ଦେଶ- ବିଦେଶ

ସାଟେଲାଇଟ୍‌ କମ୍ୟୁନିକେସନ୍‌ ପାଇଁ ବାକ୍‌ଯୁଦ୍ଧ : ଟ୍ରାଇ ବୈଠକରେ ମସ୍କଙ୍କ କମ୍ପାନୀ-ଜିଓ ମୁହାଁମୁହିଁ

ନୂଆଦିଲ୍ଲୀ : ଭାରତରେ ସାଟେଲାଇଟ କମ୍ୟୁନିକେସନ ଯୋଗାଇବା ପାଇଁ ପ୍ରତିଦ୍ବନ୍ଦ୍ବିତା ଲାଗି ରହିଛି। ଏହି ବଜାରରେ ଅଧିକରୁ ଅଧିକ କ୍ଷେତ୍ର ହାସଲ କରିବା ପାଇଁ ବାକ୍‌ଯୁଦ୍ଧ ତୀବ୍ର ହୋଇଯାଇଛି। ଏହାର ଏକ ଝଲକ୍‌ ଟେଲିକମ୍‌ ନିୟାମକ ଟ୍ରାଇର ବୈଠକରେ ଦେଖିବାକୁ ମିଳିଛି। ଏଠାରେ ଦେଶର ଦୁଇଟି ବଡ଼ କମ୍ପାନୀ ମୁହାଁମୁହିଁ ହୋଇଛନ୍ତି।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଜିଓ ଏବଂ ଏଲନ୍‌ ମସ୍କଙ୍କ ଷ୍ଟାରଲିଙ୍କ୍‌ ଅଲଗା ଅଲଗା ଆଭିମୁଖ୍ୟ ପୋଷଣ କରିଛନ୍ତି। ଏହାକୁ ନେଇ ଜୋରଦାର ବିତର୍କ ହୋଇଛି। ଜିୟୋ, ଏୟାରଲେଟ, ଭିଆଇ ସ୍ୟାଟକମ୍‌ ସ୍ପେକ୍‌ଟ୍ରମ୍‌ ନିଲାମ ସପକ୍ଷରେ ଥିବାବେଳେ ଷ୍ଟାରଲିଙ୍କ ପ୍ରାଶାସନିକ ଆବଣ୍ଟନକୁ ସପକ୍ଷରେ ମତ ଦେଇଛି। ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଏହି କ୍ଷେତ୍ରରେ ବାକ୍‌ଯୁଦ୍ଧ ପ୍ରାରମ୍ଭିକ ପର୍ଯ୍ୟାୟରେ ପହଞ୍ଚିଛି। ଏଭଳି ସ୍ଥିତିକୁ ଦେଖି ଆଗାମୀ ଦିନରେ ଖୋଲାଖୋଲି ଭାବେ ଲଢ଼େଇ ହେବ ବୋଲି କୁହାଯାଉଛି।

ଟ୍ରାଇ ପକ୍ଷରୁ ଶୁକ୍ରବାର ସ୍ୟାଟ୍‌କମ୍‌ ସ୍ପେକ୍‌ଟ୍ରମ୍‌ର ଆବଣ୍ଟନ ପ୍ରସଙ୍ଗରେ ମୁକ୍ତ ଚର୍ଚ୍ଚାର ଆୟୋଜନ କରାଯାଇଥିଲା। ଏଥିରେ ଷ୍ଟାରଲିଙ୍କ, ଜିଓ, ଏୟାରଟେଲ ଏବଂ ଭିଆଇର ପ୍ରତିନିଧି ପ୍ରମୁଖ ସାମିଲ ହୋଇଥିଲେ। ଏହି ସମୟରେ ଷ୍ଟାରଲିଙ୍କ୍‌ ପ୍ରାଶାସନିକ ଆବଣ୍ଟନ ସପକ୍ଷରେ ଅଟଳ ରହିଥିଲା। ମାତ୍ର ଜିଓ, ଏୟାରଟେଲ ଏହି ସ୍ପେକ୍‌ଟ୍ରମ୍‌ର ନିଲାମ ଦାବିକୁ ଦୋହରାଇ ଥିଲେ। ଷ୍ଟାରଲିଙ୍କ ପକ୍ଷରୁ ଉପଗ୍ରହ ଆଧାରିତ ଇଣ୍ଟରନେଟ୍‌ ସେବାର ମୂଲ୍ୟ ବହୁତ କମ୍‌ ରଖିବା ଅଭିଯୋଗକୁ ଖାରଜ କରିଦିଆଯାଇଥିଲା। କମ୍ପାନୀ ସେବାର ମୂଲ୍ୟ ନିର୍ଦ୍ଧାରଣରେ ସ୍ବଚ୍ଛତା ବଜାୟ ରଖୁଥିବା କୁହାଯାଇଥିଲା। ଜିଓ ଅଧିକାରୀ ରବି ଗାନ୍ଧୀ କହିଥିଲେ ଯେ ସାଟେଲାଇଟ ମାଧ୍ୟମରେ ଟେଲିକମ ସେବା ଦେବାକୁ ଚାହୁଁଥିବାକମ୍ପାନ ପ୍ରତିଦ୍ବନ୍ଦ୍ବିତାକୁ ଭୟ କରୁଛି।

ସେଥିପାଇଁ କମ୍ପାନୀ ଏଭଳି ସୁରକ୍ଷା ଚାହୁଁଛି। କିନ୍ତୁ ଜିଓ ପ୍ରତିଦ୍ବନ୍ଦ୍ବିତାକୁ ଭୟ କରୁନାହିଁ। ସମାନ ସେବା ପାଇଁ ସମାନ ନିୟମ କାର୍ଯ୍ୟକାରୀ ହେବା ଉଚିତ। ଏହି କ୍ଷେତ୍ର ସମ୍ପୂର୍ଣ୍ଣ ଅଲଗା। ଜିଓ ମଧ୍ୟ ସାଟେଲାଇଟ ମାଧ୍ୟମରେ ସେବା ଦେବାକୁ ଚାହୁଁଛି। ଏହା ଉପରେ ଷ୍ଟାରଲିଙ୍କ ସାଟେଲାଇଟ କମ୍ୟୁନିକେସନ୍ସର ନିର୍ଦ୍ଦେଶକ ପରନିଲ ଉର୍ଦ୍ଧ୍ବରେଷେ କହିଥିଲେ ଯେ ଭାରତୀୟ ବ୍ୟବହାରକାରୀ ସାଟେଲାଇଟ ବ୍ରଡ୍‌ବ୍ୟାଣ୍ଡ ସର୍ଭିସ ଚାହୁଁଛନ୍ତି। ଶସ୍ତାରେ ଉଚ୍ଚମାନର ସେବା ପ୍ରଦାନ କରୁଥିବା କମ୍ପାନୀ ଚୟନ କରିବାର ଅଧିକାରୀ ଗ୍ରାହକଙ୍କ ରହିଛି। କୌଣସି ଦେଶରୁ ନିଆଯାଉଥିବା ମୂଲ୍ୟ କମ୍ପାନୀର ୱେବ୍‌ସାଇଟରେ ରହିଛି। ନେକ୍ସଟ ଜେନେରେସନର କମ୍ୟୁନିକେସନ ସିଷ୍ଟମ ଦ୍ବାରା ସ୍ବଳ୍ପ ମୂଲ୍ୟରେ ସେବା ପ୍ରଦାନ ନେଇ ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଅନ୍ୟପକ୍ଷରେ କିଛି ଦିନ ତଳେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଥିଲେ। ସ୍ପେକ୍‌ଟ୍ରମ୍‌ ଆବଣ୍ଟନ କରାଯିବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *

Back to top button