ରାଜ୍ୟ

୩୯ତମ ପୂର୍ବାଞ୍ଚଳ ଆନ୍ତଃ-ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ‘ୟୁନିଫେଷ୍ଟ–୨୦୨୫–୨୬’ ଆୟୋଜନ କରିବ ଫକୀରମୋହନ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର -: ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ, ନୂଆଦିଲ୍ଲୀଙ୍କ ସହଯୋଗରେ ୩୯ତମ ପୂର୍ବାଞ୍ଚଳ ଆନ୍ତଃ-ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ‘ୟୁନିଫେଷ୍ଟ–୨୦୨୫–୨୬’ ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସମାପ୍ତ କରିଛି। ‘ଉତ୍ସାହ–୨୦୨୬’ ଥିମ୍‌ରେ ଆୟୋଜିତ ଏହି ପାଞ୍ଚଦିନିଆ ରାଷ୍ଟ୍ରୀୟ ସ୍ତରର ଯୁବ ସାଂସ୍କୃତିକ ମହୋତ୍ସବ ଆସନ୍ତା ୨୭ ଜାନୁଆରୀରୁ ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ବ୍ୟାସବିହାର ପରିସରରେ ଅନୁଷ୍ଠିତ ହେବ।
‘ଉତ୍ସାହ–୨୦୨୬’ ଯୁବ ଉତ୍ସାହ, ସୃଜନଶୀଳତା, ନବୀନତା ଓ ସଜୀବ ଯୁବଶକ୍ତିର ପ୍ରତୀକ। ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ହେଲା ବିଶ୍ୱବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କର ସାଂସ୍କୃତିକ ଓ କଳାତ୍ମକ ପ୍ରତିଭାକୁ ଜାତୀୟ ମଞ୍ଚରେ ପ୍ରଦର୍ଶନ କରିବା ସହିତ ବିଭିନ୍ନ ବିଶ୍ୱବିଦ୍ୟାଳୟ ମଧ୍ୟରେ ସହଯୋଗ, ସମନ୍ୱୟ ଓ ଜାତୀୟ ଏକତାକୁ ସୁଦୃଢ଼ କରିବା।
ଓଡ଼ିଶା, ବିହାର, ଛତିଶଗଡ଼ ଓ ପଶ୍ଚିମବଙ୍ଗ — ଏହି ଚାରିଟି ପୂର୍ବାଞ୍ଚଳ ରାଜ୍ୟର ୨୦ଟି ବିଶ୍ୱବିଦ୍ୟାଳୟ ଏହି ମହୋତ୍ସବରେ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୬୦ଜଣ ଛାତ୍ରଛାତ୍ରୀ ଓ ଦଳନାୟକ ଯୋଗଦେଇ ଏହାକୁ ପୂର୍ବାଞ୍ଚଳର ଯୁବ ପ୍ରତିଭାମାନଙ୍କର ଏକ ବୃହତ୍ ସାଂସ୍କୃତିକ ସମାବେଶରେ ପରିଣତ କରିବେ।
ଏହି ଯୁବ ମହୋତ୍ସବରେ ସଙ୍ଗୀତ, ନୃତ୍ୟ, ନାଟକ, ସାହିତ୍ୟ, ସୂକ୍ଷ୍ମ କଳା ସହିତ ସମ୍ପୃକ୍ତ ସୃଜନାତ୍ମକ ବିଭାଗରେ ମୋଟ ୬ଟି ବିଭାଗ ଅଧୀନରେ ୨୮ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ।
ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପ୍ରମୁଖ ଯୁବ ମହୋତ୍ସବ ଭାବେ ‘ୟୁନିଫେଷ୍ଟ’ ସଦା କଳାତ୍ମକ ଉତ୍କୃଷ୍ଟତା, ସୃଜନାତ୍ମକ ଅଭିବ୍ୟକ୍ତି ଓ ବିବିଧତା ମଧ୍ୟରେ ଏକତାକୁ ପ୍ରୋତ୍ସାହନ ଦେଇଆସୁଛି।
ମହୋତ୍ସବର ସୁଚାରୁ ଓ ସଫଳ ଆୟୋଜନ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବାସ, ଆତିଥ୍ୟ, ଯାତାୟାତ, ସୁରକ୍ଷା, କାର୍ଯ୍ୟକ୍ରମ ପରିଚାଳନା ଓ ସମନ୍ୱୟ ସମ୍ପର୍କିତ ସମସ୍ତ ବ୍ୟବସ୍ଥା ନେଇ ବିସ୍ତୃତ ସମୀକ୍ଷା ବୈଠକ ସମ୍ପନ୍ନ ହୋଇଯାଇଛି। ଅଂଶଗ୍ରହଣକାରୀ ବିଶ୍ୱବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ସାରା ପୂର୍ବାଞ୍ଚଳରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳୁଛି।

ବିଶ୍ୱବିଦ୍ୟାଳୟର ସମ୍ମାନୀୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ, କୁଳସଚିବ ଶ୍ରୀମତୀ କୁକୁମୀନା ଦାସ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କ ନେତୃତ୍ୱରେ ଏବଂ ସଂଯୋଜକ ଡ଼କ୍ଟର ନିହାର ରଞ୍ଜନ ରାଉତ, ଆୟୋଜନ ସଚିବ ଡ଼କ୍ଟର ଅସୀମ ଅମିତାଭ ପ୍ରଧାନ, ସାମ୍ବାଦିକତା ଓ ଗଣସଂଯୋଗ ବିଭାଗ ମୁଖ୍ୟ ପ୍ରଫେସର ଭାରତୀ ବାଳା ପଟ୍ଟନାୟକ ଏବଂ ଲୋକସମ୍ପର୍କ ଅଧିକାରୀ ଶର୍ମିଷ୍ଠା ମହାରଣାଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ସମସ୍ତ ସୂଚନା ପ୍ରଦାନ କରାଯାଇଛି।

୩୯ତମ ପୂର୍ବାଞ୍ଚଳ ଆନ୍ତଃ-ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ‘ୟୁନିଫେଷ୍ଟ–୨୦୨୫–୨୬ (ଉତ୍ସାହ)’ ଯୁବ ଶକ୍ତି, ସାଂସ୍କୃତିକ ସମନ୍ୱୟ ଓ ସୃଜନଶୀଳ ଉତ୍କୃଷ୍ଟତାର ଏକ ସ୍ମରଣୀୟ ଐତିହାସିକ ଉତ୍ସବ ଭାବେ ପରିଚିତ ହେବ ବୋଲି ଆଶା ପ୍ରକାଶ କରାଯାଇଛି, ଯାହା ଫକୀରମୋହନ ବିଶ୍ୱବିଦ୍ୟାଳୟଙ୍କୁ ଜାତୀୟ ସ୍ତରରେ ଶିକ୍ଷା ଓ ସାଂସ୍କୃତିକ ନେତୃତ୍ୱର ଏକ ସକ୍ରିୟ କେନ୍ଦ୍ର ଭାବେ ଆହୁରି ସୁଦୃଢ଼ କରିବ।

Leave a Reply

Your email address will not be published. Required fields are marked *

Back to top button