Indigo Flight Emergency Landing : ଚେନ୍ନାଇ ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଇଂଜିନ ଖରାପ ଥିବା ସୂଚନା

କୋଲକତାରୁ ଚେନ୍ନାଇ ଆସୁଥିବା ଇଣ୍ଡିଗୋର ବିମାନ 6E-723 ର ଜରୁରୀ ଅବତରଣ । ବିମାନ ଅବତରଣର କିଛି ସମୟ ପୂର୍ବରୁ ବାମ ଇଞ୍ଜିନ୍ରେ ସମସ୍ୟା ଦେଖାଦେବାରୁ ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ଘୋଷଣା କରାଯାଇଥିଲା । ବିମାନରେ ମୋଟ ୨୨୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିଲେ । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।
ଚେନ୍ନାଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ବିମାନର ବାମ ଇଞ୍ଜିନ୍ କାର୍ଯ୍ୟକ୍ଷମ ନଥିବା ସମ୍ପର୍କରେ ସୂଚନା ମିଳିବା ପରେ ରାତି ୧୧ଟା ୨୯ ମିନିଟ୍ରେ ଜରୁରୀ ଅବତରଣ ଘୋଷଣା କରାଯାଇଥିଲା । ଜରୁରୀକାଳୀନ ଘୋଷଣା ସୂଚନା ମିଳିବା ପରେ ଏୟାରପୋର୍ଟରେ ଜରୁରୀ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବିମାନଟି ସୁରକ୍ଷିତ ଲ୍ୟାଣ୍ଡିଂ କରିବା ପାଇଁ ଅଗ୍ନିଶମ ଟିମ୍ ସହିତ ଅନ୍ୟ ଜରୁରୀକାଳୀନ ସର୍ଭିସ ପ୍ରସ୍ତୁତ ରହିଥିଲା ।
ବିମାନଟି ରାତି ୧୧ଟା ୩୭ ମିନିଟ୍ରେ ରନୱେ ୨୫ରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ବିମାନରେ ଥିବା ୨୨୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ଅବତରଣ କରିଥିଲେ । ବିମାନଟି ସୁରକ୍ଷିତ ଭାବେ ଅବତରଣ କରିବା ପରେ ଚେନ୍ନାଇ ବିମାନବନ୍ଦରରେ ଘୋଷିତ ଜରୁରୀ ଘୋଷଣାକୁ ରାତି ୧୧ଟା ୪୭ ମିନିଟ୍ରେ ଆନୁଷ୍ଠାନିକ ଭାବେ ହଟାଇ ଦିଆଯାଇଥିଲା । ଏହା ପରେ ବିମାନବନ୍ଦରର ସମସ୍ତ କାର୍ଯ୍ୟକଳାପ ସ୍ୱାଭାବିକ ଭାବେ ଚାଲିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୦୨୬ରେ ବିଶାଖାପାଟନମରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ 6E-579 ରେ ଇଂଜିନ ଖରାପ ଆଶଙ୍କା ରହିଥିଲା । ଏହାପରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଜରୁରୀ ଘୋଷଣା କରାଯାଇଥିଲା




