ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ପୁରୀ :- ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି ଜାରି କରିଛନ୍ତି। ଏହି ପର୍ଯ୍ୟାୟରେ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀଙ୍କ ଖାତାକୁ ୫୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଜମା କରାଯାଇଛି। ସମୁଦାୟ ୫୧୦୬ କୋଟି ୩୩ ଲକ୍ଷ ୨୫ ହଜାର ଟଙ୍କା ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।
ଏହି ଯୋଜନାରେ ପୁରୀ ଜିଲ୍ଲାର ୪ ଲକ୍ଷ ୨୦ ହଜାର ୮୫୪ ଜଣ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି।
କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାମାନଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାତ୍ର ଦେଢ଼ ବର୍ଷ ମଧ୍ୟରେ ‘ସୁଭଦ୍ରା’ ଯୋଜନା ମହିଳା ସଶକ୍ତିକରଣରେ ନୂତନ ପରିବର୍ତ୍ତନ ଆଣିଛି। ଏହି ଯୋଜନା ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେଇ ସ୍ୱତନ୍ତ୍ର ପରିଚୟ ଦେଇଛି ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନୁଗୁଳ, ବଲାଙ୍ଗୀର, ବରଗଡ଼, ଭଦ୍ରକ ଓ କଟକ ସହିତ ଅନେକ ଜିଲ୍ଲାର ମହିଳାମାନେ ସୁଭଦ୍ରା ସହାୟତାକୁ ବ୍ୟବହାର କରି ଛତୁ ଚାଷ, କୁକୁଡ଼ା ପାଳନ, ବାଉଁଶ ବ୍ୟବସାୟ ଓ ଅନ୍ୟାନ୍ୟ ଛୋଟ ବ୍ୟବସାୟ ଆରମ୍ଭ କରି ସଫଳତା ଲାଭ କରୁଛନ୍ତି।
IIM ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ସୁଭଦ୍ରା ସମୀକ୍ଷା ରିପୋର୍ଟ ମଧ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହି ସର୍ଭେ ଅନୁସାରେ ୨୫.୫୨ ପ୍ରତିଶତ ହିତାଧିକାରୀ ସହାୟତାକୁ ବ୍ୟବସାୟ ଆରମ୍ଭ ପାଇଁ ବ୍ୟବହାର କରିଥିବା ବେଳେ ୩୫.୭ ପ୍ରତିଶତ ମହିଳା ଘରୋଇ ଆବଶ୍ୟକତା ପୂରଣରେ ବ୍ୟବହାର କରିଛନ୍ତି।
ସେ ଆହୁରି କହିଥିଲେ ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହେବ। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଥିବା ବେଳେ ୨୦୪୭ ସୁଦ୍ଧା ୬୦ ଲକ୍ଷ ‘ଲକ୍ଷପତି ଦିଦି’ ଓ ୧୦ ଲକ୍ଷ ‘ମିଲେନିଆର ଦିଦି’ ସୃଷ୍ଟି କରିବା ଲକ୍ଷ୍ୟ ରହିଛି।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ପ୍ରତି ହୋଇଥିବା ଅସମ୍ମାନକୁ ଦୃଢ ନିନ୍ଦା କରି କହିଥିଲେ ଯେ ଏହା କେବଳ ରାଷ୍ଟ୍ରପତିଙ୍କ ପ୍ରତି ନୁହେଁ, ସମଗ୍ର ଦେଶ ଓ ନାରୀ ସମାଜ ପ୍ରତି ଅସମ୍ମାନ।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା, ପୁରୀ ସାଂସଦ ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।




