ବିଶ୍ୱବିଦ୍ୟାଳୟ ଭିତରେ ଫୁଟିଲା ଗୁଳି: ଜଣେ ମୃତ, ୧୬ ଆହତ
ଆମେରିକାର ଅଲବାମା ଟସ୍କେଗି ବିଶ୍ୱବିଦ୍ୟାଳୟ ଭିତରେ ଫୁଟିଲା ଗୁଳି । ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କର ପ୍ରାଣ ଚାଲିଯାଇଥିବା ବେଳେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି । ଏହି ଘଟଣା ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ଥାନରେ ହୋଇଥିଲା । ଯେଉଁଠାରେ ଛାତ୍ର ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ।
ତେବେ ଆହତଙ୍କ ମଧ୍ୟରେ ୧୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏହି ଗୁଳି ମାଡ ହେତୁ ବିଶ୍ୱବିଦ୍ୟାଳୟ ତଥା ଏହାର ଆଖପାଖ ଅଞ୍ଚଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ସୁଟରକୁ ଗିରଫ କରିଛି । ମଣ୍ଟଗୋମେରୀର ୨୫ ବର୍ଷିୟ ଜ୍ୟାକେଜ ମାୟରିକଙ୍କୁ କ୍ୟାମ୍ପସ ଭିତିରେ ଗୁଳିମାଡ଼ କରି ବାହାରକୁ ଆସିବା ବେଳେ ଗିରଫ କରାଯାଇଛି । ତାଙ୍କ ନିକଟରୁ ଏକ ମେସିନ୍ ଗନ୍ ସମେତ ଏକ ବନ୍ଧୁକ ମଧ୍ୟ ଜବତ ହୋଇଥିବା ଆଲବାମା ଆଇନ ଶୃଙ୍ଖଳା ଏଜେନ୍ସି କହିଛି । ତେବେ ଗୁଳିମାଡର କାରଣ ଖୋଜୁଛି ପୋଲିସ ।
ମୃତ୍ୟୁବରଣ କରିଥିବା ୧୮ ବର୍ଷ ବୟସ୍କ ବ୍ୟକ୍ତି ବିଶ୍ୱବିଦ୍ୟାଳୟର ଛାତ୍ର ନୁହଁନ୍ତି, କିନ୍ତୁ ଆହତମାନଙ୍କ ମଧ୍ୟରେ କିଛି ଛାତ୍ର ରହିଛନ୍ତି । ସେପଟେ ଗୁଳିମାଡ଼ ପରେ କ୍ଲାସ ରଦ୍ଦ କରାଯାଇଛି । ଗୁଳିମାଡ ପୀଡିତାଙ୍କ ପିତାମାତାଙ୍କୁ ଅବଗତ କରାଯାଇଛି । ଆହତମାନଙ୍କ ମଧ୍ୟରୁ ଅନେକ ଓପେଲିକା ସ୍ଥିତ ପୂର୍ବ ଆଲାବାମା ମେଡିକାଲ ଏବଂ ମଣ୍ଟଗୋମେରୀର ବାପ୍ଟିଷ୍ଟ ସାଉଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଆମେରିକାର ଏରିଜୋନାରେ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ନିର୍ବାଚନ ପ୍ରଚାର ଅଫିସ୍ରେ ଗୁଳିମାଡ଼ ହୋଇଥିଲା । ଘଟଣା ସମୟରେ ଅଫିସ୍ ପରିସର ଭିତରେ କେହି ନ ଥିଲେ । ଏହା ପୂର୍ବରୁ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଥିଲା ।