ଡମଣାରେ ଦୁବାଇର ମିରାକଲ୍ ଗାର୍ଡେନ୍, ଚାନ୍ଦି ମୁକୁଟରେ ଝଲସିବେ ମା’: ଆକର୍ଷଣ ସାଜିବ ଇ-ରାବଣ ପୋଡ଼ି
ଚନ୍ଦ୍ରଶେଖରପୁର,୩୦/୦୯: ନିର୍ମାଣ ଚାଲିଛି ତୋରଣ । କାରିଗର ବି ଲାଗିପଡିଛନ୍ତି । ଆଉ ଦିନ କେଇଟା ପରେ ଭକ୍ତଙ୍କୁ ଭେଟି ଦିଆଯିବ ମିରାକ୍ଲ୍ ଗାର୍ଡେନ । ଡମଣା ଦୁର୍ଗାପୂଜା ପଡ଼ିଆରେ ଦୁବାଇ ମିରାକ୍ଲ୍ ଗାର୍ଡେନ୍ର ଭ୍ରମ ସୃଷ୍ଟି ହେବ । ଫାଇବର, ଗ୍ଲାସ ଓ ପ୍ଲାଇଉଡ୍ରେ ତିଆରି ଚାଲିଛି ଅବିକଳ ସେହିଭଳି ତୋରଣ । ତୋରଣକୁ କାଚ, ଶାମୁକା ଓ ରଙ୍ଗବେରଙ୍ଗର ଫୁଲରେ ସଜାଯିବ ।ପଶ୍ଚିମବଙ୍ଗରୁ ଆସିଥିବା ୨୨ ଜଣ ଦକ୍ଷ କାରିଗର ଏହାକୁ ତିଆରି କରୁଛନ୍ତି ଯାହାର ଉଚ୍ଚତା ୭୦ ଫୁଟ୍, ଚଉଡ଼ା ୧୧୦ ଫୁଟ ରହିବ ।
କୌଣସି ପ୍ରକାରର ରାସାୟନିକ ରଙ୍ଗ ମା’ଙ୍କ ମୂର୍ତ୍ତିରେ ବ୍ୟବହାର କରାଯିବ ନାହିଁ । ପ୍ରାକୃତିକ ଓ ଜୀବନ୍ତ ଲାଗିବ ସମ୍ପୂର୍ଣ୍ଣ ପୂଜା ମଣ୍ଡପ । ଏଭଳି ନିଆରା ଢଙ୍ଗରେ ଏଥରର ଦୁର୍ଗାପୂଜା ପାଳିବ ଡମଣା ଗୋପୀନାଥଜିଉ ଦୁର୍ଗାପୂଜା କମିଟି । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଜିବ ଇ-ରାବଣ ପୋଡ଼ି। ବିଜୟା ଦଶମୀରେ ୫୦ ଫୁଟ ଉଚ୍ଚର ରାବଣ ମୂର୍ତ୍ତି ତିଆରି କରାଯିବ ।
ଏଥର ୧୩ ବର୍ଷରେ ପଦାର୍ପଣ କରିଛି ଏହି ଦୁର୍ଗାପୂଜା କମିଟି । ଏବର୍ଷ ଟିକେ ଭିନ୍ନ ଢଙ୍ଗରେ ପୂଜା ଆୟୋଜନ ପାଇଁ ୪୪ ଲକ୍ଷ ଟଙ୍କା ବଜେଟ୍ ବ୍ୟବସ୍ଥା ରହିଛି । କେବଳ ତୋରଣ ପାଇଁ ପ୍ରାୟ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ମା’ଙ୍କ ୧୪ ଫୁଟର ମୃଣ୍ମୟୀ ମୂର୍ତ୍ତି ସହ ୧୬ ଫୁଟର ମେଢ଼ ତିଆରି କରାଯାଉଛି । ଏଥିପାଇଁ ପୁରୁଣା ଭୁବନେଶ୍ୱରର ୪ ଜଣ କାରିଗରଙ୍କୁ ନିୟୋଜିତ କରାଯାଇଛି । ମା’ଙ୍କୁ ଚାନ୍ଦି ମୁକୁଟରେ ସଜ୍ଜିତ କରାଯିବ । ଦେହରେ ଚାନ୍ଦି ଅଳଙ୍କାର ମଧ୍ୟ ଲାଗିବ । ଷଷ୍ଠିରେ ଭଜନ ସନ୍ଧ୍ୟା, ସପ୍ତମୀରେ ଡ୍ୟାନ୍ସ ଡ୍ୟାନ୍ସ, ଅଷ୍ଟମୀ ଓ ନବମୀରେ ମେଲୋଡି ଏବଂ ଦଶମୀରେ ଡିଜେ ନାଇଟ୍ କରିବାକୁ ଯୋଜନା ରହିଛି ।
ଷଷ୍ଠିରେ ବିଲ୍ୱ ବରଣ ପରେ ସପ୍ତମୀରେ ସ୍ଥାନୀୟ ଅଞ୍ଚଳର ୧୦୮ ଜଣ ମହିଳା ଡମଣା ଅଲେଖ ମହିମା ଆଶ୍ରମ ପୁଷ୍କରିଣୀରୁ ଆଣିଥିବା ପବିତ୍ର ଜଳରେ ମା’ଙ୍କ ଅଭିଷେକ କରାଯିବ । ନବମୀରେ ୨୧ ଜଣ କୁମାରୀଙ୍କୁ ପୂଜା କରାଯିବା ସହ ୧୦୮ ଦୀପ ପ୍ରଜ୍ଜ୍ୱଳନ କରାଯିବ । ସପ୍ତମୀରେ ପ୍ରସାଦ ସେବନ, ନବମୀରେ ଚରୁ ଅନ୍ନ ଓ ଦଶମୀରେ ଦହି ପଖାଳ, ଶାଗ ଭଜା ଭୋଗ କରାଯିବ। ମଣ୍ଡପ ବାହାରେ ମିନା ବଜାର ଏବଂ ରାମଦୋଳି ରହିବ ।
ପୂଜା ମଣ୍ଡପରେ ଗହଳି ନିୟନ୍ତ୍ରଣ ପାଇଁ ୨୦୦ ଜଣ ପୁରୁଷ ଓ ମହିଳା ସ୍ୱେଚ୍ଛାସେବୀ ନିୟୋଜିତ ରହିବେ । ମଣ୍ଡପ ପରିସରରେ ସିସିଟିଭି କ୍ୟାମେରା ସହିତ ଅଗ୍ନି ନିର୍ବାପକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ପୂଜା ପରିଚାଳନାରେ ଗୋପୀନାଥଜିଉ କ୍ଲବ, ଲକ୍ଷ୍ମୀ ନାରାୟଣ କ୍ଲବ୍, କ୍ରିଷ୍ଣା କ୍ଲବ୍ ଓ ଡମଣା ବାଉତେଇ ମହିଳା ସମିତି ସହଯୋଗ କରିବେ। ଭସାଣିରେ ପାରମ୍ପରିକ ବାଜା ସହ ଘଣ୍ଟ ଓ ସଙ୍କୀର୍ତ୍ତନରେ ମା’ଙ୍କୁ ମେଲାଣି ଦିଆଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।