ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା, ସର୍ବସାଧାରଣ ଦର୍ଶନ ବନ୍ଦ

ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ଶ୍ରୀମନ୍ଦିରରେ ପ୍ରତିପଦା ତିଥିରେ ହେବ ଉଭାଯାତ୍ରା । ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ରଥଯାତ୍ରା ପ୍ରସ୍ତୁତି ଏବଂ ନୀତି ବହୁଳତା ଯୋଗୁଁ ସର୍ବସାଧାରଣ ଦର୍ଶନ ଆଜି ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି ।
ଗୋପାଳ ବଲ୍ଲଭ ଓ ସକାଳ ଧୂପ ପରେ ରଥଖଳାରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ । ତିନି ରଥର ଚକ ଅଖରେ ତୈଲ ଲାଗି ହୋଇ ସିଂହଦ୍ୱାର ଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଏହାପରେ ରଥଖଳାରେ ପ୍ରସ୍ତୁତ ତିନି ରଥକୁ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସିଂହଦ୍ୱାରକୁ ଟାଣି ଟାଣି ଆଣିବେ । ସିଂହଦ୍ୱାର ଚକଡାରେ ତିନି ରଥକୁ ଟାଣି ଆଣିବା ପରେ ଉତ୍ତର ମୋଡ କରାଯିବ । ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନିରଥରେ ବସି ଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧାମୂରତି ।
ତେବେ ଗତକାଲି ନବଯୌବନ ବେଶ ଦର୍ଶନ ପରେ ଭୋର୍ ୪ ଟା ରୁ ବନକ ଲାଗି ପାଇଁ ଦତ୍ତ ମହାପାତ୍ର ସେବକ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଗତକାଲି ମାତ୍ର ଦୁଇ ଘଣ୍ଟାର ନବଯୌବନ ବେଶ ଦର୍ଶନ ପରେ ନୀତି ତ୍ଵରାନ୍ଵିତ କରିବା ପାଇଁ ଦର୍ଶନ ବନ୍ଦ୍ ରହିଥିଲା । ଆଜି ମଧ୍ୟ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ୍ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ନୀତିକାନ୍ତି ତ୍ୱରାନ୍ୱିତ କରିବାକୁ ତଥା ପରଦିନ ସଅଳ ପହଣ୍ଡି କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ତେବେ ଆଜି ସକାଳ ୭ ଟା ସୁଦ୍ଧା ବନକ ଲାଗି ଶେଷ କରିବା ସହ ୭ ଟା ୩୦ ସୁଦ୍ଧା ମଙ୍ଗଳ ଆଳତୀ,୧୧ ଟା ସୁଦ୍ଧା ଗୋପାଳ ବଲ୍ଲଭ ଓ ସକାଳ ଧୂପ ଶେଷ ନୀତି,୧୧ ଟା ୩୦ ରେ ରଥ ଆଜ୍ଞାମାଳ ବିଜେ ନୀତି ହେବାକୁ ନିର୍ଘଣ୍ଟ ହେଉଛି। ସେହିପରି ୯ ଟା ସୁଦ୍ଧା ବଡ଼ସିଂହାର,୯ ଟା ୩୦ ସୁଦ୍ଧା ପହୁଡ ଆଳତୀ ହୋଇ ରାତି ୧୦ ଟା ୪୫ ରେ ବାହୁଟ କଣ୍ଟ ଓ ରାତି ୧୧ ଟା ରୁ ଆସନ୍ତାକାଲି ଭୋର୍ ୫ ଟା ପର୍ଯ୍ୟନ୍ତ ସେନାପଟା ଲାଗି ହେବାକୁ ନିର୍ଘଣ୍ଟ ହୋଇଛି ।




