‘ଅପରେସନ କବଚ’ରେ ପୁରୀ ପୋଲିସର ବଡ଼ ସଫଳତା; ଆନ୍ତଃରାଜ୍ୟ ସାଇବର ଠକେଇ ଚକ୍ର ଭଙ୍ଗ, ୩ ଗିରଫ

ପୁରୀ: ସାଇବର ଅପରାଧୀମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ କବଚ’ ଅନ୍ତର୍ଗତ ପୁରୀ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ପୁରୀ ସାଇବର ଥାନା ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟକୁ ଭଙ୍ଗ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ତାମିଲନାଡୁର ଅହମଦ ଟୋପନ, ପଶ୍ଚିମବଙ୍ଗର ଅବଦୁଲ ଆଜିଜ ଶେଖ ଏବଂ ବାଲେଶ୍ୱରର ସୁଶାନ୍ତ କୁମାର ପରିଡ଼ା। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ବାଲେଶ୍ୱରରୁ ପଶ୍ଚିମବଙ୍ଗ ଓ ତାମିଲନାଡୁ ପର୍ଯ୍ୟନ୍ତ ଏହି ସାଇବର ଠକେଇ ଜାଲ ବିସ୍ତାରିତ ଥିଲା।

ଅଭିଯୁକ୍ତମାନେ ଫେକ୍ ସିମ୍ କାର୍ଡ ବ୍ୟବହାର କରି ଓ ଲିମିଟଲେସ୍ କରେଣ୍ଟ ଆକାଉଣ୍ଟ ମାଧ୍ୟମରେ ଠକେଇ କରୁଥିଲେ। ‘Speeding Exim’ ନାମରେ ବେନାମୀ ଆକାଉଣ୍ଟ ଖୋଲି ବ୍ୟବସାୟିକ ସୁଯୋଗ ଦେବା ନାମରେ ଲୋକମାନଙ୍କୁ ପ୍ରାୟ ୧ କୋଟି ଟଙ୍କା ଠକେଇ କରାଯାଇଥିବା ସୂଚନା ମିଳିଛି।
ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ୧୫ଟି ଏଟିଏମ କାର୍ଡ, ୧୫ଟି ସିମ୍ କାର୍ଡ, ୬ଟି ମୋବାଇଲ ଫୋନ୍ ଏବଂ ୭ଟି ଚେକ ବୁକ୍ ଜବତ କରିଛି। ଏହି ରାକେଟରେ ଆହୁରି କିଛି ବ୍ୟକ୍ତି ଜଡିତ ଥିବା ସନ୍ଦେହ ରହିଥିବାରୁ ପୋଲିସ ତଦନ୍ତ ଜାରି ରଖିଛି।
ଏନେଇ ପୁରୀ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ସାଇବର ଅପରାଧ ଦମନ ପାଇଁ ଏପରି ଅଭିଯାନ ଆଗାମୀ ଦିନରେ ଆହୁରି କଢ଼ା କରାଯିବ।




