ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ୮ ବଙ୍ଗୀୟ ମିସ୍ତ୍ରିଙ୍କୁ ଉଲଗ୍ନ କରି ନିର୍ଧୂମ ମାଡ଼ ମାରିଲେ

ବଣାଇ : ଅମାନବିକତାର ସୀମା ଲଂଘିଲେ। ୮ ଜଣ ବଙ୍ଗୀୟ ମିସ୍ତ୍ରିଙ୍କୁ ଉଲଗ୍ନ କରି ନିର୍ଧୂମ ମାଡ଼ ମାରିଲେ । ଲୁହାତାରରେ ହାତକୁ ବାନ୍ଧି ଦେଢ଼ କିଲୋମିଟରରୁ ଅଧିକ ବାଟ ଚଲେଇ ଚଲେଇ ଥାନାକୁ ଆଣିଲେ । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ମାନବ ଅଧିକାରର ଖୋଲା ଖୋଲି ଉଲଙ୍ଘନ କଲା ଭଳି ଏକ ଘଟଣା ସୁନ୍ଦରଗଡ଼ ସହରରୁ ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଆଣି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି କାଣ୍ଡ ଭିଆଇଛନ୍ତି । ଏହି ଦୃଶ୍ୟ ସାମନାକୁ ଆସିବା ପରେ ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ ୮ ବଙ୍ଗୀୟ ମିସ୍ତ୍ରିଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇଛି।
ସୂଚନା ଅନୁସାରେ ଗୁରୁବାର ସକାଳେ ସୁନ୍ଦରଗଡ଼ ଟାଉନ୍ ଥାନା ମିସନ୍ରୋଡ୍ ଅଞ୍ଚଳର ଏକ ଘରେ ଜଣେ ମହିଳା ଗାଧୋଇବାକୁ ଯାଉଥିବାବେଳେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ଜଣେ ଶ୍ରମିକ ତାଙ୍କୁ ଟାଣି ନେଇ ଅସଦାଚରଣ କରିଥିଲେ। ମହିଳା ଜଣକ ଚିତ୍କାର କରିବା ପରେ ଉକ୍ତ ଶ୍ରମିକ ଭୟରେ ଦୌଡ଼ି ପଳାଇଥିଲେ। ଏହି ସମୟରେ ଘରଲୋକ ଜାଣିପାରି ଶ୍ରମିକକୁ ଧରି ନିସ୍ତୁକ ମାଡ ମାରିବା ପରେ ଛାଡ଼ି ଦେଇଥିଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା । ମାଡ଼ ଖାଇଥିବା ଶ୍ରମିକଜଣକ ପାଖରେ ଥିବା ଅନ୍ୟ ଶ୍ରମିକଙ୍କ ପାଖକୁ ଚାଲି ଯାଇଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଯୁବକ ସଂଘବଦ୍ଧ ହୋଇ ପୁଣିଥରେ ସେହି ଶ୍ରମିକଙ୍କୁ ଟାଣି ଆଣି ବାଡ଼େଇଥିଲେ। ଏପରିକି ଅନ୍ୟ ସାଥୀ ଶ୍ରମିକଙ୍କୁ ମଧ୍ୟ ନିସ୍ତୁକ ପିଟିଥିଲେ। ଭିଡ଼ ଆକ୍ରମଣରୁ କିଛି ବୟସ୍କ ଶ୍ରମିକ ମଧ୍ୟ ବର୍ତ୍ତି ନଥିଲେ। ଶ୍ରମିକମାନଙ୍କୁ ଉଲଗ୍ନ କରି ଅମାନୁଷିକ ଭାବେ ମାଡ଼ ମାରିଥିଲେ।