୩୦ ବର୍ଷ ବୟସରେ କନ୍ନଡ ଅଭିନେତ୍ରୀ ଶୋଭିତାଙ୍କ ନିଧନ, ଶୋକ ପ୍ରକାଶ କରୁଛି ସାଉଥ ଇଣ୍ଡଷ୍ଟ୍ରୀ

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ପିତାଙ୍କ ଦେହାନ୍ତ ପରେ ଏବେ ସାଉଥ ସିନେମାରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ କନ୍ନଡ ଫିଲ୍ମ ଆକ୍ଟ୍ରିସ୍ ଶୋଭିତା ଶିବନା ୩୦ ବର୍ଷ ବୟସରେ ସମସ୍ତଙ୍କୁ ବିଦାୟ ଦେଇଛନ୍ତି । ଖବର ଅନୁଯାୟୀ ଅଭିନେତ୍ରୀଙ୍କ ହାଇଦ୍ରାବାଦ ଘରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ଆସିବା ପରେ ସମଗ୍ର ଇଣ୍ଡଷ୍ଟ୍ରୀରେ ଶୋକର ବାଦଲ ଖେଳିଯାଇଛି । ଏଥିସହ ଅଭିନେତ୍ରୀଙ୍କ ଶେଷ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ଏକ ରିପୋର୍ଟ ଅନୁଯାୟୀ କନ୍ନଡ ଅଭିନେତ୍ରୀ ଶୋଭିତା ୩୦ ନଭେମ୍ବର ବିଳମ୍ବିତ ରାତିରେ ଜୀବନ ହାରିଥିଲେ । ଏହା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଅଭିନେତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି । ଖବର ଅନୁଯାୟୀ ଅଭିନେତ୍ରୀଙ୍କ ଅନ୍ତିମ ସଂସ୍କାର ବେଙ୍ଗାଲୁରୁରେ କରାଯାଇପାରେ ।
କହି ରଖିବାକୁ ଚାହିଁବୁ ଯେ ଶୋଭିତା କର୍ଣ୍ଣାଟକର ହସନ ଜିଲ୍ଲାର ସକଲେଶପୁରର ବାସିନ୍ଦା ଥିଲେ । ଯିଏ ଗତ ଦୁଇ ବର୍ଷ ଧରି ହାଇଦ୍ରାବାଦରେ ରହୁଥିଲେ । ଅଭିନେତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଶୋଭିତା ‘ଗଲିପାଟା’, ‘ମଙ୍ଗଳା ଗୌରୀ’, ‘କୋଗିଲେ’, ‘କୃଷ୍ଣା ରୁକ୍ମିଣୀ’ ଏବଂ ‘ଅମ୍ମାୱରୁ’ ସମେତ ୧୦ ରୁ ଅଧିକ ଲୋକପ୍ରିୟ ଟିଭି ଶୋ’ରେ କାମ କରିଛନ୍ତି ।
ଟିଭି ସିରିଏଲ ବ୍ୟତୀତ ଏହି ଅଭିନେତ୍ରୀଙ୍କୁ ‘ଏରାଡୋଣ୍ଡଲା ମୁରୁ’ ଏବଂ ‘ଜ୍ୟାକପଟ୍’ ଭଳି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଛି । ଶୋଭିତା ଶେଷ ଥର ପାଇଁ ୧୬ ନଭେମ୍ବରରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ । ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ ମୃତ୍ୟୁ ଖବରକୁ ବିଶ୍ବାସ କରିପାରୁ ନାହାଁନ୍ତି ।