ଦେଶ- ବିଦେଶ

ଟଳିଲା ବଡ଼ ଦୁର୍ଘଟଣା ! ଆକାଶରେ ପକ୍ଷୀ ସହ ଧକ୍କା ପରେ ଜରୁରୀ ଅବତରଣ କଲା ବିମାନ

ବିହାରର ପାଟନା ଏୟାରପୋର୍ଟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଏଠାରେ ଦିଲ୍ଲୀ-ଶିଲଙ୍ଗ୍ ବିମାନର ଜରୁରୀ ଅବତରଣ କରାଯାଇଛି । ସୂଚନା ରହିଛି ଯେ ବିମାନଟି ଆକାଶରେ କୌଣସି ପକ୍ଷୀ ସହ ଧକ୍କା ହୋଇଥିଲା । ଆକାଶରେ ବାର୍ଡ ହିଟ୍ ପରେ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ପାଇଲଟ୍ ଅନୁମତି ମାଗିଥିଲେ ।

କୁହାଯାଉଛି ଯେ ଦିଲ୍ଲୀରୁ ଶିଲଙ୍ଗ୍ ଯାଉଥିବା ସ୍ପାଇସ୍-ଜେଟର ବିମାନ SG 2950ରେ ପ୍ରାୟ ୮୦ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ । ତେବେ ବିମାନରେ ଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି । ୱିଣ୍ଡସ୍କ୍ରିନ୍‌ରେ ଫାଟ ଯୋଗୁ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା । ପକ୍ଷୀ ସହ ଧକ୍କା ହେବା ପରେ ୱିଣ୍ଡସ୍କ୍ରିନ୍ ଫାଟି ଯାଇଥିଲା ।

ବର୍ତ୍ତମାନ ଟେକ୍ନିକାଲ୍ ଟିମ୍ ଯାଞ୍ଚରେ ଲାଗିପଡ଼ିଛନ୍ତି । ସେପଟେ ବିମାନର ଜରୁରୀ ଅବତରଣ ହେତୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି । ଯଦିଓ ସମସ୍ତେ ସୁରକ୍ଷିତ ଥିବା କୁହାଯାଉଛି । ଏହି ଘଟଣା ପରେ ପାଟନା ବିମାନବନ୍ଦରରେ କିଛି ସମୟ ପାଇଁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଟେକ୍ନିକାଲ୍ ଟିମର ଯାଞ୍ଚ ପରେ ସବୁକିଛି ଠିକ୍ ରହିଲେ ବିମାନଟି ପୁଣି ଟେକ୍ ଅଫ୍ କରିବ ।

ସୂଚନା ମୁତାବକ, ଶିଲଙ୍ଗ୍ ଯାଉଥିବା ଏହି ବିମାନ ଦିଲ୍ଲୀରୁ ସକାଳ ୭ଟା ୦୩ରେ ଉଡ଼ାଣ ଭରିଥିଲା । ଏହା ୧୦ଟା ୦୨ ମିନିଟରେ ଶିଲଙ୍ଗରେ ପହଞ୍ଚିବାର ଥିଲା । କିନ୍ତୁ ପାଇଲଟ୍ ୱିଣ୍ଡସ୍କ୍ରିନରେ ଏକ ଫାଟ ଲକ୍ଷ୍ୟ କରିଥିଲେ । ଯେଉଁ ସମୟରେ ପାଇଲଟ୍ ଏହା ଦେଖିବାକୁ ପାଇଥିଲେ, ବିମାନଟି ପାଟନା ଦେଇ ଯାଉଥିଲା । ଏହାପରେ ସେ ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେଇ ପାଟନା ବିମାନବନ୍ଦରରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ ।

Leave a Reply

Your email address will not be published. Required fields are marked *

Back to top button