Panneerselvam : ଷ୍ଟାଲିନଙ୍କ ଉପରେ ଅସନ୍ତୋଷ ପନ୍ନିରସେଲ୍ଭମ, TVKରେ ହୋଇପାରନ୍ତି ସାମିଲ

ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଓ. ପନ୍ନିରସେଲ୍ଭମ ଡିଏମକେ ଠାରୁ ଅସନ୍ତୋଷ ରହିଛନ୍ତି । ଷ୍ଟାଲିନଙ୍କ ଠାରୁ ତାଙ୍କୁ ଡିଏମକେରେ କୌଣସି ବଡ଼ ଦାୟିତ୍ବ ମିଳିନାହିଁ ବୋଲି ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପନ୍ନିରସେଲ୍ଭମ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପୂର୍ବରୁ ନିଜ ପୁଅ ସହିତ ଡିଏମକେରେ ସାମିଲ ହୋଇଥିଲେ । କିନ୍ତୁ ଏଯାଏଁ ତାଙ୍କୁ କିମ୍ବା ତାଙ୍କ ପୁଅକୁ ପାର୍ଟି ତରଫରୁ କୌଣସି ଦାୟିତ୍ବ ଦିଆଯାଇନାହିଁ ।
ପନ୍ନିରସେଲ୍ଭମ ନିଜ ଅଞ୍ଚଳର ଦାୟିତ୍ବ ନେବାକୁ ଚାହୁଁଛନ୍ତି । ଚଳିତ ନିର୍ବାଚନରେ ମଧ୍ୟ ଧେନୀ ସିଟରୁ ବିଧାୟକ ପଦ ଜିତିଥିଲେ । ସେ ଚାହୁଁଥିଲେ ଥେନୀ ଲୋକସଭା କ୍ଷେତ୍ରରେ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ମିଳୁ, କିନ୍ତୁ ସେଠାରେ ଡିଏମକେ ସାଂସଦ ଥଙ୍ଗା ତାମିଲ ସେଲଭମଙ୍କ ଦବାଦବା ଦେଖି ଷ୍ଟାଲିନ ଏଭଳି କିଛି କରିନଥିଲେ ।
ସୂତ୍ର ଅନୁଯାୟୀ, ଏହି କାରଣ ଯୋଗୁଁ ପନ୍ନିରସେଲ୍ଭମ ଡିଏମକେରୁ ଅସନ୍ତୋଷ ରହିଛନ୍ତି । ନିଜ ପୁଅ ଓପି ରବିନ୍ଦ୍ରନାଥ ସହିତ ପାର୍ଟି ଛାଡିବାକୁ ଚାହୁଁଛନ୍ତି । ଥାଲାପତି ବିଜୟଙ୍କ ପାର୍ଟି ଟିଭିକେରେ ସାମିଲ ହେବାର ସମ୍ଭାବନା ରହିଛି । ଖୁବଶୀଘ୍ର ଏନେଇ ଘୋଷଣା କରାଯିବ ।
ସୂଚନାଯୋଗ୍ୟ, ଜୟଲଳିତାଙ୍କ ପାର୍ଟି AIADMK ତାମିଲନାଡୁ ଚଳିତବର୍ଷ ବିଧାନସଭା ନିର୍ବାଚନରେ ୩ ନମ୍ବରରେ ରହିଥିଲା । ସେମାନଙ୍କର ୪ ପୂର୍ବ ମନ୍ତ୍ରୀ ଏବଂ ଅନେକ ବିଧାୟକ ପାର୍ଟି ଛାଡି ଟିଭିକେରେ ଯୋଗ ଦେଇଥିଲେ । AIADMKର ମୋଟ ୨୫ ବିଧାୟକ ହ୍ବିପ ଜାରି ହେବା ପରେ ଫ୍ଲୋର ଟେଷ୍ଟ ସମୟରେ ଟିଭିକେକୁ ସପୋର୍ଟ କରିଥିଲେ । ଏହାଛଡା ୩ ବିଧାୟକ ଇସ୍ତଫା ଦେଇ ଟିଭିକେ ଜଏନ କରିଥିଲେ ।
ବିଧାନସଭା ନିର୍ବାଚନରେ ବିଜୟଙ୍କ ପାର୍ଟି ୧୦୮ ସିଟରେ ଜିତିଥିଲା । ଏହାପରେ ଦ୍ବିତୀୟ ନମ୍ବରରେ ଡିଏମକେ ରହି ୫୯ ସିଟରେ ଜିତିଥିଲା। ୩ୟ ସ୍ଥାନରେ AIADMK ୪୭ ସିଟରେ ରହିଥିଲା । ଏହାପରେ କଂଗ୍ରେସ ୫ ଏବଂ ପିଏମକେ ୪, ସିପିଆଇ-ସିପିଏମ୍ ୨-୨ ସିଟ୍ ମିଳିଥିଲା ।




