ରାଜ୍ୟ

Flooding: ଲଗାଣ ବର୍ଷାରେ ଭାଙ୍ଗିଲା ୪୦ ଘର, ବିଭିନ୍ନ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷାରେ ୪୦ ଘର ଭାଙ୍ଗିଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ଲଗାଣ ବର୍ଷାର ତାଣ୍ଡବ। ଗୋପାଳପୁର ପଞ୍ଚାୟତର ହଳଦିବାହାଲ ଗାଁରେ ପ୍ରବଳ ବର୍ଷାରେ ୪୦ଟି ପରିବାରଙ୍କ ଘର କ୍ଷତିଗ୍ରସ୍ତ । ସେମାନେ ଏବେ ବାସହରା ହୋଇପଡ଼ିଛନ୍ତି । କିଛି ଲୋକ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଖବର ପାଇ ବିଡିଓ ରୀନା ନାଏକ, ତହସିଲଦାର ସାରିକାରାଣୀ ଧମେଲ ଓ ସରପଞ୍ଚ ପୁରବୀ ନାଏକ ଘଟଣାସ୍ଥଳ ପରିଦର୍ଶନ କରି ବିପନ୍ନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟ ଓ ରନ୍ଧାଖାଦ୍ୟର ବ୍ୟବସ୍ଥା କରିଛନ୍ତି। ଏପଟେ ଲଗାଣ ବର୍ଷାରେ ବିଦ୍ୟୁତ୍ ଓ ମୋବାଇଲ ନେଟୱର୍କ ମଧ୍ୟ ବ୍ୟାହତ ହୋଇଥିବା ବେଳେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ।

ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗାଁ ଜଳମଗ୍ନ ହୋଇଛି । ଗାଇନ୍ଦିମାଲ–ଭାଲୁକୁନା ସଂଯୋଗକାରୀ ରାସ୍ତା ଏବଂ ପୋଲ ଧୋଇଯାଇଛି। ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେହିପରି ମାଲପଡା ଗାଁ ପୋଲ ଭାସିଯାଇଥିବାରୁ ରାସ୍ତା ଉପରେ ପାଣି ଚାଲୁଛି। ପୋଲ ଉପରେ ପ୍ରାୟ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।

ସେହିପରି ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର । ବିରାଟ କାୟ ଗଛ ଭାଙ୍ଗି ରାସ୍ତା ଅବରୋଧ। ସୋନପୁର ସହରର ୧୨ନମ୍ବର ୱାର୍ଡର ଅବସ୍ଥା ଶୋଚନୀୟ। ବର୍ଷା ଯୋଗୁଁ ଅନେକ ମାତ୍ରାରେ ଚାଷ ଜମି ମଧ୍ୟ ନଷ୍ଟ ହୋଇଛି l ମହଦା ଗାଁ ର ରାସ୍ତା ଉପରେ ବିରାଟକାୟ ଗଛ ପଡି ଯିବାରୁ ସୋନପୁର ବୀରମହାରାଜପୁର ରାସ୍ତା ଦେଇ ଯାଉଥିବା ଗାଡି ଚଳାଚଳ ବନ୍ଦ ରହିଛି l ସୋନପୁର ଆସିବାକୁ ହେଲେ ୧୦କିଲୋମିଟର ରାସ୍ତା ବୁଲି ଆସିବାକୁ ପଡୁଛି ।

ଆଠମଲ୍ଲିକ ବଇଣ୍ଡା ରାଜ୍ୟ ରାଜପଥର ଧଣ୍ଡାତୋପା ନିକଟରେ ଯାଇଥିବା ବାଇପାସରେ ଜମି ରହିଛି ବର୍ଷା ପାଣି । ମଧ୍ୟରାତ୍ରରୁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉଭୟ ପାର୍ଶ୍ଵରେ ଯାନ ବାହାନ ଅଟକି ରହିଛି । ଆଠମଲ୍ଲିକରୁ କୌଣସି ଯାତ୍ରୀବାହୀ ବସ୍ ବଇଣ୍ଡା ଅନୁଗୋଳ ଆଡ଼କୁ ଯାଇପାରୁନାହିଁ। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହି ପୂର୍ତ୍ତ ରାସ୍ତାରେ ହାତୀ ଚଲାପଥ ପାଇଁ ଦୁଇଟି ଗଳା ବାଟ ଗତ ତିନି ବର୍ଷ ଧରି ନିର୍ମାଣଧିନ ରହିଛି । ଯାତାୟାତ ପାଇଁ ପ୍ରାୟ ୨୦୦ ମିଟର ଅସ୍ଥାୟୀ ବାଇପାସ ରାସ୍ତା ରହିଥିଲେ ମଧ୍ୟ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପରିଚାଳନା ହେଉନଥିବାରୁ ଯାନ ବାହାନ ଗୁଡ଼ିକ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛି। ବର୍ଷା ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ହେଇ ନଥିବାରୁ ୩ରୁ ୪ ଫୁଟ ପାଣି ଜମି ରହିଛି ।

Leave a Reply

Your email address will not be published. Required fields are marked *

Back to top button