Shakib Al Hasan house: ଶାକିବ ଅଲ ହାସନଙ୍କ ପୈତୃକ ଘର ଉପରେ ଆକ୍ରମଣ, ପୋଲିସ ତଦନ୍ତ ଜାରି

ବାଂଲାଦେଶରେ ଶାକିବ ଅଲ ହାସନଙ୍କ ପୈତୃକ ଘର ଉପରେ ଆକ୍ରମଣ ହୋଇଛି । ନିଆଁ ଲଗାଇବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି । ବାଂଲାଦେଶର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ଆୱାମୀ ଲିଗ୍ ର ପୂର୍ବତନ ସାଂସଦ ଶାକିବ ଅଲ ହାସନଙ୍କ ମାଗୁରା ଜିଲ୍ଲାସ୍ଥିତ ପୈତୃକ ଘର ଉପରେ ରାତିରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି । ରାତି ପ୍ରାୟ ୮ଟା ୪୫ରୁ ୯ଟା ମଧ୍ୟରେ ଏହି ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଥିଲା ।
ଏହି ଆକ୍ରମଣରେ ଘରକୁ ଟେକାପଥର ମାଡ଼ କରାଯିବା ସହ ଝରକା କାଚ ଭାଙ୍ଗିଦିଆଯାଇଥିଲା। ଏହାସହ ଘରର ମୁଖ୍ୟ ଗେଟ୍ ନିକଟରେ ପେଟ୍ରୋଲ ଢାଳି କିମ୍ବା ପେଟ୍ରୋଲ ବୋମା ଫିଙ୍ଗି ନିଆଁ ଲଗାଇବାକୁ ଉଦ୍ୟମ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ତତ୍ପରତାରେ ନିଆଁକୁ ଶୀଘ୍ର ନିୟନ୍ତ୍ରଣ କରାଯାଇଥିବାରୁ ବଡ଼ ଧରଣର କ୍ଷତିକୁ ରୋକାଯାଇପାରିଥିଲା । ହେଲେ ଘଟଣାରେ କେହି ଆହତ ହୋଇନଥିବା ବେଳେ ଘରଟି ଖାଲି ଥିବା ସୂଚନା ମିଳିଛି । ମାଗୁରା ସଦର ଥାନା ପୁଲିସ ଘର ଭଙ୍ଗାରୁଜା ଓ ନିଆଁ ଲଗାଇବାକୁ ଉଦ୍ୟମକୁ ନିଶ୍ଚିତ କରିଛି । ତେବେ ପେଟ୍ରୋଲ ବୋମା ବ୍ୟବହାର ହୋଇଥିଲା କି ନାହିଁ, ତାହାର ଏବେ ତଦନ୍ତ ଚାଲିଛି ।
ଅନ୍ୟପଟେ ଏହି ଘଟଣା ପରେ ଘର ନିକଟରେ ପୋଲିସ ମୁତୟନ କରାଯାଇଛି ଏବଂ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ ପାଇଁ ତଦନ୍ତ ଜାରି ରହିଛି । ଏହି ଆକ୍ରମଣ ଶେଖ ହାସିନାଙ୍କ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଶାକିବ ଅଲ ହାସନ ଯୋଗଦେବାର କିଛି ଘଣ୍ଟା ପରେ ଘଟିଛି। ଆୱାମୀ ଲିଗ୍ ଏହାକୁ ଯୋଜନାବଦ୍ଧ ଆକ୍ରମଣ ବୋଲି ଅଭିଯୋଗ କରି ଏହାର ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଦାବି କରିଛି । ତେବେ ବାଂଲାଦେଶ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ରାଜନୈତିକ କାରଣକୁ ସ୍ୱୀକାର କରିନାହାନ୍ତି ।



