ବିକାଶ ଆଢୁଆଳରେ ପଡି ରହିଛି ଦେଓଝରଣ ଜଳପ୍ରପାତ, ରହିଛି ଅନେକ ସମସ୍ୟା
ଜଙ୍ଗଲ ପାହାଡ ଭିତରେ ପ୍ରକୃତି ରାଣୀ ଉଜାଡି ଦେଇଛି ସୌନ୍ଦର୍ଯ୍ୟର ପସରା । ଅନବରତ ପାହାଡରୁ ଝରୁଛି ପାଣି । ଜଳକୁଣ୍ଡରେ ପଡି ଏହି ଝରଣା ପାଣି ଆଗକୁ ମାଡି ଯାଇଛି । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଳକର ଦେଓଝରଣ ଜଳପ୍ରପାତକୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ । ପର୍ଯ୍ୟଟନ ଋତୁରେ ଏଠାରେ ଯେତିକି ଭିଡ ଜମେ ବର୍ଷ ତମାମ ଜିଲ୍ଲା ତଥା ଆଖପାଖ ଜିଲ୍ଲାର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇ ରହିଛି ଏହି ସ୍ଥାନ । ଜଳପ୍ରପାତ ଦେଖିବା ସହ ସେଲଫି ନେବାରେ ଯୁବପିଢିଙ୍କ ଚାଲେ ପ୍ରତିଯୋଗିତା । ସବୁଠୁ ବଡକଥା ହେଉଛି ଜଳକୁଣ୍ଡରେ ସୁରକ୍ଷିତ ଗାଧୋଇବାର ମଜା ନେଇଥାନ୍ତି ପୁରା ପରିବାର । ଛୋଟରୁ ବଡ ସମସ୍ତେ ଏସବୁ ଦୃଶ୍ୟ ଉପଭୋଗ କରିବା ସହ ଭୋଜି କରି ଦିନ ତମାମ ଆନନ୍ଦ ନେଇଥାନ୍ତି । କେବଳ ସେତିକି ନୁହେଁ ଜଳଭଣ୍ଡାର ଜଳରାଶିରେ ପକ୍ଷୀ ମାନଙ୍କ ଉଡନ୍ତା ଦୃଶ୍ୟକୁ ଦେଖିବାକୁ ଚାଲି ଆସନ୍ତି ଦୂର ଦୂରାନ୍ତରରୁ ଅନେକ ଲୋକ । ଜନ୍ମଦିନ ହେଉକି ବିବାହ ବାର୍ଷିକୀ କିମ୍ବା କିଛି ବି ଉତ୍ସବ ମନାଇବା ପାଇଁ ହୋଟେଲ କ୍ଲବକୁ ନଯାଇ ଏହି ଶାନ୍ତ ମନୋରମ ପରିବେଶକୁ ଚାଲି ଆସନ୍ତି ପର୍ଯ୍ୟଟକ । କିନ୍ତୁ ଦୁଃଖର ବିଷୟ ଏଠାରେ ପିଇବା ପାଣି, ଶୌଚାଳୟ ଏବଂ ଛୋଟ ପିଲାଙ୍କ ପାଇଁ ପାର୍କ ତଥା ବୋଟିଙ୍ଗ ଓ ଭଲ ରାସ୍ତା ନାହିଁ ।
ସମ୍ବଲପୁର ଅନୁଗୁଳ ଜାତୀୟ ରାଜପଥ ଯୁଯୁମୁରା ଠାରୁ ମାତ୍ର ୫ କି.ମି ଦୂରରେ ପଡିବ ଏହି ସ୍ଥାନ । ଏଠାକୁ ଯିବା ପାଇଁ ପିଚୁ ରାସ୍ତା ତିଆରି ହୋଇଛି , ବଣଭୋଜି ପାଇଁ ଜଳ ଭଣ୍ଡାର କଡରେ ପିଣ୍ଡି ନିର୍ମାଣ କରାଯାଇଛି । ହେଲେ ଏଠାରେ ଗାଡି ପାର୍କିଙ୍ଗ , ପିଇବା ପାଣି କି ଶୌଚାଳୟ ନାହିଁ । ଇକୋ ଟୁରିଜିମ ମାନ୍ୟତା ପାଇଥିବା ଦେଓଝରଣକୁ ଅଧିକ ଆକୃଷ୍ଟ କରିବା ପାଇଁ ଏଠାରେ ୨୦୨୦ ମସିହାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୧ କୋଟି ଟଙ୍କା ଖର୍ଚ୍ଚରେ ପାର୍କ ନିର୍ମାଣ କରାଯାଇଥିଲା ଯାହା ଜରାଜୀର୍ଣ୍ଣ ଅବସ୍ଥାରେ ବନ୍ଦ ହୋଇ ପଡିଛି । ଏଠାରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ସ୍ଥାନୀୟ ଯୁବକ ସଂଘର ସଦସ୍ୟଙ୍କୁ ଚିଲିକା ନେଇ ବୋଟିଙ୍ଗର ତାଲିମ ପ୍ରଦାନ କରାଯାଇଥିଲା । ଲକ୍ଷାଧିକ ଟଙ୍କାର ଦୁଇଟି ପେଡାଲ ଡଙ୍ଗା ଓ ଗୋଟିଏ ମେସିନ ଡଙ୍ଗା ପ୍ରଦାନ କରା ଯାଇଥିଲା । କିନ୍ତୁ ଆଜକୁ ଦୁଇ ବର୍ଷ ହେଲାଣି ଡଙ୍ଗା ସବୁ ବନ ବିଭାଗର ୱାଚ ଟାୱାର ନିକଟରେ ପଡି ନଷ୍ଟ ହେଉଛି । ଲୋକେ ଏଠାକୁ ଆସି କେବଳ ଜଳପ୍ରପାତ ଉପଭୋଗ କରି ନିରାଶ ହୋଇ ଫେରି ଯାଉଛନ୍ତି । ଏନେଇ ସମ୍ପୃକ୍ତ ବିଭାଗକୁ ଚିଠି ଲେଖି ଅବଗତ କରି ଏହାର ବିକାଶ କରାଯିବ ବୋଲି ରେଢ଼ାଖୋଲ ବିଧାୟକ କହିଛନ୍ତି ।
ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ଶୌଚାଳୟ, ପିଇବା ପାଣି ବ୍ୟବସ୍ଥା ତଥା ଭଲ ରାସ୍ତା ନିର୍ମାଣ କରାଗଲେ ଏହି ସ୍ଥାନକୁ ଆହୁରି ପର୍ଯ୍ୟଟକ ଆସିବେ । ତେବେ ଦେଖିବାକୁ ବାକି ରହିଲା ଏହି ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ସୁବିଧା ପାଇଁ କଣ କରାଯାଉଛି ।