ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ କମଳା ଦାସଙ୍କ ପରଲୋକ – Sahana Mela

[ad_1]
କଟକ : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼.କମଳା ଦାସଙ୍କ ପରଲୋକ I ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ ରେ ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା I ଫୁସଫୁସରେ ସଂକ୍ରମଣ କାରଣରୁ ସେ ଚିକିତ୍ସାଧୀନ ଥିଲେ I ଗତକାଲି ରାତି ୧୨.ମିନିଟରେ ତାଙ୍କର ପରଲୋକ ହୋଇଛି I
ଡ଼.କମଳା ଦାସ ଅଗଷ୍ଟ ୧୬ ତାରିଖ ୧୯୪୫ ମସିହାରେ ବାଲେଶ୍ୱର ଜିଲ୍ଲା ଶଙ୍ଖାରୀ ପଞ୍ଚାୟତ ବାରବାଟିଆ ଗାଁରେ ଜନ୍ମ ଗ୍ରହଣ କରିଥିଲେ I ସେ ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ତିନି ଥରର ବିଧାୟିକା ହୋଇଥିଲେ I ୧୯୯୦ ମସିହାରେ ଡାକ୍ତର କମଳା ଦାସ ଡାକ୍ତର ଚାକିରି ଛାଡ଼ି ଜନତା ଦଳ ଟିକଟରେ ଭୋଗରାଇ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ବିତା କରି ବିଜୟୀ ହୋଇଥିଲେ। ଏହାପରେ ୧୯୯୫ ମସିହାରେ ସେହି ଜନତା ଦଳ ଓ ୨୦୦୦ ମସିହାରେ ବିଜୁ ଜନତା ଦଳ ଟିକଟରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାନସଭାକୁ ହ୍ୟାଟ୍ରିକରେ ନିର୍ବାଚିତ ହେବାରେ ଡାକ୍ତର କମଳା ଦାସ ପ୍ରଥମ ବିଧାୟିକା ଥିଲେ। କେବଳ ବିଧାୟକ ନୁହେଁ ସେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା,ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।କେବଳ ଭୋଗରାଇ କାହିଁକି ବାଲେଶ୍ଵର ଜିଲ୍ଲା ଏପରିକି ସମଗ୍ର ରାଜ୍ୟ ରାଜନୀତିରେ ଜଣେ ନାରୀନେତ୍ରୀ ଭାବେ କମଳା ଦାସଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା।
ଡ଼.କମଳା ଦାସ ଦୀର୍ଘ ଦିନ ହେବ ସେ ଫୁସଫୁସ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଗତ ଦୁଇ ସପ୍ତାହ ତଳେ ସେ ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ଅସୁସ୍ଥ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା। ଏହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକ ସୂଚନା ଦେଇଛନ୍ତି।
ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଭୋଗରାଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ପ୍ରାକ୍ତନ ବିଧାୟିକା ଉମାରାଣୀ ପାତ୍ର, ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର ଗିରି, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଗଣପତି ଗିରି,ବରିଷ୍ଠ ବିଜେଡି ନେତା ରମାକାନ୍ତ କରଣ,ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ରବୀନ୍ଦ୍ର ନାଥ ପ୍ରଧାନ,ଷଡାନନ ଜେନା, ସମାଜସେବୀ ଅନିଲ ପ୍ରଧାନ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।
[ad_2]