ଏମପିରେ ଆପ ନିର୍ବାଚନ ଲଢୁଛି, କିନ୍ତୁ କଂଗ୍ରେସ ପାଇଁ ପ୍ରଚାର କରୁଛି ! – Sahana Mela
[ad_1]
ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ ହେଲେ ମଧ୍ୟ ଆମ ଆଦମୀ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ଛତିଶଗଡ଼ରେ ସବୁ ଶକ୍ତି ଖଟାଇ ଲଢୁଛି।
ଉଭୟ ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ହୁଏ। ତେଣୁ ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ କଂଗ୍ରେସ ବିଜେପିକୁ ଟକ୍କର ଦେଉଥିବା ବେଳେ ଆପର ଏଣ୍ଟ୍ରିକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି।
ସେପଟେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏମପିର ରିବାରେ ଆପ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମେଗା ରୋଡ଼ ଶୋ କରିଛନ୍ତି। ଏହି ଅବସରରେ ମାନ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି।
ମାନଙ୍କ ରୋଡ଼ ଶୋ ରିବା କଲେଜ ଛକ ଠାରୁ ଆରମ୍ଭ ହୋଇ ମୁଖ୍ୟ ବଜାର ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ରିବାରେ ଦଳୀୟ ପ୍ରାର୍ଥୀ ଦୀପକ ସିଂଙ୍କ ପାଇଁ ଭୋଟ ମାଗିଛନ୍ତି ମାନ।
ଲୋକଙ୍କୁ ସମ୍ବୋଧିତ କରି ମାନ ପ୍ରଦେଶର ଜନତା ପରିବର୍ତ୍ତନ ଚାହୁଁଥିବା କହିଛନ୍ତି। ପୂର୍ବ ନିର୍ବାଚନରେ ମଧ୍ୟ ଏମପିର ଜନତା ପରିବର୍ତ୍ତନ ପାଇଁ ଭୋଟ ଦେଇଥିଲେ।
କିନ୍ତୁ ପରିବର୍ତ୍ତନକୁ ଆଉ ଏକ ପରିବର୍ତ୍ତନରେ ପରିବର୍ତିତ କରିଦିଆଗଲା ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି। କଂଗ୍ରେସ ନେତାଙ୍କ ହୃଦୟ ପରିବର୍ତ୍ତନ କରି ସେମାନଙ୍କୁ ନିଜ ଆଡକୁ ନିଆଯିବା ସହ ଲୋକତନ୍ତ୍ରକୁ ହତ୍ୟା କରାଗଲା ବୋଲି ମାନ କହିଛନ୍ତି।
ଏହା କହି ସେ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ନିଜ ସମର୍ଥକ ମାନଙ୍କ ସହ ବିଜେପିକୁ ଯିବା ପରେ ଏମପିରେ କଂଗ୍ରେସ ସରକାର ଭାଙ୍ଗିଥିଲା। ତା ପରେ ବିଜେପି ସରକାର ଗଢିଥିଲା।
ଯେଉଁ ପ୍ରସଙ୍ଗକୁ ନେଇ ଆପ ନେତା ମାନ ବିଜେପିକୁ ଟାର୍ଗେଟ କରିଛନ୍ତି। ପାଞ୍ଚ ବର୍ଷରେ ଥରେ ଲୋକଙ୍କ ପାଖକୁ ଥରେ ସୁଯୋଗ ଆସେ। ଏମପିର ଜନତା ଏହି ଦିନକୁ ଅପେକ୍ଷା କରି ରହିଛନ୍ତି। ନଭେମ୍ବର ୧୭ ତାରିଖରେ ଯେତେବେଳେ ଏମପିର ଜନତା ଭୋଟ ଦେବାକୁ ଯିବେ ସେମାନେ ଦିଲ୍ଲୀ ଓ ପଞ୍ଜାବ ଭଳି ଏମପିରେ ପରିବର୍ତ୍ତନ ଆଣିବେ।
ଏମିତି ପରିବର୍ତ୍ତନ ଆଣିବେ ଯେମିତି ବିଧାୟକଙ୍କ ବିକ୍ରି ହେବା କିମ୍ବା ଆଡେ ସାଡେ ହୃଦୟ ପରିବର୍ତ୍ତନ କରିବାକୁ ଜାଗା ମିଳିବନି ବୋଲି ମାନ କହିଛନ୍ତି।
ଏପରିକି ଏମପିରେ ମାନ ଆପ ନେତା ସଞ୍ଜୟ ସିଂଙ୍କୁ ଗିରଫ କରାଯିବା ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ଯେତେବେଳେ ସାଧାରଣ ଜନତା ସାଥ ଦେଉନାହାନ୍ତି ସେତେବେଳେ ଇଡିର ବ୍ୟବହାର ହେଉଛି ବୋଲି ସେ କହିଛନ୍ତି।
ସଂଜୟଙ୍କ ସହ ମନୀଶ ସିଶୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ କଥା ମଧ୍ୟ ଉଠାଇଛନ୍ତି ମାନ। ଏପରିକି ଏହା ବିରୋଧରେ କଡା ଜବାଵ ଦେବାକୁ ସେ ଏମପିରୁ ବିଜେପିକୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି।
ମଧ୍ୟପ୍ରଦେଶରେ ପ୍ରାର୍ଥୀ ଦେଇ ଆପ ଜୋରଦାର ପ୍ରଚାର କରୁଥିଲେ ମଧ୍ୟ ବିଜେପିକୁ ଟାର୍ଗେଟ କରିବା ଓ କଂଗ୍ରେସକୁ ପରୋକ୍ଷରେ ସାଥ ଦେବା ନେଇ ଚର୍ଚ୍ଚା ହେଉଛି।
[ad_2]