ରାଜ୍ୟ

ସରକାରୀ ଜମିଜମା ସମ୍ବନ୍ଧୀୟ ସେବାରେ ପ୍ରଦାନରେ ଅଧିକ ସଂସ୍କାର ଅଣାଯିବ : ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର :- ଜମିଜମା ବ୍ୟବସ୍ଥାକୁ ଅଧିକ ସହଜ ଓ ସୁବିଧାରେ ଅନଲାଇନ୍ ମାଧ୍ୟମରେ ଉପଲବ୍ଧ କରିବା, ଭୂମି ରେକର୍ଡ ଓ ରାଜସ୍ୱ ନଥିଗୁଡିକର କମ୍ପ୍ୟୁଟରୀକରଣ, ଗ୍ରାମ ମାନଚିତ୍ର ଗୁଡିକର ଜିଓ ରେଫରେନସିଂ, ଜମି ପଞ୍ଜୀକରଣ ଏବଂ ବିଭିନ୍ନ ସେବାର ଅନଲାଇନ୍ ବିତରଣ ସଂପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ,  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ ଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ କୃଷି ମନ୍ତ୍ରାଳୟର ପରାମର୍ଶଦାତା ଶ୍ରୀ ରାଜୀବ ଚାଓ୍ୱଲାଙ୍କ ସହିତ ଏକ ବୈଠକରେ ଆଲୋଚନା କରିଛନ୍ତି ।

ଶ୍ରୀ ଚାୱାଲା କର୍ଣ୍ଣାଟକ ରାଜ୍ୟର ଭୂମି ରେକର୍ଡ ଆଧୁନିକୀକରଣ ଏବଂ ରାଜସ୍ୱ ବିଭାଗ ଓ କୃଷି ବିଭାଗ ଦ୍ୱାରା ମିଳିତ ଭାବରେ ଚାଲିଥିବା ଆଗ୍ରୋଷ୍ଟ।କ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ତାଙ୍କର ଅଭିଜ୍ଞତା ଏବଂ ଭଲ କାର୍ଯ୍ୟଗୁଡିକ (ବେଷ୍ଟ ପ୍ରାକ୍ଟିସେସ୍) ବିଷୟରେ ବିସ୍ତ୍ରୁତ ଭାବରେ ଆଲୋକପାତ କରିଥିଲେ ।     ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସିଂ,  ରାଜସ୍ୱ ବିଭାଗରେ ଚାଲିଥିବା ଏକ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ପଟ୍ଟାର  ୨ୟ ଖନା ସଂଶୋଧନ, ଅନ୍ୟାନ୍ୟ ସଂସ୍କାରମୂଳକ  ପଦକ୍ଷେପ ଏବଂ ଓଡ଼ିଶାରେ ଭୂମି ରେକର୍ଡର କମ୍ପ୍ୟୁଟରୀକରଣ, ପଞ୍ଜୀକରଣ ସେବା ଏବଂ ଅନଲାଇନ୍ ସେବା ପ୍ରଦାନ ବିଷୟରେ ଆଲୋକପାତ କରିଥିଲେ । ଏଥି ସହିତ ସେ  ଏବେ ଆରମ୍ଭ ହୋଇଥିବା  ବିଭିନ୍ନ ସଂସ୍କାରମୂଳକ  କାର୍ଯ୍ୟକ୍ରମ ଏବଂ ଭୂମି ରେକର୍ଡ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢୀକରଣ ​​କରିବା ଯୋଜନା ବିଷୟରେ ସେ ମତ ଉପସ୍ଥାପନ କରିଥିଲେ ।

ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଓଡ଼ିଶାବାସୀଙ୍କୁ ସହଜ ଓ ସୁବିଧାରେ ତଥା ସେମାନଙ୍କର ଦ୍ୱାରଦେଶରେ  ସରକାରୀ ଓ ଜମିଜମା ସମ୍ବନ୍ଧୀୟ ସେବା ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଭୂମି ରେକର୍ଡର ଆଧୁନିକୀକରଣ, କାଡାଷ୍ଟ୍ରାଲ୍ ମାନଚିତ୍ରର ଅଦ୍ୟତନ କରାଯିବା ଏବଂ ଜିଓ-ରେଫରେନସିଂ ତଥା ସମସ୍ତ ରାଜସ୍ୱ ରେକର୍ଡର ଡିଜିଟାଇଜେସନ୍ ଓ ଅନଲାଇନ୍ ସେବା ପ୍ରଦାନକୁ ଅଧିକ  ସୁବ୍ୟବସ୍ଥିତ  ​​କରିବା ପାଇଁ  ରାଜ୍ୟ ସରକାର  ଗୁରୁତ୍ୱ ଦେଉଥିବା  ଓ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଥିବା ସଂପର୍କରେ  ପ୍ରକାଶ କରିଛନ୍ତି ।

ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଡଃ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶ୍ରୀ ସୁଭମ ସକ୍ସେନା , ଭୂମି ରେକର୍ଡ ଏବଂ ସର୍ବେକ୍ଷଣ ନିର୍ଦ୍ଦେଶକ, ଭାରତୀୟ ସର୍ବେକ୍ଷଣ ନିର୍ଦ୍ଦେଶକ, ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର  ଏବଂ ଓଡିଶା ରାଜ୍ୟ ଅନ୍ତରୀକ୍ଷ ପ୍ରୟୋଗକେନ୍ଦ୍ର (ଓରସାକ) ର ବରିଷ୍ଠ ବୈଜ୍ଞାନିକ ଏବଂ ରାଜସ୍ୱ ଓ  ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Back to top button