ରାଜ୍ୟ

ଚିକିତ୍ସାକେନ୍ଦ୍ରରେ ପଡିଛି ତାଲା, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୫୦ଖଣ୍ଡ ଗାଁର ରୋଗୀ

କୋଠାରେ ଲାଗିଛି ନୂଆ ରଙ୍ଗ । ପ୍ରତିବର୍ଷ ଚିକିତ୍ସାକେନ୍ଦ୍ରରେ ନୂଆ ରଙ୍ଗ ହୁଏ ନାମ ବି ଲେଖା ଯାଏ । ଆଉ ବିଲ୍ କରି ଠିକାଦାର ମାଲେମାଲ ହୁଅନ୍ତି । କିନ୍ତୁ ବର୍ଷ ବର୍ଷ ଧରି କେବେ ହେଲେ ବି ଚିକିତ୍ସାକେନ୍ଦ୍ରରେ ଡାକ୍ତରଙ୍କ ଦେଖା ମିଳେନି । ଗେଟରେ ସବୁ ସମୟରେ ପଡିଥାଏ ତାଲା । ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାରେ ବିଫଳ ହେଉଛି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର ।

ନିୟମିତ ଡାକ୍ତର ନଥିବାରୁ ଅଚଳ ହୋଇ ପଡି ରହିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଦୁଇ ଦୁଇଟି ହୋମିଓପ୍ୟାଥିକ ଡାକ୍ତରଖାନା । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୫୦ଖଣ୍ଡ ଗାଁର ରୋଗୀ । ଅନ୍ୟପଟେ ଡାକ୍ତରଖାନାକୁ ଡାକ୍ତର ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଥିବା ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ର ବନ୍ଦ ରହିଛି । ସେହିଭଳି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ଗାଁର ଆଉ ଏକ ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ର । ସେଠାରେ ବି ସେଇ ସମାନ ଅବସ୍ଥା । ସ୍ୱାସ୍ଥ୍ୟକେନ୍ଦ୍ରରେ ନା ଡାକ୍ତର ଅଛନ୍ତି ନା ହସ୍ପିଟାଲ ମରାମତି ହେଉଛି । ଡାକ୍ତରଖାନାର ଅବସ୍ଥା ଏଭଳି ହୋଇଛି ଯେ ଦିନ ବେଳେ ସୂର୍ଯ୍ୟ ଆଉ ରାତିରେ ଜହ୍ନତାର ଦେଖା ଯାଉଛନ୍ତି । ଏଠାରେ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ହୋମିଓପ୍ୟାଥିକ ଔଷଧ । ଭୂତକୋଠି ହୋଇ ପଡିରହିଛି ହସ୍ପିଟାଲ । ଯାହାଫଳରେ ରୋଗୀମାନେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ନାହିଁ ନଥିବା ଅସୁବିଧା ଭୋଗୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳର ଗ୍ରାମବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୧୯୭୧ ମସିହାରେ ମାଧପୁର ଓ ୧୯୯୨ ମସିହାରେ କୁସଙ୍ଗଠାରେ ରାଜ୍ୟ ସରକାର ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ର ସ୍ଥାପନ କରିଥିଲେ । ପ୍ରଥମେ କିଛି ବର୍ଷ ତ ଲୋକେ ଉତ୍ତମ ଚିକିତ୍ସା ସେବା ପାଇବା ସହ ଡାକ୍ତର ମଧ୍ୟ ନିୟମିତ ଆସି ଚିକିତ୍ସା ସେବା ଯୋଗାଇ ଦେଉଥିଲେ । କିନ୍ତୁ କିଛି ବର୍ଷ ପରେ ଦୁଇଟି ଯାକ ଡାକ୍ତରଖାନା ଭୂତକୋଠି ପାଲଟିଗଲା ।

ଡାକ୍ତରଖାନାକୁ ଆଉ ଆସିଲେ ନାହିଁ ଡାକ୍ତର, ଆଉ ହୋମିଓପ୍ୟାଥିକ ଚିକିତ୍ସାରୁ ବଞ୍ଚିତ ହେଲେ ରୋଗୀ । ଅନ୍ୟପଟେ କୁସଙ୍ଗ , ମହାଲ୍ଲିକପଡା, ଆଡେଣିଗଡ଼ ଓ ତଳଗାଁ ପଞ୍ଚାୟତର ପ୍ରାୟ ୫୦ ଖଣ୍ଡ ଗାଁର ଲୋକଙ୍କ ସହ ପଡୋଶୀ କନ୍ଧମାଳ ଜିଲ୍ଲାର ଖଜୁରୀପଡା ପଞ୍ଚାୟତର ଲୋକେ ମଧ୍ୟ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ବହୁବାର ଜିଲ୍ଲାପାଳଙ୍କ ଜନଶୁଣାଣିରେ ଗ୍ରାମବାସୀ ଅଭିଯୋଗ କରିଥିଲେ । କିନ୍ତୁ ଫଳ ଶୂନ ଯାହା ଏବେ ଜନସାଧାରଣଙ୍କ ମନରେ ଅସନ୍ତୋଷ ବୃଦ୍ଧି କରିଛି । ଏପଟେ ସିଡିଏମଓଙ୍କ ସହିତ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଦୀର୍ଘ ବର୍ଷ ଧରି ଏଠାରେ ତାଲା ଝୁଲି ରହିଛି । ହରଭଙ୍ଗା ବ୍ଲକର ଦୁଇଟି ହୋମିଓପାଥିକ ଡାକ୍ତରଖାନାକୁ ଠିକ୍ କରି ପୁନର୍ବାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବର୍ତ୍ତମାନ ଦାବି ଜୋର ଧରିଛି ।

Leave a Reply

Your email address will not be published. Required fields are marked *

Back to top button