ବିଜେପିକୁ ବିଜେଡିର କାଉଣ୍ଟର: କହିଲା,ସୁରେଶ ମହାପାତ୍ରଙ୍କୁ ବିରୋଧ ବିଜେପିର ଡରକୁ ପଦାରେ ପକାଇଛି – Sahana Mela

[ad_1]
ଭୁବନେଶ୍ୱର: ପୂର୍ବତନ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁ୍କ୍ତି ଦିଆଯିବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ଅପାରଗ ପ୍ରଶାସକକୁ ସରକାର ପୁରସ୍କୃତ କରିଛନ୍ତି ବୋଲି କହି ବିଜେଡିକୁ ବିଜେପି ସମାଲୋଚନା କରିଥିବାବେଳେ ଏହାର ଜବାବ ଦେଇଛି ବିଜେଡି । ସୁରେଶ ମହାପାତ୍ରଙ୍କୁ ବିରୋଧ ବିଜେପିର ଡରକୁ ପଦାରେ ପକାଇଛି ବୋଲି କହିଛି ବିଜେଡି ।
ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, ଜଣେ ଦକ୍ଷ ଏବଂ କର୍ତ୍ତବ୍ୟନିଷ୍ଠ ଅଧିକାରୀ ସୁରେଶ ମହାପାତ୍ରଙ୍କ ନୂଆ ନିଯୁକ୍ତି ନେଇ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କରିଥିବା ସାମ୍ବାଦିକ ସମ୍ମିଳନୀ ସେମାନଙ୍କ ମନରେ ଥିବା ଡରକୁ ପ୍ରମାଣିତ କରୁଛି । ଖାଲି ଏତିକି ନୁହେଁ ଶ୍ରୀ ପଣ୍ଡା ପରାକ୍ଷରେ କେନ୍ଦ୍ରରେ ଥିବା ନିଜ ଦଳର ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା ସହିତ କାଠଗଡାରେ ଛିଡା କରାଇ ଦେଇଥିବା କହିଛନ୍ତି ଶ୍ରୀମତୀ ସାହୁ ।
ଏଠାରେ ସାମ୍ବାଦିକମାନଙ୍କୁ ଶ୍ରୀମତୀ ସାହୁ କହିଛନ୍ତି, ତଲାବିରା ବିଦ୍ୟୁତ୍ ପ୍ରକଳ୍ପ ନେଇ ବିଜେପି ପ୍ରବକ୍ତା ଉଠାଇଥିବା ପ୍ରସଙ୍ଗ ଅତ୍ୟନ୍ତ ହାସ୍ୟାସ୍ପଦ । ସତ କଥା ହେଲା, ଦେଶର ଅନେକ ରାଜ୍ୟକୁ ଓଡିଶା ବିଜୁଳି ଯୋଗାଉଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡିଶା ଏ ଦିଗରେ ପଦକ୍ଷେପ ନେଇଥାଏ । ଏଥିରେ ଓଡିଶାର ନିଜସ୍ୱ ନିଷ୍ପତ୍ତି କିଛି ନଥାଏ ।
ସେହିଭଳି କେନ୍ଦ୍ର ସରକାରଙ୍କର ଅନୁମୋଦନ କ୍ରମେ ମୁଖ୍ୟ ଶାସନ ସଚିବ ପଦବୀରେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳର ଅବଧି ଦୁଇ ଥର ବୃଦ୍ଧି ହୋଇଥିଲା । ହେଲେ ବିଜେପି ପ୍ରବକ୍ତା ନିଜ ଦଳର ସରକାରକୁ କାଠଗଡାରେ ଆଣି ଠିଆ କରାଇଛନ୍ତି । କେନ୍ଦ୍ରରେ ଥିବା ନିଜ ଦଳର ସରକାର ପ୍ରତି ଅରୁଚିକର ମନ୍ତବ୍ୟ ପ୍ରଦାନ କରିଥିବାରୁ ଏବଂ ଅତୀତର ନିଷ୍ପତ୍ତିକୁ ସମାଲୋଚନା କରି ପ୍ରଶ୍ନ ଚିହ୍ନ ଠିଆ କରିଥିବାରୁ ତୁରନ୍ତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
[ad_2]