ରାଜ୍ୟ

ଦୁଇଟି ଜୀବନ ଚାଲିଗଲା, ନ୍ୟାୟ ମିଳିଲାନି: ଅଫିସ୍‌ରୁ ଅଫିସ୍‌ ଧାଉଛନ୍ତି ୭୮ ବର୍ଷୀୟ ବୃଦ୍ଧ

ଭୁବନେଶ୍ବର: କ୍ଷମତ‌ା ଓ ବାହୁବଳ କିପରି ବ୍ୟବସ୍ଥାକୁ ଦଳି ମକଚି ଦିଏ ଏବଂ ଅସହାୟ ଲୋକଙ୍କୁ ଅଧିକ ଦୁଃଖ ଯନ୍ତ୍ରଣା ଭିତରକୁ ଠେଲି ଦିଏ ତା’ର ବଡ଼ ଉଦାହରଣ ହେଉଛନ୍ତି ସ୍ବର୍ଗତ ଇନ୍ଦୁମତୀ ନାୟକ। ଜବରଦଖଲ ହୋଇଥିବା ନିଜ ସ୍ଥିତିବାନ ଜମିକୁ ଫେରାଇ ଆଣିବାକୁ ତାଙ୍କ ଜୀବନ ଚାଲିଗଲା। ମା’ଙ୍କୁ ନ୍ୟାୟ ଦେବାକୁ ଝିଅ ମଧ୍ୟ ଲଢ଼ି ଲଢ଼ି ଆରପାରିକୁ ଚାଲିଗଲେ। ଏବେ ଝିଅଙ୍କ ସ୍ବାମୀ ଅର୍ଥାତ୍‌ ଜ୍ବାଇଁ ନ୍ୟାୟ ଅଫିସରୁ ଅଫିସକୁ ଦୌ଼ଡ଼ୁଛନ୍ତି। ୨୦୦୦ରୁ ୨୦୨୪, ୨୪ ବର୍ଷର ଲଢ଼େଇ ପରେ ବିଏମ୍‌ସି ଡେପୁଟି କମିସନରଙ୍କ କୋର୍ଟ ରାୟ ଶୁଣାଇ ଉକ୍ତ ଜମିକୁ ୧୫ ଦିନ ଭିତରେ ଜବରଦଖଲମୁକ୍ତ କରିବାକୁ ଗତ ଅକ୍ଟୋବରରେ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି ଅଧିକାରୀ।

୨୪ ବର୍ଷ ହେଲା ଚାଲିଛି ଲଢ଼େଇ
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ପରିବାର

ଘଟଣାଟି ଏହିପରି, ଭୁବନେଶ୍ବର ଲକ୍ଷ୍ମୀସାଗର ମୌଜା ଅଞ୍ଚଳରେ ଇନ୍ଦ୍ରମଣୀ ଦେଇ ଓରଫ ଇନ୍ଦୁମତୀ ନାୟକଙ୍କ ସ୍ଥିତିବାନ ଜମି (ପ୍ଲଟ ନମ୍ବର-୩୪୭)କୁ ୨୦୦୦ ମସିହାରେ ମନୋରମା ପ୍ରପୋଟିଜ୍‌ ପ୍ରା. ଲି ନାମକ ଏକ ବିଲଡର ସଂସ୍ଥା ଦଖଲ କଲା। ମହିଳା ଜଣଙ୍କ ଥାନାରେ ଏତଲା ଦେଲେ। ମାତ୍ର ମାମଲା ରୁଜୁ ହେଲା ନାହିଁ। ଚାରିଆଡ଼ୁ ନିରାଶ ହୋଇ ଶେଷର କୋର୍ଟରେ ମାମଲା କଲେ। ତାରିଖ ଗଡ଼ି ଚାଲିଲା। ଶେଷରେ ୨୦୦୯ ମସିହାରେ ଇନ୍ଦୁମତୀ ମୃତ୍ୟୁ ବରଣ କଲେ ସିନା ନ୍ୟାୟ ପାଇ ପାରିଲେ ନାହିଁ। ମା’ଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଲଢ଼ିବାକୁ ନିଷ୍ପତ୍ତି ନେଲେ ଏକମାତ୍ର ଝିଅ ରଜନୀରାଣୀ। ୨୦୧୫ ମସିହାରେ ସେ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରି ୩୭୪ ନମ୍ବର ପ୍ଲଟ୍‌ ଉପରେ ବେଆଇନ ଜବରଖଲ କରାଯାଇ ନିର୍ମାଣ ହୋଇଥିବା ଅଭିଯୋଗ ଆଣିଲେ। ହେଲେ ଏହା କୋର୍ଟ ମ୍ୟାଟର କହି ଫେରାଇ ଦେଇଥିଲେ ଥାନା ବାବୁ। ରଜନୀରାଣୀ ଉତ୍ତରାଧିକାରୀ ଭାବରେ ୨୦୧୫ରେ କ୍ରାଇମବ୍ରାଞ୍ଚ ଅପରାଧ ଶାଖାରେ ଲିଖିତ ଅଭିଯୋଗ କରିଥିଲେ। ନ୍ୟାୟିକ ବ୍ୟବସ୍ଥାର ସମସ୍ତ ଶାଖା, କାର୍ଯ୍ୟାଳୟ, ପ୍ରତିନିଧିଙ୍କୁ ଫେରାଦ ହୋଇ ବିଫଳ ହେଲେ। କେବଳ ସେତିକି ନୁହେଁ, ଏ ପ୍ରସଙ୍ଗ ବିଧାନସଭାକୁ ଗଲା। ମୁଖ୍ୟମନ୍ତ୍ରୀଙ୍କୁ ବି ଜଣାଇଲେ ରଜନୀରାଣୀ। ଗୃହ ଓ ନଗର ଉନ୍ନୟନ ବିଭାଗ ଉପ ସଚିବ ଅନିଲ କୁମାର ପଟ୍ଟନାୟକ ୧୪ ମାର୍ଚ୍ଚ ୨୦୧୭ରେ ବିଡିଏର ଉପାଧ୍ୟକ୍ଷଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖିଥିଲେ। ହେଲେ ନ୍ୟାୟ ମିଳିନଥିଲା। ଶେଷରେ ରଜନୀରାଣୀ ମଧ୍ୟ ଗତ ଜୁନ୍ ମାସରେ ଆଖି ବୁଜିଦେଲେ।

ଗତ ୨୧ ଅକ୍ଟୋବର ମାସରେ ବିଏମସି ଡେପୁଟି କମିସନରଙ୍କ କୋର୍ଟ ଏହି ମାମଲାର ବିଚାର କରି ଶୁଣାଣି କରିଛନ୍ତି। ଜବରଦଖଲକାରୀ ଅନୈତିକ ର୍ନିମାଣକୁ ୧୫ଦିନ ମଧ୍ୟରେ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ନକଲ କପି ଡେପୁଟି କମିଶନର ଏନଫୋର୍ସମେଣ୍ଟ ଏବଂ ବିଏମସି ଜୋନାଲ କମିଶନରଙ୍କୁ ପ୍ରଦାନ କରାଯିବାର ଦୁଇମାସରୁ ଉର୍ଦ୍ଧ୍ବ ସମୟ ବିତିଗଲାଣି। ହେଲେ ଜବରଦଖଲ ଉଛେଦ ହେଉନାହିଁ। ରଜନୀରାଣୀଙ୍କ ସ୍ବାମୀ ମହେନ୍ଦ୍ର ହରିଚନ୍ଦନ ‌ଅଫିସ୍‌ ଦୌଡ଼ି ଦୌଡ଼ି ଅଣନିଶ୍ବାସୀ ହୋଇଗଲେଣି। ଏନେଇ ଶ୍ରୀ ହରିଚନ୍ଦନ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଲା ବେଳ କାନ୍ଦି ପକାଇଥିଲେ। ସେ କହିଥିଲେ, ଏବେ ସରକାର ବଦଳିଲା। ନୂଆ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛୁ। ଅପେକ୍ଷା କରିଛୁ, କେବେ ନ୍ୟାୟ ମିଳିବ। ଅନ୍ୟପଟେ ମନୋରମା ପ୍ରପୋଟିଜ୍‌ ପ୍ରା.ଲି ପକ୍ଷରୁ ଆଇନଜୀବୀ ରୁଦ୍ର ନାରାୟଣ ପତିହାରୀ କହିଛନ୍ତି ଏହା ଭୁଲ୍‌ ଅର୍ଡର। ଚାପ ପକାଯାଇ ଏବଂ ଆମକୁ ଡେଟ୍‌ ଜଣା ନହୋଇ ଅର୍ଡର କରାଯାଇଛି। ଆମେ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବୁ।

Leave a Reply

Your email address will not be published. Required fields are marked *

Back to top button