ରାଜନୀତି

କ୍ଷୁବ୍ଧ ବିଜେପି ବିଧାୟକ: ବିଧାୟକ ଦଳ ବୈଠକରେ ଅସନ୍ତୋଷ ଝାଡ଼ିଲେ

ଭୁବନେଶ୍ବର: ଆମର କିଛି କାମ ହେଉନି। ଅଫିସରମାନେ ଆମ କଥା ଶୁଣୁ ନାହାନ୍ତି। ପାଞ୍ଚ ମାସ ହୋଇଗଲାଣି। ଲୋକମାନଙ୍କୁ ସାମ୍ନା କରିବା କଷ୍ଟ ହେଲାଣି। ଆଉ କେତେ ଦିନ ଏମିତି ଚାଲିବ? ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ଏମିତି ଅସନ୍ତୋଷ ଝାଡ଼ିଥିଲେ ବିଧାୟକମାନେ। ସରକାରଙ୍କ କାର୍ଯ୍ୟଧାରା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଲୋକଙ୍କ କାମ କଲା ବେଳେ ସେମାନେ କିପରି ଅସହାୟ ହୋଇପଡ଼ିଛନ୍ତି, ତାହା ବଖାଣିଥିଲେ। ସରକାରକୁ ଆସିଲା ପରେ ପ୍ରଥମ ଥର ପାଇଁ ବିଧାୟକମାନଙ୍କର ଏପରି ଖୋଲା ଅସନ୍ତୋଷ ‌ଦେଖିବାକୁ ମିଳିଛି। ଏହି ଘଟଣାଟି ଦଳୀୟ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ବିଧାୟକ କିମ୍ବା କୌଣସି ଦଳୀୟ ନେତା ଗଣମାଧ୍ୟମରେ ମୁହଁ ଖୋଲୁ ନାହାନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକମାନଙ୍କୁ ସେମାନଙ୍କ ମତ ରଖିବା ପାଇଁ କହିଥିଲେ। ଏହା ପରେ କିଛି ବିଧାୟକ ସିଧାସଳଖ ଅସନ୍ତୋଷ ପ୍ରକାଶ କରିଥିଲେ। ପାଞ୍ଚ ମାସ ହେଲା ନିଜ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇପାରୁ ନାହାନ୍ତି ବୋଲି କହିଥିଲେ। ପୁରୁଣା ବିଡିଓ, ତହସିଲ୍‌ଦାରଙ୍କୁ ବଦଳି କରି ନୂଆ ନିଯୁକ୍ତି ଦେବାକୁ ବାରମ୍ବାର କହୁଥିଲେ ବି କେହି ଶୁଣୁ ନାହାନ୍ତି। ବହୁ ଜାଗାରେ ବିଡିଓମାନେ ବିଜେଡି ନେତାଙ୍କ କଥାରେ କାମ କରୁଛନ୍ତି। ନିର୍ବାଚନରେ ଦଳୀୟ କର୍ମୀମାନେ ଏତେ ପରିଶ୍ରମ କଲେ। କିନ୍ତୁ ସେମାନେ ହତାଶ ହୋଇପଡ଼ିଲେଣି। ଯେ କୌଣସି କାମ କହିଲେ ସରକାରୀ ସ୍ତରରେ ତାହା ହେଉ ନାହିଁ। କୌଣସି ସ୍ତରରେ ଅଫିସରମାନେ କଥା ଶୁଣୁ ନାହାନ୍ତି। ‘ବାବୁ ରାଜ୍’ ବଳବତ୍ତର ରହିଛି ବୋଲି ସେମାନେ ଅଭିଯୋଗ କରିଥିଲେ।

କିଛି କାମ ହେଉ ନଥିବାର ଆରୋପ ଲଗାଇଲେ

କିଛି ବିଧାୟକ ଅଭିଯୋଗ କରିଥିଲେ, ମନ୍ତ୍ରୀମାନେ ତାଙ୍କ ନିର୍ବାଚନମଣ୍ଡଳୀକୁ ଗଲା ବେଳେ ବିଧାୟକଙ୍କୁ ଅବଗତ କରାଉ ନାହାନ୍ତି। ସେମାନେ ଅନ୍ୟ ଆଡ଼ୁ ଖବର ପାଉଛନ୍ତି। ଏହା ଦ୍ବାରା ସ୍ଥାନୀୟ ପ୍ରଶାସନ ଓ ଲୋକଙ୍କ ନିକଟରେ ସେମାନେ ଲୋକହସା ହେଉଛନ୍ତି। ଯଦିଓ କୌଣସି ବିଧାୟକ ସିଧାସଳଖ ମନ୍ତ୍ରୀଙ୍କ ନାମ ନେଇ ନଥିଲେ, ତେବେ କିଛି ମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ନେଇ ସେମାନଙ୍କ ଅସନ୍ତୋଷ ବାରି ହୋଇପଡ଼ିଥିଲା। ମନ୍ତ୍ରୀମାନେ ବିଧାୟକମାନଙ୍କ କାମ କରୁ ନାହାନ୍ତି ବୋଲି ପରୋକ୍ଷରେ ଅଭିଯୋଗ କରିଥିଲେ। ନିଜ ଅଞ୍ଚଳର କିଛି କାମ ପାଇଁ ସୁପାରିସ୍ କଲେ ବି ତାହା ହେଉ ନାହିଁ ବୋଲି କହିଥିଲେ।
ବିଧାୟକମାନଙ୍କର ଏପରି ଅସନ୍ତୋଷ ଦେଖି ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିଲେ। ବଦଳି-ନିଯୁକ୍ତି ଅପେକ୍ଷା ଉନ୍ନୟନମୂଳକ କାର୍ଯ୍ୟ ଉପରେ ଫୋକସ୍ କରିବାକୁ କହିଥିଲେ। ବିଧାୟକମାନଙ୍କ କାମ କିପରି ହେବ, ତାହା ଉପରେ ସେ ନଜର ଦେବେ ବୋଲି କହିଥିଲେ। ବୈଠକରେ ଉପସ୍ଥିତ ଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ବିଧାୟକମାନଙ୍କୁ ବୁଝାଇଥିଲେ।

Leave a Reply

Your email address will not be published. Required fields are marked *

Back to top button