ଚୋରା ପଥର ଖାଦାନରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଜଣେ ଯୁବକଙ୍କୁ ଆକ୍ରମଣ, ଥାନାରେ ମାମଲା ରୁଜୁ
ନୀଳଗିରି,୩୦/୦୯: ଚୋରା ପଥର ଖାଦାନକୁ ନେଇ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଯୁବକ ଜଣକ ଗୁରୁତର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନୀଳଗିରି ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଧିନ ବାଘମରା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବାଘମରା ଅଞ୍ଚଳରେ ବର୍ଷ ବର୍ଷ ଧରି ଚୋରା ପଥର ଖାଦାନ ଚାଲି ଆସୁଛି ।
ରାଜସ୍ୱ ବିଭାଗ ଏହା ମାଇନିଂ ବିଭାଗର କାମ ବୋଲି କହି ଖସି ଯାଉଥିବା ବେଳେ ମାଇନିଂ ବିଭାଗ କାର୍ଯ୍ୟନୁଷ୍ଠାନ ହେଉଛି ବୋଲି କହି ବୁଲୁଛନ୍ତି । ଫଳରେ ଦିନ ରାତି ପଥର ଚୋରୀ ହେଉଛି । ସୋମବାର ବାଘମରା ଚୋରା ପଥର ଖାଦାନରେ ଜାଗାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆଲୋଚନା ସମୟରେ ଆରମ୍ଭ ହୋଇଥିଲା ବଚସା । କିଛି କଥାକୁ ନେଇ ପାଟିତୁଣ୍ଡ ପରେ ନୀଳଗିରି ଏନଏସି ଅଧିନ କଡ଼ମ୍ବସାହି ଅଞ୍ଚଳର ଲକ୍ଷ୍ମୀନାରାୟଣ ମହାନ୍ତି ନାମକ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆତର୍କିତ ଆକ୍ରମଣ କରିଥିଲେ ଅନ୍ୟ ଗୋଷ୍ଠୀର ଯୁବକ ।
ଏପରିକି ବନ୍ଧୁକ ଦେଖାଇ ମଧ୍ୟ ଆତଙ୍କ ଖେଳାଇଥିଲେ । ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲକ୍ଷ୍ମୀ ନାରାୟଣ ହସ୍ପିଟାଲରେ ବ୍ୟକ୍ତି ଜଣକ ଭର୍ତ୍ତି ହୋଇଥିଲେ । ପରେ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।