ରାଜ୍ୟ

‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ର ଶ୍ରୀଗଣେଶ ଉତ୍ସବ, ପୂଜା କମିଟିକୁ ସମ୍ବର୍ଦ୍ଧନା ଏକ ବଡ଼ ଭେଟି

ତାଳଚେର,୩୦/୦୯: ଗଣେଶ ପୂଜା କୋଇଲାନଗରୀ ତାଳଚେରକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଦିନକୁ ଦିନ ଅଗ୍ରପୂଜ୍ୟଙ୍କ ପୂଜାର କଳେବର ବଢ଼ୁଛି । ପୂଜା କମିଟି କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମରେ ପୂଜା କେବଳ ଆକର୍ଷଣୀୟ ହେଉନାହିଁ, ବରଂ ପ୍ରତିବର୍ଷ ନୂତନତ୍ତ୍ୱ ଦେଖିବାକୁ ମିଳୁଛି । ହେଲେ ବିଘ୍ନରାଜଙ୍କ ପୂଜାର ଯେତିକି ପ୍ରଚାର ହେବା କଥା ହୋଇପାରୁନି ।

ତାଳଚେରର ଏହି ଗଣପର୍ବ ବ୍ୟାପକ ପ୍ରଚାର ପ୍ରସାର ଲୋଡ଼ୁଥିବା ବେଳେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିଛି । ପୂଜା କମିଟିଗୁଡ଼ିକୁ ସମ୍ବର୍ଦ୍ଧିତ କରି ତାଳଚେରବାସୀଙ୍କୁ ବଡ଼ ଉପହାର ଦେଇଛି । ଏକ ଗଣମାଧ୍ୟମ ସଂସ୍ଥା ଭାବେ ପୂଜା କମିଟିକୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିବାରେ ଏହା ପ୍ରଥମ । ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଏହି ପ୍ରୟାସ ତାଳଚେର ଗଣେଶ ପୂଜାକୁ ରାଜ୍ୟ ତଥା ଦେଶରେ କେବଳ ଲୋକଲୋଚନକୁ ଆଣିବ ନାହିଁ, ବରଂ ପୂଜା କମିଟି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରି ସେମାନଙ୍କ ମନରେ ପ୍ରତିଦ୍ୱନ୍ଦ୍ୱିତା ମନୋଭାବ ବୃଦ୍ଧି କରାଇବ ।

ତାଳଚେରରେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ପକ୍ଷରୁ ଆୟୋଜିତ ଶ୍ରୀ ଗଣେଶ ଉତ୍ସବକୁ ଅତିଥିମାନେ ଭୂୟସୀ ପ୍ରଶଂସା କରି ଏହି ମତବ୍ୟକ୍ତ କରିଛନ୍ତି । ତାଳଚେରର ହୋଟେଲ୍ ସୂର୍ଯ୍ୟା ଗାର୍ଡେନ୍ରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ତାଳଚେର ମାଟି ହେଉଛି ବିପ୍ଳବର ମାଟି । ପ୍ରଜାମଣ୍ଡଳ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ । ବିଭିନ୍ନ ସମସ୍ୟାକୁ ନେଇ ତାଳଚେରରେ ସବୁବେଳେ ପ୍ରତିବାଦର ସ୍ୱର ଉତ୍ତୋଳନ ହୋଇଥାଏ । ଆଧୁନିକ ଶତାବ୍ଦୀରେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର କାର୍ଯ୍ୟ ସାମ୍ବାଦିକତା କ୍ଷେତ୍ରରେ ଅତ୍ୟନ୍ତ ଉଲ୍ଲେଖନୀୟ ଓ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି ସାଂସଦ ଶ୍ରୀ ପାଣି ପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କହିଥିଲେ, ପୂଜା କମିଟି କର୍ମକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମରେ ଗଣନାଥଙ୍କ ପୂଜା ସରସ ସୁନ୍ଦର ହୋଇଥାଏ । ମାତ୍ର ପ୍ରଚାର ପ୍ରସାର ଅଭାବରୁ ସେମାନଙ୍କ ତ୍ୟାଗ ଓ ପରିଶ୍ରମ ଲୋକଲୋଚନକୁ ଆସିପାରୁନାହିଁ । ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଏଭଳି କାର୍ଯ୍ୟକ୍ରମକୁ ଯେତେ ପ୍ରଶଂସା କଲେ କମ୍ ପଡ଼ିବ । ତାଳଚେରବାସୀ ରାଜ୍ୟ ତଥା ଦେଶ ପାଇଁ ଉତ୍ସର୍ଗ କରି ଚାଲିଛନ୍ତି । ପ୍ରଦୂଷଣର ମାତ୍ରା ବଢ଼ିଚାଲିଛି । ତାଳଚେର ମାଟିକୁ ସୁସ୍ଥ ରଖିବାକୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଅନ୍ୟତମ ସମ୍ମାନିତ ଅତିଥି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କହିଲେ, ତାଳଚେର ଗଣେଶ ପୂଜା ସାରା ରାଜ୍ୟରେ ବିଖ୍ୟାତ । ପୂଜା କମିଟିକୁ ସମ୍ମାନିତ କରିବାର ପର୍ବ ଆମ ପାଇଁ ବଡ଼ ଭେଟି । ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଏହି କାର୍ଯ୍ୟକ୍ରମ ପୂଜା କମିଟିକୁ ଉତ୍ସାହ ଯୋଗାଇବ ବୋଲି କହିଛନ୍ତି । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ୍ ଦାସ କହିଲେ, ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡ. ମନୋଜରଞ୍ଜନ ନାୟକ ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ବିପ୍ଳବ ଆଣିଛନ୍ତି । ସମାଜ ପାଇଁ କିଛି କରିବାର ସଂକଳ୍ପ ସହ ସେ ଗଣମାଧ୍ୟମ କ୍ଷେତ୍ରକୁ ଆସିଛନ୍ତି । ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ କେବଳ ଖବର ପ୍ରଚାର ପ୍ରସାରରେ ସୀମିତ ନାହିଁ । ବିଭିନ୍ନ କ୍ଷେତ୍ରରେ ସମାଜ ପାଇଁ ଅବଦାନ ରଖୁଥିବା ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ତାଳଚେର ଗଣେଶ ପୂଜାକୁ ନେଇ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଏହି ଛୋଟ ପ୍ରୟାସ ପୂଜା କମିଟି କର୍ମକର୍ତ୍ତାଙ୍କୁ ଆହୁରି ଉତ୍ସାହିତ କରିବ । ଏବେ ପ୍ରଦୂଷଣ ନେଇ ସମସ୍ତେ ସଚେତନ । ପୂଜା କମିଟିଗୁଡ଼ିକୁ ସେ ଜୈବିକ ରଙ୍ଗ ବ୍ୟବହାର ସହିତ ପ୍ଲାଷ୍ଟିକ୍ ବର୍ଜନ ଓ ଶବ୍ଦ ପ୍ରଦୂଷଣଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେବା ସହିତ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ସବୁବେଳେ ଆପଣଙ୍କ ସହିତ ରହିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ। ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଗ୍ରୁପ୍ ନିର୍ଦ୍ଦେଶକ(ମାର୍କେଟିଂ ଏଣ୍ଡ୍ ସେଲ୍ସ) ହିମାଂଶୁ ହୋତା କହିଲେ, ତାଳଚେରବାସୀ ପ୍ରଦୂଷଣକୁ ସହି ବିଶ୍ୱ ଓ ରାଜ୍ୟ ବିକାଶର ସାରଥୀ ସାଜିଛନ୍ତି । ତାଳଚେର ଅଞ୍ଚଳର ସମସ୍ୟା ଦୂରୀକରଣ ଦିଗରେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ଆଗକୁ ଯଥାସାଧ୍ୟ ଉଦ୍ୟମ କରିବ ବୋଲି ସେ ପ୍ରକାଶ କରିଥିଲେ । ଖବରଠୁ ଦୂରକୁ ଯାଇ ସମାଜ ସହ ଯୋଡ଼ି ହେବାକୁ ସବୁବେଳେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ଚେଷ୍ଟା ଜାରି ରଖିଛି ।

‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ପରିଚାଳନା ନିର୍ଦ୍ଦେଶକ ଡ. ମନୋଜରଞ୍ଜନ ନାୟକ ସବୁବେଳେ ବିଶ୍ୱାସ କରନ୍ତି, ଆମେ ଯେଉଁ ପାଣି ପବନ ସହିତ ବଢ଼ିଛେ, ସେହି ସମାଜ ପାଇଁ କିଛି ଫେରାଇବା ଉଚିତ୍ । ସେହି କ୍ରମରେ ‘ପ୍ରମେୟ’ ଓ ‘ନ୍ୟୁଜ୍୭’ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି । ପୂଜା ହେଉଛି ସୁସ୍ଥ ସମାଜ ପାଇଁ ଆବଶ୍ୟକୀୟ ଜିନିଷ । ଯେଉଁମାନେ ସମାଜର ବିକାଶ ପାଇଁ କିଛି ସମୟ ଦେଉଛନ୍ତି, ସମାଜ ପାଇଁ ତ୍ୟାଗ କରୁଛନ୍ତି, ସେମାନଙ୍କୁ ସମ୍ମାନିତ କରି ନିଜକୁ ଗୌରବାନ୍ୱିତ କରୁଛୁ ବୋଲି ସେ ପ୍ରକାଶ କରିବା ସହ ପ୍ରଦୂଷଣମୁକ୍ତ ତାଳଚେର ଗଠନ ପାଇଁ ଆହ୍ୱାନ ଦେଇଥିଲେ ।

‘ପ୍ରମେୟ’ ଅନୁଗୁଳ ଓ ଢେଙ୍କାନାଳ ସଂସ୍କରଣର ଡିଜିଏମ୍ ଅଖିଳ ଚନ୍ଦ୍ର ହୋତା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ସେ ତାଳଚେର ଗଣେଶ ପୂଜାର ଆରମ୍ଭ ଓ ସଫଳ ଯାତ୍ରା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ତାଳଚେରର ଶ୍ରେଷ୍ଠ ୧୫ଟି ପୂଜା ମଣ୍ଡପକୁ ପୁରସ୍କୃତ କରାଯାଇଥିଲା । ସେହିପରି ୩ ଜଣ ସ୍ୱଚ୍ଛ ସୁପର୍ଭାଇଜର୍ ଓ ୩ ଜଣ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ସମାଜସେବା କ୍ଷେତ୍ରରେ ଜେସିଆଇ ତାଳଚେର ଶାଖାକୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ‘ପ୍ରମେୟ’ ଅନୁଗୁଳ ଓ ଢେଙ୍କାନାଳ ସଂସ୍କରଣର ବ୍ୟୁରୋ ମୁଖ୍ୟ ଜଳଧର ପ୍ରଧାନ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Back to top button