ହାଇଦ୍ରାବାଦ ଓ ମୁମ୍ବାଇକୁ ବିମାନସେବା କେବେ? ନିଷ୍ପତ୍ତି ଅପେକ୍ଷାରେ ଇଣ୍ଡିଗୋର ବିମାନସେବା

ଝାରସୁଗୁଡ଼ା,୨୯/୦୯: ଝାରସୁଗୁଡ଼ାରୁ ବିମାନସେବା ସଂପ୍ରସାରିତ ହେଉନାହିଁ । ନୂତନ ସେକ୍ଟର୍ରେ ବିମାନ ଚଳାଚଳକୁ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ ଏବଂ ଭୁବନେଶ୍ୱର ଆଦି ଚାରିଟି ସେକ୍ଟର୍ରେ ବିମାନ ଚଳାଚଳ କରୁଥିବା ବେଳେ ହାଇଦ୍ରାବାଦ ଏବଂ ମୁମ୍ବାଇକୁ ବିମାନସେବା ପୁନଃ ଆରମ୍ଭ କରିବା ସମ୍ଭବ ହୋଇନାହିଁ ।
ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ହାଇଦ୍ରାବାଦ ଏବଂ ମୁମ୍ବାଇ ସେକ୍ଟର୍ରେ ବିମାନ ଚଳାଚଳ କରିବା ଲାଗି ଇଚ୍ଛୁକ ଥିଲେ ବି ଏଯାଏଁ କୌଣସି ସଂକେତ ମିଳିନାହିଁ । ଇଣ୍ଡିଗୋ ପକ୍ଷରୁ ନେଟୱାର୍କ ପ୍ଲାନିଂ ଟିମ୍ ଫାଇଲ କାର୍ଯ୍ୟ ଆଗକୁ ବଢ଼ାଇଥିଲେ ବି ନିଷ୍ପତ୍ତି ଅପେକ୍ଷାରେ ରହିଛି । ଝାରସୁଗୁଡ଼ାରେ ପ୍ରତିଷ୍ଠିତ ରାଜ୍ୟର ଏହି ଦ୍ୱିତୀୟ ବିମାନବନ୍ଦରରୁ ବିମାନସେବା ସଂପ୍ରସାରଣ ଲାଗି ସମସ୍ତ ପ୍ରକାର ଅନୁକୂଳ ଅବସ୍ଥା ଥିବା ସତ୍ତେ୍ୱ ଏହି ବିମାନବନ୍ଦର ପ୍ରତି ଅବହେଳା ଅସନ୍ତୋଷ ବୃଦ୍ଧି କରୁଛି ।
୨୦୧୮ ମସିହାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାବନ୍ଦରର ଉଦ୍ଘାଟନ ତଥା ବିମାନସେବାର ଶୁଭାରମ୍ଭ ପରେ ହାଇଦ୍ରାବାଦକୁ ଦୀର୍ଘ ବର୍ଷ ଧରି ସ୍ପାଇସଜେଟ୍ ପକ୍ଷରୁ ବିମାନସେବା ଯୋଗାଇ ଦିଆଯାଉଥିଲା । ମାତ୍ର ସ୍ପାଇସଜେଟ୍ ବିମାନ ସଂଖ୍ୟା ହ୍ରାସ ପରେ ବାଧ୍ୟ ହୋଇ ହାଇଦ୍ରାବାଦ ସେକ୍ଟରରେ ବିମାନ ଚଳାଚଳକୁ ବନ୍ଦ କରିଥିଲା । ସେହିପରି ମୁମ୍ବାଇକୁ ମଧ୍ୟ କିଛି ଦିନ ଲାଗି ସ୍ପାଇସଜେଟ୍ ପକ୍ଷରୁ ବିମାନସେବା ଆରମ୍ଭ ହୋଇଥିଲା । ମାତ୍ର କୌଣସି କାରଣରୁ ତାହା ମଧ୍ୟ ଶେଷରେ ବନ୍ଦ ହୋଇଥିଲା । ମହାମାରୀ କୋଭିଡ୍ ନୂତନ ସେକ୍ଟରରେ ବିମାନ ଚଳଚଳ କ୍ଷେତ୍ରରେ ସବୁଠାରୁ ବଡ଼ ଅନ୍ତରାୟ ସାଜିଥିଲା । ମାତ୍ର କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ସୁଧାର ପରେ ଇଣ୍ଡିଗୋର ଝାରସୁଗୁଡ଼ାକୁ ପ୍ରବେଶ ସହ ଏବେ ସୁଦ୍ଧା ଦିଲ୍ଲୀ, କୋଲକାତା ଏବଂ ବେଙ୍ଗାଲୁରୁ ସେକ୍ଟରରେ ଇଣ୍ଡିଗୋ ବିମାନ ଚଳାଚଳ କରୁଛି । ମାତ୍ର ଅନ୍ୟ ଯେଉଁସବୁ ନୂତନ ସେକ୍ଟରରେ ବିମାନ ଚଳାଚଳ ନେଇ ପୂର୍ବରୁ ସଙ୍କେତ ଦେଇ ସାରିଛି ସେସବୁ ଆରମ୍ଭ ହେବା ନେଇ ବିଳମ୍ବ ଘଟୁଥିବାରୁ ଯାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଇଛି ।