ରାଜ୍ୟ

୫କୋଟିରେ ହେଉ ଦେଓମାଳିର ପର୍ଯ୍ୟଟନ ବିକାଶ

ଭୁବନେଶ୍ବର: ଦେଓମାଳିରେ ପର୍ଯ୍ୟଟନ ବିକାଶ ପାଇଁ ବର୍ଷେ ତଳେ ରାଜ୍ୟ ସରକାର ୧୬କୋଟି ଟଙ୍କା ବ୍ୟୟ ଅଟକଳର ନିଷ୍ପତ୍ତି ନେଇଥିଲେ। ମାତ୍ର ଏହାକୁ ୫କୋଟିକୁ କମାଇ ସର୍ବନିମ୍ନ ଭିତ୍ତିଭୂମି ସଜାଡ଼ିବା ସହ, ସ୍ଥାନୀୟ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଗଲେ ହଜାରରୁ ଅଧିକ ଯୁବକ ଆତ୍ମନିଯୁକ୍ତି ପାଇପାରିବେ ବୋଲି ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ପରିଷଦର ଉପଦେଷ୍ଟା ଦେବୀପ୍ରସାଦ ପୃଷ୍ଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଉତ୍କଳ ବିକାଶ ଯୁବ ପରିଷଦର ପତ୍ର
ମେଘାଳୟ ଭଳି ପରିବେଶ ପର୍ଯ୍ୟଟନକୁ ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ ହେଉ

ଶ୍ରୀ ପୃଷ୍ଟି ଉଲ୍ଲେଖ କରିଛନ୍ତି ଯେ ବ୍ୟୟ ଅଟକଳରେ ଥିବା ୬ଟି ୱାଚ୍ଟାୱାର୍, ଟ୍ରେକିଂ ରାସ୍ତା ବାବଦରେ ସୁପରଭିଜନ ଓ ଜିଏସ୍ଟି ମିଶି ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ କରିବା ଅନାବଶ୍ୟକ। ଏସବୁକୁ ବାଦ୍ ଦେଇ ପ୍ରବେଶଦ୍ୱାର, ସର୍ବସାଧାରଣ ଶୌଚାଳୟ, ଅସ୍ଥାୟୀ ଦୋକାନ, ସଫେଇ ଆଦି ସହ ହିଲ୍ଟପ୍ ଅଗ୍ମେଣ୍ଟସନ୍, ପୁଟସିଲ୍ ଟେବଲ୍ଟପ୍ ପାଇଁ ମାତ୍ର କୋଟିଏ ପନ୍ଦର ଲକ୍ଷ ଓ ପ୍ରବେଶଠାରୁ ପାହାଡ଼ ଉପର ପର୍ଯ୍ୟନ୍ତ ରହିଥିବା ରାସ୍ତାର ପ୍ରସାର ଆଦି ପାଇଁ ଦୁଇ କୋଟି ସତୁରି ଲକ୍ଷ, ସୁପରଭିଜନ ଓ ଜିଏସ୍ଟି ମିଶି ପ୍ରାୟ ୫କୋଟି ଖର୍ଚ୍ଚ ହେବ। ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପାଇଁ ମାଗଣାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପର୍ଯ୍ୟାପ୍ତ ସୁବିଧା ରହିଛି। କେବଳ ପର୍ଯ୍ୟଟନ ପାଇଁ କେନ୍ଦ୍ର ସରକାରଙ୍କ ‘ହୁନର୍ ସେ ରୋଜଗାର ତକ୍’ ଯୋଜନା କାର୍ଯ୍ୟକାରୀ ହେଉଛି। ରାଜ୍ୟର ବହୁ ଜିଲ୍ଲା ସହିତ ଭୁବନେଶ୍ୱରରେ କେନ୍ଦ୍ର ସରକାରଙ୍କର ଭାରତୀୟ ହୋଟେଲ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ଓ ଭାରତୀୟ ପର୍ଯ୍ୟଟନ ଓ ଯାତ୍ରା ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ମାଗଣା ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।

ହୋମ୍ ଷ୍ଟେ ବେ ବା ନିଜ ଘରେ ରହଣି, ରୁଚିକର ପାରମ୍ପରିକ ଖାଦ୍ୟ ପରିବେଷଣ, ପର୍ଯ୍ୟଟନ ଗାଇଡ, ଅସ୍ଥାୟୀ ବଜାର, କୃଷିଜାତ ଦ୍ରବ୍ୟ ହସ୍ତଶିଳ୍ପ ଓ ଖାଦ୍ୟ ବିକ୍ରି, ଭଡ଼ାରେ ଗହଣା ଓ ପୋଷାକ, ଦୁଇ ଚକିଆ ବାଇକ୍ ଟ୍ୟାକ୍ସି, ସୁରକ୍ଷା କର୍ମୀ, ଗ୍ୟାରେଜ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ଯୁବକଯୁବତୀ ଆତ୍ମନିର୍ଭରଶୀଳ ହେବାର ପ୍ରଚୁର ସମ୍ଭାବନା ରହିଛି। ଏସବୁ ପାଇଁ ଜାତୀୟକରଣ ବ୍ୟାଙ୍କ ଋଣ ଦେବାକୁ ଆଗେଇ ଆସିବେ। ଗୋଟିଏ ଦୁଇଟି ତାରକା ସଂସ୍ଥା ବା ହାତଗଣତି କେତେଜଣଙ୍କୁ ଲାଭ ଦେବାକୁ ଉଦ୍ଦିଷ୍ଟ ଏହି ଯୋଜନା ରଦ୍ଦ କରାଯାଉ

Leave a Reply

Your email address will not be published. Required fields are marked *

Back to top button