଦୁଇଟି ପ୍ରତିଷ୍ଠିତ ହୋଟେଲକୁ ବୋମା ଧମକ ମିଳିଥିଲା । ତଦନ୍ତ ପରେ କୌଣସି ସାମଗ୍ରୀ ମିଳିନଥିଲା । କେହି ମିଛ ରିପୋର୍ଟ ଦେଇ ଆତଙ୍କ ସୃଷ୍ଟି କରୁଥିବା ସନ୍ଦେହ କରାଯାଉଛି । ଭାରତୀୟ ବିମାନ ଏବଂ ହୋଟେଲଗୁଡିକୁ ମଧ୍ୟ ଲଗାତାର ଭାବେ ଏପରି ଆତଙ୍କ ସୃଷ୍ଟିକାରୀ କଲ୍ ଓ ମେସେଜ୍ ମିଳୁଛି ।
ତେବେ ପୂର୍ବରୁ ୧୦୦ରୁ ଅଧିକ ବିମାନକୁ ବୋମା ଧମକ ମିଳିଥିବା ବେଳେ ଟ୍ରେନ, ସ୍କୁଲ ଆଉ ଏବେ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ ମିଳିଥିଲା । ପୂର୍ବରୁ ଦିଲ୍ଲୀ ପୋଲିସ ଗତ ୮ ଦିନରେ ୧୭୦ରୁ ଅଧିକ ଘରୋଇ ଓ ଅର୍ନ୍ତଜାତୀୟ ବିମାନରେ ବୋମା ଧମକ ମିଳିଥିଲା । ଗୁଜରାଟର ରାଜକୋଟରେ ୫ ଷ୍ଟାର ହୋଟେଲ ସମେତ ୧୦ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା ।