କେଉଁଠି ମାଡ ହେବ ବାତ୍ୟା ‘ଦାନା’, ବାତ୍ୟାର ଗତିପଥ ନେଇ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାର ଆକଳନ

କେଉଁଠି ମାଡ ହେବ ବାତ୍ୟା ଦାନା । ବାତ୍ୟାର ଗତିପଥ ନେଇ ଆକଳନ କରିଛନ୍ତି ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା । ଆମେରିକୀୟ GFS ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁଇବ । ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ହଳଦୀବାରୀ ଅଞ୍ଚଳରେ ହିଟ କରିବ। ସେହିପରି ୟୁରୋପୀୟ ECMWFର ଆକଳନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳରେ ମାଡ ହେବାର ସମ୍ଭାବନା ରହିଛି ।
ଏପଟେ ବାତ୍ୟାର ଗତିପଥ ନେଇ ଏ ଯାଏ ସ୍ପଷ୍ଟ କରିନି ଆଇଏମଡି ।
ମହାବାତ୍ୟା ପରେ ଓଡିଶାକୁ ଆସିଛି ୧୧ ବାତ୍ୟା । ୧୯୯୯ ମହାବାତ୍ୟା ତାଣ୍ଡବ ରଚିବା ପରେ ଓଡିଶା ନିୟମିତ ବ୍ୟବଧାନରେ ବାତ୍ୟାରେ ପ୍ରଭାବିତ ହୋଇଛି । ଓଡିଶାର ଚିର ସହଚର ପାଲଟିଛି ସାମୁଦ୍ରିକ ବାତ୍ୟା । ୧୯୯୯ ମହାବାତ୍ୟା ପରଠାରୁ ଓଡିଶାରେ ୨୦୨୨ ମଧ୍ୟରେ ଆସିଛି ୧୧ଟି ବଡ ବାତ୍ୟା । ୨୦୧୩ରେ ଫାଇଲିନ୍, ୨୦୧୪ରେ ହୁଡଡୁଡ୍, ୨୦୧୮ରେ ତିତଲି, ପେଥାଇ ଓ ଡାଏ, ୨୦୧୯ରେ ଫନି ଓ ବୁଲବୁଲ, ୨୦୨୦ରେ ବାତ୍ୟା ଅମ୍ଫାନ, ୨୦୨୧ରେ ବାତ୍ୟା ୟସ୍, ଗୁଲାବ ଓ ଜୱାଦ ଦ୍ବାରା ଓଡିଶା ପ୍ରଭାବିତ ହୋଇଛି ।
୨୦୧୩ରେ ଫାଇଲିନରେ ୨୧ ଜଣଙ୍କ ଜୀବନ ଯାଇଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ୧୪ ହଜାର ୩୭୩ କୋଟି ୪୭ ଲକ୍ଷ ଟଙ୍କାର କ୍ଷୟକ୍ଷତିର ଆକଳନ କରାଯାଇଥିଲା । ୨୦୧୪ରେ ବାତ୍ୟା ହୁଡହୁଡରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ତିତଲି ବାତ୍ୟା ୭୨ ଜଣଙ୍କ ଜୀବନ ନେଇଥିଲା । ୨୭୭୯ କୋଟି ୩୨ ଲକ୍ଷ ଟଙ୍କାର କ୍ଷତି ହୋଇଥିଲା । ୨୦୧୯ରେ ଫନିରେ ୬୪ ଜଣ ପ୍ରାଣ ହରାଇଥିଲେ ଏବଂ ୯ ହଜାର ୩୩୬ କୋଟି ୨୭ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିଲା । ସେହିବର୍ଷ ଆସିଥିବା ବାତ୍ୟା ବୁଲବୁଲରେ କାହାର ମୃତ୍ୟୁ ହୋଇନଥିବା ବେଳେ ୨୨୪ କୋଟି ୪୩ ଲକ୍ଷ ଟଙ୍କାର କ୍ଷତି ହୋଇଥିଲା ।
୧୯୯୯ ମହାବାତ୍ୟା ପରଠାରୁ ଆସିଥିବା ବାତ୍ୟା ଗୁଡିକୁ ତତ୍କାଳୀନ ସରକାର କୌଶଳତାର ସହ ମୁକାବିଲା କରିବା ଯୋଗୁ ଅନେକ ଧନ ଜୀବନ ରକ୍ଷା କରାଯାଇପାରିଥିଲା । ତତ୍କାଳୀନ ସରକାରଙ୍କ ବାତ୍ୟା ମୁକାବିଲା କୌଶଳ ଓ କାର୍ଯ୍ୟଦକ୍ଷତାକୁ ଜାତିସଂଘ ଓ କେନ୍ଦ୍ର ସରକାର ପ୍ରଶଂସା କରିଥିଲେ । ତେବେ ରାଜ୍ୟରେ ନୂଆ ସରକାର ଗଠନ ପରେ ପ୍ରଥମ ଥର ପାଇଁ ସମ୍ଭାବ୍ୟ ବାତ୍ୟାର ସଠିକ୍ ପରଚାଳନା ସରକାରଙ୍କ ପାଇଁ ବେଶ ଗୁରୁତ୍ବ ବହନ କରୁଛି ।