ନଈରେ ବାସନ ଧୋଇବା ବେଳେ ଭିଡ଼ିନେଲା କୁମ୍ଭୀର, ମହିଳା ଗୁରୁତର

କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର । ଘର ପଛପାଖ ନଈରେ ବାସନ ଧୋଇବା ବେଳେ ଭିଡ଼ିନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ପେଟଛିଲା ପଞ୍ଚାୟତ ଜଙ୍ଗଲ ଘେରି ଗାଁରେ ଦେଖିବାକୁ ମିଳିଛି ଏ ଘଟଣା । ମହିଳା ଜଣକ ଏହି ଗାଁର ରାମ ପାତ୍ରଙ୍କ ପତ୍ନୀ ଛବି ପାତ୍ର ବୋଲି ଜଣାପଡ଼ିଛି । ଛବିଙ୍କ ଚିତ୍କାର ଶୁଣି ପରିବାର ଲୋକ ଘଟଣାସ୍ଥଳକୁ ଦୌଡ଼ିଥିଲେ। ପରେ ସେଠାରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ତେବେ ଯୋଗାଯୋଗ ଅଭାବରୁ ପ୍ରାୟ ଦେଢ଼ କିଲୋମିଟର ତାଙ୍କୁ ଦୋଳା ଭାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ । ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ୍ ନିଆଯାଇଥିଲା ।
ସୂଚନାଯୋଗ୍ୟ, ଗତମାସ ସେହିପରି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଖରସ୍ରୋତା ନଦୀର କୁଜିବର ଘାଟରେ କୁମ୍ଭୀର ଆତଙ୍କ ଦେଖାଦେଇଥିଲା । ଖରସ୍ରୋତାରେ ଜଗିଥିଲା ରକ୍ତମୁଖା କୁମ୍ଭୀର । ଦୁଇ ଦିନରେ ଦୁଇଟି ଅଘଟଣ ଘଟିଥିଲା । ନଦୀକୁ ଯିବାକୁ ବାରଣ କରିଥିଲା ବନ ବିଭାଗ । ବୁଧବାର ନଈକୁ ଗାଧୋଇବାକୁ ଯାଇଥିବା ଜଣେ ଶ୍ରମିକଙ୍କୁ ଆକ୍ରମଣ କରିଥିଲା କୁମ୍ଭୀର । ତେବେ ସେ ଜୀବନ ବଞ୍ଚାଇ ଫେରି ଆସିଥିଲେ ।




