ବିକାଶ ମନ୍ଥନ ୧.୦ : ବିଚାରବିମର୍ଶ ସମ୍ମିଳନୀ ଆରମ୍ଭ

ଭୁବନେଶ୍ୱର :- ଆଜିଠାରୁ ଲୋକସେବା ଭବନସ୍ଥିତ କନ୍ଭେନ୍ସନ ସେଣ୍ଟର ଠାରେ ୨ ଦିନିଆ ‘ବିକାଶ ମନ୍ଥନ’ ୧.୦ ପରାମର୍ଶ ସମ୍ମିଳନୀ ଆରମ୍ଭ ହୋଇଛି । ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଓଡ଼ିଶା ସମନ୍ୱିତ ବିକାଶ କେନ୍ଦ୍ର (ଓସିଆଇଡି) ର ମିଳିତ ସହଯୋଗରେ ଆୟୋଜିତ ‘ବିକାଶ ମନ୍ଥନ ୧.୦ – ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ୍’ କାର୍ଯ୍ୟକ୍ରମରେ “ଅନ୍ତ୍ୟୋଦୟ ଓଡ଼ିଶା” ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟରଠାରେ ଆୟୋଜିତ ଏହି ଅଧିବେଶନରେ ନୀତି ନିର୍ଦ୍ଧାରକ ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ସମାବେଶୀ ତଥା ଜନ–କୈନ୍ଦ୍ରିକ ବିକାଶ ଉପରେ ଆଲୋଚନା କରିଥିଲେ । ‘ବିକଶିତ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ହାସଲ ପାଇଁ ମହିଳା ନେତୃତ୍ୱାଧୀନ ଅଭିବୃଦ୍ଧି, ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଜନଜାତି ସଶକ୍ତିକରଣ ଏବଂ ପୁଷ୍ଟି ନିରାପତ୍ତାକୁ ପ୍ରମୁଖ ମାଧ୍ୟମ ଭାବେ ଏହି ସଭାରେ ଗୁରୁତ୍ୱ ଦିଆଯାଇଥିଲା ।
ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡଃ ସନ୍ତୋଷ ତ୍ରିପାଠୀ ଏହି ଆଲୋଚନା ଚକ୍ର ଅଧିବେଶନକୁ ପରିଚାଳନା କରିଥିବାବେଳେ ଜେଏନୟ ର ପୂର୍ବତନ ଡିନ୍ ଡଃ ଅଶ୍ୱିନୀ ମହାପାତ୍ର ସହ–ସଂଯୋଜନା କରିଥିଲେ । ଶେଷ ମୁଣ୍ଡରେ ଥିବା ବ୍ୟକ୍ତିଙ୍କ ପାଖରେ ସେବା ପହଞ୍ଚାଇବା ଏବଂ ବିକାଶର ସମାନ ସୁଯୋଗ ସୃଷ୍ଟି କରିବା ଉପରେ ଏହି ଅଧିବେଶନରେ ଗୁରୁତ୍ୱାରୋପ କରାଯାଇଥିଲା।

ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର–ତଥା–ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ କହିଥିଲେ ଯେ, ‘ସୁଭଦ୍ରା’, ‘ମିଶନ ଶକ୍ତି’ ଏବଂ ‘ଲକ୍ଷପତି ଦିଦି’ ଭଳି ଯୋଜନା ମାଧ୍ୟମରେ ଓଡ଼ିଶାରେ ମହିଳାମାନେ ଆର୍ଥିକ ସ୍ୱାଧୀନତା ଏବଂ ଉଦ୍ୟୋଗୀ ହେବାର ସୁଯୋଗ ପାଉଛନ୍ତି। ‘ସୁଭଦ୍ରା’ ଯୋଜନାରେ ଏକ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେଉଥିବାବେଳେ, ୧୭ ଲକ୍ଷରୁ ଅଧିକ ‘ଲକ୍ଷପତି ଦିଦି’ଙ୍କ ସହ ଓଡ଼ିଶା ଆଜି ସାରା ଦେଶରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶ୍ରୀମତୀ ଅଶ୍ୱସ୍ତି ଏସ୍. ସାର୍ବଜନୀନ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଇ ‘ସୁସ୍ଥ ଓଡ଼ିଶା ଭିଜନ ୨୦୪୭’ ର ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ । ଏଥିରେ ପ୍ରାଥମିକ ସ୍ତରରୁ ତୃତୀୟ ସ୍ତର ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଦୃଢ଼ୀକରଣ, ଚିକିତ୍ସା ଖର୍ଚ୍ଚ ହ୍ରାସ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିବା ସେ ପ୍ରକାଶ କରି ଏହାକୁ ବାସ୍ତବ ରୂପାୟନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ବିଭାଗର ସଚିବ ଶ୍ରୀ ବି. ପରମେଶ୍ୱରନ ଜନଜାତି ବିକାଶ ଉପରେ ଆଲୋକପାତ କରି ଜନଜାତି ସଂପ୍ରଦାୟଙ୍କ ସାମାଜିକ–ଆର୍ଥିକ ସଶକ୍ତିକରଣ ଏବଂ ସେମାନଙ୍କ ସାଂସ୍କୃତିକ ପରିଚୟର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ ସମାଜ ମଙ୍ଗଳ ନିର୍ଦ୍ଦେଶିକା ସୁଶ୍ରୀ ମୋନିଷା ବାନାର୍ଜୀ ପୁଷ୍ଟି ନିରାପତ୍ତା ସଂପର୍କରେ ଉପସ୍ଥାପନ କରି ଓଡ଼ିଶାର ପୁଷ୍ଟି ସାଧନ ଅଭିଯାନ ଯଥା, ‘ପୂର୍ଣ୍ଣ ଆହାର’ ଏବଂ ‘ପଦ ପୁଷ୍ଟି କାର୍ଯ୍ୟକ୍ରମ’ ବିଷୟରେ ସୂଚନା ଦେଇଥିଲେ, ଯାହା ଅବହେଳିତ ଏବଂ ଜନଜାତି ଅଞ୍ଚଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ସୁଧାର ଆଣିପାରିଛି ବୋଲି ସେ ପ୍ରକାଶ କରିଥିଲେ ।
ଏହି ଅଧିବେଶନ ‘ଅନ୍ତ୍ୟୋଦୟ’ ବା ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ବିକାଶ ହିଁ ଓଡ଼ିଶା ଶାସନର ମୂଳମନ୍ତ୍ର ଓ ବିକାଶର ପ୍ରମୁଖ ଲକ୍ଷ୍ୟ ଭାବେ ଉପସ୍ଥାପିତ କରିଥିଲା ।




