ବିଜେପି ଭୋଟ ହାତେଇବା ପାଇଁ ମହିଳାଙ୍କୁ ପ୍ରତିଶୃତି ଦେଇଥିଲା, ଏବେ ପ୍ରତାରିତ କରିଛି : ପ୍ରମିଳା ମଲ୍ଲିକ

ଭୁବନେଶ୍ବର : ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ସହାୟତା ଦିଆଯିବ। ନିର୍ବାଚନ ପୂର୍ବରୁ ବିଜେପିର ଘୋଷଣାପତ୍ରରେ ଏହା ପ୍ରକାଶିତ ହୋଇଥିଲା। ବିଜେପିର ଜାତୀୟ ଓ ରାଜ୍ୟ ନେତାମାନେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସମାବେଶରେ ଏହା ଘୋଷଣା କରିଥିଲେ। ରାଜ୍ୟରେ ସରକାର ଗଠନର ପ୍ରଥମ ଦିନ ଅର୍ଥାତ୍ ଜୁନ୍ ୧୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହାପରେ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ରାଜଧାନୀରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇ ମହିଳାମାନଙ୍କୁ ସୁଭଦ୍ରା ଭାଉଚର ବଣ୍ଟନ କରାଯିବ ବୋଲି ମଧ୍ୟ ସରକାର ଘୋଷଣା କଲେ। ଆଉ ଏହାପରେ ବଜେଟ୍ରେ ଏହି ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହେବା ପରେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଆଜି ଏହି ଯୋଜନାର ଏସଓପି ଆସିବା ପରେ ବିଜେପିର ପ୍ରତାରଣା ସ୍ପଷ୍ଟ ଭାବେ ଜଣାପଡିଯାଇଛି। ଯାହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାରଙ୍କ ଉପରେ ବର୍ଷିଛନ୍ତି।
ବିଜେପି ଭୋଟ ହାତେଇବା ପାଇଁ ପ୍ରତିଶୃତି ଦେଇଥିଲା, ଆଉ ଏବେ ପ୍ରତାରିତ କରିଛି। ବିଜେପି ନିର୍ବାଚନ ପ୍ରତିଶୃତି ଦେଇଥିଲା, ପ୍ରତ୍ୟେକ ମହିଳାଙ୍କୁ ପଚାଶ ହଜାର ଟଙ୍କା ଦେବେ କିନ୍ତୁ ଏସଓପି ଅନୁଯାୟୀ ବହୁତ ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ । ଏକ କୋଟି ମହିଳାଙ୍କ ପାଇଁ ବଜେଟରେ ବ୍ୟବସ୍ତା ନାହିଁ । ଯେଉଁ ନିୟମ କରିଛନ୍ତି, ସେଥିରେ ବହୁ ମହିଳା ବାଦ ପଡିବେ । ଆସନ୍ତା ବର୍ଷ ସେମାନଙ୍କ ମହିଳା ଦିବସ ମନେ ରହିବ କି ନାହିଁ ସନ୍ଦେହ । ପାଞ୍ଚ ହଜାର ଟଙ୍କାରେ ଜଣେ ମହିଳା କଣ କରିବ । ମହିଳା ସ୍ୱାବଲମ୍ବୀ ହୋଇପାରିବେ ନାହିଁ । ସୁଭଦ୍ରା ଯୋଜନାର ଏସଓପି ଆସିବା ପରେ ମହିଳାଙ୍କ ଆଶା ମଉଳି ଯାଇଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।
ଅନ୍ୟପଟେ ବିଜେପିର ପ୍ରମୁଖ ୨୧ ସଙ୍କଳ୍ପ ମଧ୍ୟରୁ କ୍ରମାଙ୍କ ୩ରେ ସ୍ଥାନ ପାଇଥିବା ସୁଭଦ୍ରା ଯୋଜନା ଥିଲା ଅନ୍ୟତମ। ଏଥିରେ ପ୍ରତ୍ୟେକ ମହିଳାଙ୍କୁ ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରିବା ନିମନ୍ତେ ୫୦ ହଜାର ଟଙ୍କାର ନଗଦ ଭାଉଚର ଦିଆଯିବା କଥା କୁହାଯାଇଥିଲା। ମାତ୍ର ଆଜି ଆସିଥିବା ଏସଓପିରେ କୁହାଯାଇଛି ଯେ ବର୍ଷକୁ ୧୦ ହଜାର ମିଳିବ। ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଆଉଣ୍ଟକୁ ଯିବ ୫ ହଜାର ଲେଖାଏଁ ଟଙ୍କା। ଏପରି ବର୍ଷକୁ ୧୦ ହଜାର କରି ୫ ବର୍ଷରେ ମହିଳାଙ୍କ ଆକାଉଣ୍ଟକୁ ମୋଟ ୫୦ ହଜାର ଟଙ୍କା ଯିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ବୋଲି ବିଜେପି ଘୋଷଣା କରିଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ସମାବେଶରେ ଦଳୀୟ ନେତାମାନେ ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ସୁଭଦ୍ରା ସହାୟତା ମିଳିବ ବୋଲି କହିଥିଲେ। ମାତ୍ର ସରକାର ଗଠନ ପରେ ବଜେଟ୍ ବ୍ୟୟ ଓ ଆଜି ଆସିଥିବା ଏହି ଯୋଜନାର ଏସଓପିରୁ ଜଣାପଡିଯାଇଛି ଯେ ଯୋଜନାରୁ ରାଜ୍ୟର ଚାରି ପଞ୍ଚମାଂଶ ମହିଳା ବଞ୍ଚିତ ହେବା ଆପାତତଃ ସ୍ପଷ୍ଟ ହୋଇଯାଇଛି।