ପୂର୍ବତନ ବୈଦେଶିକ ମନ୍ତ୍ରୀ ଏସ୍ ଏମ୍ କ୍ରିଷ୍ଣାଙ୍କ ପରଲୋକ, ୯୨ ବର୍ଷ ବୟସରେ ନେଲେ ଶେଷ ନିଶ୍ବାସ

ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଏମ୍ କ୍ରିଷ୍ଣାଙ୍କ ପରଲୋକ ହୋଇଛି । ବରିଷ୍ଠ ରାଜନେତା ତଥା ବର୍ଷିଆନ ନେତାଙ୍କର ଗତକାଲି ମଧ୍ୟରାତ୍ର ୨.୪୫ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ବେଙ୍ଗାଲୁରୁ ସ୍ଥିତ ନିଜ ଘରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ଓ କଂଗ୍ରେସର ଅନେକ ନେତା ଦୁଃଖ ପ୍ରକାଶ କରିଛନ୍ତି।
ଆଧୁନିକ ବେଙ୍ଗାଲୁରୁର ନିର୍ମାତା କୁହାଯାଉଥିବା ଏସ ଏମ କ୍ରିଷ୍ଣା କର୍ଣ୍ଣାଟକ ତଥା ଜାତୀୟ ରାଜନୀତିରେ ମଧ୍ୟ ବେଶ୍ ଚର୍ଚ୍ଚିତ ଚେହେରା ଥିଲେ । ୨୦୦୯ରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ଏସ ଏମ କ୍ରିଷ୍ଣା । ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ରାଜ୍ୟପାଳ ମଧ୍ୟ ଥିଲେ । ୨୦୧୭ରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ୨୦୨୩ରେ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ ଏସ୍ ଏମ୍ କ୍ରିଷ୍ଣା ।
ଏସ୍ ଏମ୍ କ୍ରିଷ୍ଣା ମହିଶୁର ମହାରାଜା କଲେଜରେ ସ୍ନାତକ ଡିଗ୍ରୀ ହାସିଲ କରିଥିଲେ । ଏହାପରେ ବେଙ୍ଗାଲୁରୁ ସରକାରୀ କଲେଜରେ ଆଇନରେ ଡିଗ୍ରୀ କରିଥିଲେ । ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ । ସେଠାରେ ସ୍ନାତକ କରିବା ପରେ ଆଇନରେ ପ୍ରଶିକ୍ଷଣ ଦେଇଥିଲେ । ୧୯୬୦ରେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୧୯୬୨ରେ ମଦ୍ଦୁର ବିଧାନସଭା ସିଟରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ନିର୍ବାଚନ ଜିତିଥିଲେ । ସେ ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧିଙ୍କ ଶାସନକାଳରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।