ଅବକ୍ଷୟ ମୁହାଁ ଆମାଜନ
ବ୍ରାସିଲିଆ: ବିଶ୍ବର ସବୁଠାରୁ ବଡ଼ ଜଙ୍ଗଲ ଆମାଜନ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଅମ୍ଳଜାନର ସବୁଠାରୁ ବଡ଼ ଉତ୍ସ ପାଲଟି ଥିବା ଏହି ଜଙ୍ଗଲରେ ଅବାଧ ଗଛ କଟା ଚାଲିଛି। ଗତ ୪ ଦଶନ୍ଧି ମଧ୍ୟରେ ଏହି ଜଙ୍ଗଲ ଜର୍ମାନୀ ଏବଂ ଫ୍ରାନ୍ସ ଆକାରର କ୍ଷେତ୍ରଫଳ ହରାଇ ଦେଇଛି। ଏକ ଅଧ୍ୟୟନରୁ ଏହି ସୂଚନା ମିଳିଛି। ପୃଥିବୀର ଜଳବାୟୁ ସନ୍ତୁଳନ ବଜାୟ ରଖିବା ଏବଂ ବିଶ୍ବ ତାପାୟନ ବିରୋଧୀ ଲଢ଼େଇରେ ଆମାଜନ ପ୍ରମୁଖ ଭୂମିକା ଗ୍ରହଣ କରିଛି।
୯ ଦେଶକୁ ବ୍ୟାପିଥିବା ଏହି ଜଙ୍ଗଲକୁ ପୃଥିବୀର ଫୁସ୍ଫୁସ୍ କୁହଯାଏ। କାରଣ ଦୁନିଆକୁ ମିଳୁଥିବା ମୋଟ ଅମ୍ଳଜାନରୁ ଏହା ୨୦ ପ୍ରତିଶତ ପ୍ରଦାନ କରିଥାଏ। ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରକ ଅଙ୍ଗରାକାମ୍ଳକୁ ଆମାଜନ ଜଙ୍ଗଲ ଶୋଷି ନେଇଥାଏ। ମାତ୍ର ଲୋଭି ମନୁଷ୍ୟ ଏବେ ନିଜର ଫୁସ୍ଫୁସ୍କୁ ନଷ୍ଟ କରିବାରେ ଲାଗିଛି।
ସୋମବାର ଜାରି ରିପୋର୍ଟ ଅନୁଯାୟୀ ଖଣି ଏବଂ କୃଷି ପାଇଁ ଜଙ୍ଗଲ କଟା ଚାଲିଛି। ଏଥିଯୋଗୁଁ ୧୯୮୫ରୁ ୨୦୨୩ ମଧ୍ୟରେ ଆମାଜନ ୧୨.୫ ପ୍ରତିଶତ କ୍ଷେତ୍ରଫଳ ହରାଇଲାଣି। ଜଙ୍ଗଲ ନଷ୍ଟ ଯୋଗୁଁ ପୃଥିବୀ ଉପରେ ଗୁରୁତର ପ୍ରଭାବ ପଡ଼ିବ। ଅଧିକ ଅଙ୍ଗାରକାମ୍ଳ ସୃଷ୍ଟି ହେବାରୁ ପାଣିପାଗ ବଦଳି ଯିବ।