ମନୋରଞ୍ଜନ

Indian Idol : ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ସହ ଓଡ଼ିଶା ଫେରିଲେ ଜ୍ୟୋତିର୍ମୟୀ, କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱାଗତ ପାଇଁ ବ୍ୟବସ୍ଥା

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ସହ ଓଡ଼ିଶା ଫେରିଲେ ଜ୍ୟୋତିର୍ମୟୀ । ଇଣ୍ଡିଆନ୍ ଆଇଡଲ୍ ସିଜନ-୧୬ର ବିଜେତା ତଥା ଓଡ଼ିଶାର ଗର୍ବ ଓ କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଜ୍ୟୋତିର୍ମୟୀ ନାୟକ ଆଜି ଭୁବନେଶ୍ବରରେ ପହଁଚିଛନ୍ତି । ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ର ଟ୍ରଫି ଜିତି ସେ ଓଡ଼ିଶାର ନାଁକୁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରିଛନ୍ତି। ଦୀର୍ଘ ଯାତ୍ରା, କଠିନ ପ୍ରତିଯୋଗିତା ଓ ନିଜର ମଧୁର କଣ୍ଠ ସ୍ୱର ବଳରେ ସେ ଇଣ୍ଡିଆନ୍ ଆଇଡଲ୍-୧୬ର ବିଜେତା ମୁକୁଟ ହାସଲ କରିଛନ୍ତି। ତାଙ୍କ ଆଗମନକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି । କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ବିମାନବନ୍ଦରରୁ ବାଇକ୍ ରାଲି ମାଧ୍ୟମରେ ତାଙ୍କୁ କିଟ୍ ପରିସରକୁ ନିଆଯିବ । ସେଠାରେ ଗ୍ରାଣ୍ଡ ୱେଲକମ୍ ସହ ସନ୍ଧ୍ୟାରେ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ ରହିଛି । ଜ୍ୟୋତିର୍ମୟୀଙ୍କ ଏହି ସଫଳତାକୁ ନେଇ ସାରା ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଥିବା ବେଳେ, ତାଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ଶୁଭେଚ୍ଛୁ, ପ୍ରଶଂସକ ଓ ସଙ୍ଗୀତପ୍ରେମୀଙ୍କ ଭିଡ଼ ଜମିଛି। ଓଡ଼ିଆ ଝିଅର ଏହି ସଫଳତା ରାଜ୍ୟର ଯୁବ ପ୍ରତିଭାମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

ଜ୍ୟୋତିର୍ମୟୀ ଦୀର୍ଘ ୧୦ ମାସ ଧରି ଚାଲିଥିବା ‘ୟାଦୋଁ କି ପ୍ଲେଲିଷ୍ଟ’ ଥିମ୍‌ର ଏହି ସିଜନ୍‌ରେ ନିଜର ଅସାଧାରଣ ସଙ୍ଗୀତ ପ୍ରତିଭା, ପରିଶ୍ରମ ଓ ନିଷ୍ଠାର ପରିଚୟ ଦେଇ ଗ୍ରାଣ୍ଡ ଫିନାଲେରେ ବିଜୟୀ ହୋଇଥିଲେ। ଗ୍ରାଣ୍ଡ ଫିନାଲେରେ ଜ୍ୟୋତିର୍ମୟୀ “ସୈୟାଁ ଓ ସୈୟାଁ” ଗୀତ ପରିବେଷଣ କରି ବିଚାରକ ଏବଂ ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ପ୍ରତିଯୋଗିତାର ପ୍ରତ୍ୟେକ ପର୍ଯ୍ୟାୟରେ ତାଙ୍କର ନିଖୁଣ ସ୍ୱର, ଭାବପୂର୍ଣ୍ଣ ଉପସ୍ଥାପନା ଓ ଆତ୍ମବିଶ୍ୱାସ ତାଙ୍କୁ ବିଜୟର ମୁକୁଟ ପିନ୍ଧାଇଥିଲା।

ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସ-ଅପ୍ ହୋଇଥିବା ବେଳେ, ସମଗ୍ର ସିଜନ୍‌ର ବିଚାରକ ଭାବେ ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟିକା ଶ୍ରେୟା ଘୋଷାଲ, ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ବିଶାଳ ଦଦଲାନୀ ଓ ରାପର-ଗାୟକ ବାଦଶାହ ଦାୟିତ୍ୱ ତୁଲାଇଥିଲେ। ବିଚାରକମାନେ ଜ୍ୟୋତିର୍ମୟୀଙ୍କ ପ୍ରତିଭା, ସଙ୍ଗୀତ ପ୍ରତି ସମର୍ପଣ ଓ ଧାରାବାହିକ ଉତ୍କର୍ଷର ଭୂୟସୀ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *

Back to top button