ରାଜ୍ୟ

ପୁଣି ମାତିଲେ ସିନ୍ଧିଚୋର: ଧଉଳି ବିଜୟବିହାରରେ ଗ୍ରିଲ୍‌ ଓ ଆଲ୍‌ମିରା ତାଡ଼ି ଅଳଙ୍କାର ଲୁଟିନେଲେ

ଧଉଳି: ଆପାର୍ଟମେଣ୍ଟ୍‌ରୁ ଘନଘନ ସିନ୍ଧିଚୋରି କରୁଥିବା ଗ୍ୟାଙ୍ଗ୍‌ କମିସନରେଟ୍‌ ପୁଲିସର ନିଦ ହଜେଇ ଦେଇଛି। ବିଶେଷକରି ଆପାର୍ଟମେଣ୍ଟର ବରିଷ୍ଠ ନାଗରିକ ବାସିନ୍ଦାମାନେ ତ୍ରାହି ତ୍ରାହି ଡାକିଲେଣି। ରାତିକ ପାଇଁ ଘରୁ ଗୋଡ଼ କାଢ଼ିଲେ, ସକାଳକୁ କଳାକନା ବୁଲିଯାଉଛି। ଏଥିପାଇଁ ସବୁ ମହଲରୁ ପୁଲିସ ଉପରେ ଚାପ ପଡ଼ୁଛି। ତେଣୁ କମିସନରେଟ୍‌ ପୁଲିସ ସିନ୍ଧିଚୋରି ଉପରେ ରୋକ୍‌ ଲଗାଇବାକୁ ଆରମ୍ଭ କରିଛି ଅପରେସନ୍‌ ଅଦୃଶ୍ୟ। ଗଢ଼ାହୋଇଛି ଆଣ୍ଟି ବର୍ଗଲାରି ସ୍କ୍ବାଡ୍‌। ବଛାବଛା ୧୫୦ ପୁଲିସ କର୍ମଚାରୀ ଏହି ସ୍କ୍ବାଡ୍‌ରେ ଅଛନ୍ତି। ଗତକାଲିଠାରୁ ପୁଲିସ ଆରମ୍ଭ କରିଛି ଏହି ନୂଆ ପ୍ରୟାସ। ମାତ୍ର ପୁଲିସକୁ ଚ୍ୟାଲେଞ୍ଜ୍‌ ଦେଇ ଆସୁଥିବା ସିନ୍ଧିଚୋର ଗ୍ୟାଙ୍ଗ୍‌ ଅପରେସନ୍‌ ଅଦୃଶ୍ୟକୁ ମଧ୍ୟ ଆରମ୍ଭରୁ ଟକ୍କର୍‌ ଦେଇଛି। ଅପରେସନ୍‌ ଅଦୃଶ୍ୟ ପାଇଁ ପୁଲିସ ସଜବାଜ ହେଉହେଉ ସିନ୍ଧିଚୋର ଗ୍ୟାଙ୍ଗ୍‌ ଗତକାଲି ରାତିରେ ହିଁ ଖେଳ କରି ଦେଖାଇଛନ୍ତି। ଧଉଳି ଥାନା ଅଞ୍ଚଳରେ ସେମାନଙ୍କ ଦବଦବା ପ୍ରଦର୍ଶନ କରିଛନ୍ତି। ଏକ ଡ୍ୟୁପ୍ଲେକ୍ସର ଗ୍ରିଲ୍‌ ତାଡ଼ି ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା ଲୁଟି ନେଇଛନ୍ତି।
ଧଉଳି ଥାନା ଅଧୀନ ବିଜୟବିହାର ଲେନ୍‌-୨ରେ ରହୁଥିବା ବିଶ୍ବମିତ୍ରା ସାହୁଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବିଶ୍ବମିତ୍ରାଙ୍କ ବାପା ଅଲେଖ ସାହୁଙ୍କର ୨ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି।

ଅପରେସନ୍‌ ଅଦୃଶ୍ୟକୁ ଚ୍ୟାଲେଞ୍ଜ

ଏହାପରଠୁ ଏହି ଘରେ ତାଙ୍କ ମା’ ଏକାକୀ ରହୁଥିଲେ। ୨ ପୁଅ ଓ ଝିଅ ସମସ୍ତେ ବାହାରେ ରହୁଥିବାରୁ ମଝିରେ ମଝିରେ ବୃଦ୍ଧା ସେମାନଙ୍କ ପାଖକୁ ଯାଆନ୍ତି। ୨ ଦିନ ପୂ‌ର୍ବେ ବୃଦ୍ଧା ବଡ଼ ପୁଅ ପାଖକୁ ବେଙ୍ଗାଲୁରୁ ଯାଇଥିଲେ। ତେଣୁ ଘରେ କେହି ନଥିଲେ। ଏହି ମଉକାରେ ଉକ୍ତ ଘରକୁ ଟାର୍ଗେଟ୍‌ କରିଥିବା ସିନ୍ଧିଚୋର ଗ୍ୟାଙ୍ଗ୍‌ ଗତକାଲି ରାତିରେ ଲୁଟିଥିଲେ। ପ୍ରଥମେ ଝରକା ତାଡ଼ିଥିବା ଜଣାପଡ଼ିଛି। କାରଣ ୬ଟି ରଡ୍‌ କଟାଯାଇଥିବା ଦେଖିବାକୁ ମିଳିଛି। ପରେ ସେମାନେ କବାଟ ଗ୍ରିଲ୍‌ କାଟି ଭିତରକୁ ପଶିଥିଲେ ଏବଂ ଆଲ୍‌ମିରା ତାଡ଼ି ଗହଣା ସବୁ ନେଇଯାଇଥିଲେ। ନଗଦ ୩ ହଜାର ଟଙ୍କା ସହିତ କିଛି ମୁଦି, କାନଫୁଲ ଓ ଅନ୍ୟାନ୍ୟ ଗହଣା ଚୋରି ହୋଇଛି ବୋଲି ଏତଲାରେ ବିଶ୍ବମିତ୍ରା ଉଲ୍ଲେଖ କରିଛନ୍ତି। ଆଜି ସକାଳୁ ଚୋରି ବିଷୟରେ ଜଣାପଡ଼ିବା ପରେ ନିକଟସ୍ଥ ଇନ୍ଦିରା କଲୋନିରେ ବିଶ୍ବମିତ୍ରାଙ୍କ ସମ୍ପର୍କୀୟ ବିଜୟବିହାରରେ ପହଞ୍ଚିଥିଲେ। ଖବର ପାଇ ଧଉଳି ଥାନା ପୁଲିସ ସାଙ୍ଗରେ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ଧରି ପହଞ୍ଚିଥିଲା। ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରିଛି ପୁଲିସ। ବିଜୟବିହାରବାସୀଙ୍କ ଅଭିଯୋଗ ଅନୁସା‌ରେ ପୂର୍ବରୁ ଏହି କଲୋନିରୁ ସିନ୍ଧିଚୋରି ହୋଇଛି ଏବଂ ପୁଲିସରେ ଅଭିଯୋଗ ହୋଇଛି। ମାତ୍ର କିଛି ସୁଫଳ ମିଳିନି। ତେଣୁ ଏଥର ବି ସେମିତି ହେବ। କମିସନରେଟ୍‌ ପୁଲିସର ଲୋକଦେଖାଣିଆ ଅପରେସନ୍‌ ସବୁକୁ ସିନ୍ଧିଚୋର ଦଳ ଖାତିର କରୁନାହାନ୍ତି ବୋଲି ସେମାନେ କ୍ଷୋଭର ସହ କହିଛନ୍ତି। ସୂଚନାଯୋଗ୍ୟ ଯେ ସମ୍ପ୍ରତି ସିନ୍ଧିଚୋର ଗ୍ୟାଙ୍ଗ୍‌ ରାଜଧାନୀ ଉପକଣ୍ଠ ପିପିଲି ପୁବାଶାସନରୁ ଧଉଳି ଓ ବାଲିଅନ୍ତା ଦେଇ ପାହାଳ ଥାନା ଅଞ୍ଚଳରେ ମାତିଉଠିଛନ୍ତି।

Leave a Reply

Your email address will not be published. Required fields are marked *

Back to top button