ଆଜି କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ୨୬ ଆସନ ପାଇଁ ଚାଲିଛି ଭୋଟ୍ଗ୍ରହଣ

ଶ୍ରୀନଗର:ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନକୁ ଅବାଧ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ନିର୍ବାଚନ କମିଶନ ୩,୫୦୨ଟି ମତଦାନ କେନ୍ଦ୍ର ସ୍ଥାପନ କରିଛନ୍ତି।
ସେଥିରୁ ୧,୦୫୬ଟି ସହରାଞ୍ଚଳରେ ହୋଇଥିବାବେଳେ ୨,୪୪୬ଟି ଗ୍ରାମାଞ୍ଚଳରେ ରହିଛି। ନିର୍ବାଚନ ପରିଚାଳନାରେ ସ୍ବଚ୍ଛତା ପାଇଁ ସବୁ ବୁଥ୍ରେ ଓ୍ବେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଅଧିକ ସଂଖ୍ୟାରେ ଭୋଟର ଯେପରି ବୁଥ୍କୁ ଆସି ମତଦାନ କରିବେ, ସେଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୧୫୭ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର କରାଯାଇଛି। ୨୬ଟି ପିଙ୍କ୍ ବୁଥ୍କୁ ମହିଳାମାନେ ପରିଚାଳନା କରୁଥିବାବେଳେ ଭିନ୍ନକ୍ଷମଙ୍କ ଦ୍ୱାରା ଅନ୍ୟ ୨୬ଟି ବୁଥ୍ ପରିଚାଳିତ ହେବ। ୩୧ଟି ସୀମାନ୍ତ ପୋଲିଂ ଷ୍ଟେଶନ ହୋଇଥିବାବେଳେ ୨୬ଟି ଗ୍ରୀନ୍ ଏବଂ ୨୨ଟି ଅନନ୍ୟ ପୋଲିଂ ଷ୍ଟେଶନ ଖୋଲାଯାଇଛି। ମତଦାନ ସକାଳ ୭ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।