ମନୋରଞ୍ଜନ

ରିଲିଜ ହେଲା ୪୫୦୦ କୋଟି ଟଙ୍କା ବଜେଟର ଫିଲ୍ମ, ନଜର ଆସିବେ ୨୬ ସୁପରହିରୋ

ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ମାର୍ଭେଲ ଷ୍ଟୁଡିଓଜ୍ ତାହାର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଭେଞ୍ଜର୍ସ: ଡୁମ୍ସଡେର ଦମଦାର ଟ୍ରେଲର ରିଲିଜ କରିଛି । ପ୍ରାୟ ୪୫୦୦ କୋଟି ଟଙ୍କା ବଜେଟର ନିର୍ମିତ ଏହି ଫିଲ୍ମରେ ୨୬ ଜଣ ସୁପରହିରୋ ଏକାଠି ନଜର ଆସିବେ । ମାର୍ଭେଲ ସିନେମାଟିକ୍ ୟୁନିଭର୍ସ (MCU)ର ସମସ୍ତ ପାୱାରଫୁଲ ସୁପରହିରୋ ଜଣେ ମହାଖଳନାୟକଙ୍କ ସହ ଏକାଠି ମିଶି ମୁକାବିଲା କରୁଥିବାର ଏହି ଟ୍ରେଲରରେ ଦେଖିବାକୁ ମିଳିଛି ।

ଏଥର MCUରେ ବଡ଼ ବଡ଼ କ୍ରସଓଭର ଦେଖିବାକୁ ମିଳିବ ବୋଲି ଟ୍ରେଲରରୁ ସ୍ପଷ୍ଟ ହୋଇଛି । ଏଥର, କ୍ୟାପଟେନ୍ ଆମେରିକା, ବ୍ଲାକ୍ ପାନ୍ଥର, ଫ୍ୟାଣ୍ଟାଷ୍ଟିକ୍ ଫୋର ଏବଂ ଏକ୍ସ-ମେନର ଲୋକପ୍ରିୟ ଚରିତ୍ରମାନେ ଏକାଠି ହୋଇ ଇତିହାସର ସବୁଠାରୁ ବଡ଼ ଯୁଦ୍ଧରେ ସାମିଲ ହେବେ । ରବର୍ଟ ଡାଉନି ଜୁନିୟରଙ୍କର MCUକୁ ପ୍ରତ୍ୟାବର୍ତ୍ତନ ହେଉଛି ଏହି ଫିଲ୍ମର ସବୁଠାରୁ ବଡ଼ ଆକର୍ଷଣ । ତେବେ ଏଥର ସେ ଆଇରନ୍ ମ୍ୟାନ୍ ଭୂମିକାରେ ନୁହେଁ, ବରଂ ମାର୍ଭେଲର ସବୁଠାରୁ ଭୟଙ୍କର ଖଳନାୟକ ଡକ୍ଟର ଡୁମ୍ ଭୂମିକାରେ ନଜର ଆସିବେ । ତାଙ୍କର ଏହି ନୂଆ ଅବତାର MCU ଇତିହାସର ସବୁଠାରୁ ବଡ଼ ସଂଘର୍ଷର ଆରମ୍ଭ କରିବ ବୋଲି ଟ୍ରେଲରରୁ ଜଣାପଡିଛି ।

ଆଭେଞ୍ଜର୍ସ: ଇନଫିନିଟି ୱାର୍ ଓ  ଆଭେଞ୍ଜର୍ସ: ଏଣ୍ଡଗେମ୍ ଭଳି ବ୍ଲକବଷ୍ଟର ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଆନ୍ଥୋନି ରୁସୋ ଓ ଜୋ ରୁସୋ ପୁଣିଥରେ ଏହି ମେଗା ପ୍ରୋଜେକ୍ଟର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ସେମାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ହଲିଉଡ୍ ଇତିହାସର ସବୁଠାରୁ ବଡ଼ ସିନେମାଟିକ୍ ଇଭେଣ୍ଟ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ଫିଲ୍ମରେ କ୍ୟାପଟେନ୍ ଆମେରିକା ଓ ଥର ପୁଣିଥରେ ଏକାଠି ନଜର ଆସିବେ । ଏହା ସହିତ ଏକ୍ସ-ମେନ୍ ଫ୍ରାଞ୍ଚାଇଜ୍‌ର ଲୋକପ୍ରିୟ ଚରିତ୍ରମାନେ ମଧ୍ୟ ଏହି ମହାଯୁଦ୍ଧରେ ସାମିଲ ହୋଇଥିବା ନଜର ଆସିବେ । ଆଭେଞ୍ଜର୍ସ: ଡୁମ୍ସଡେ ଆସନ୍ତା ୧୮ ଡିସେମ୍ବରରେ ଇଂରାଜୀ, ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ସାରା ବିଶ୍ୱର ସିନେମା ହଲରେ ରିଲିଜ କରିବ ।

Leave a Reply

Your email address will not be published. Required fields are marked *

Back to top button