‘ପୁଅ ସୁଧୁରି ଯାଅ…ବିଗଡି ଯାଅନି..’ ଛାତ୍ରକୁ ପରାମର୍ଶ ଦେଇ ଗୁଳି ଖାଇଲେ ପ୍ରିନ୍ସିପାଲ
ମଧ୍ୟପ୍ରଦେଶ ଛତରପୁରର ଏକ ସ୍କୁଲରେ ଘଟିଛି ଆଶ୍ଚର୍ଯ୍ୟକର ଘଟଣା । ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲ ପ୍ରିନ୍ସିପାଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଛାତ୍ରଙ୍କୁ ପରାମର୍ଶ ଦେବାରୁ ଗୁଳି ଖାଇଲେ ପ୍ରିନ୍ସିପାଲ । ଏଥିସହ ତାଙ୍କ ସ୍କୁଟର ନେଇ ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ଖବର ମୁତାବକ, ଘମୋରାରେ ହାୟର ସେକେଣ୍ଡରୀ ସ୍କୁଲରେ ଶୁକ୍ରବାର ଏହି ଘଟଣା ଘଟିଛି । ଦ୍ୱାଦଶ ଶ୍ରେଣୀର ଜଣେ ନାବାଳକ ଛାତ୍ର ପ୍ରିନ୍ସିପାଲଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଅଭିଯୁକ୍ତ ସଦମ ଯାଦବ ନିଜ ସାଥୀ ଛାତ୍ର ମନୀଷ ଯାଦବଙ୍କ ସହ ମିଶି ସ୍କୁଲ ବାଥରୁମ ଭିତରେ ପଶି ପ୍ରିନ୍ସିପାଲ ଏସ୍କେ ସକସେନାଙ୍କ ଉପରକୁ ଗଳିମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।
ଦୁଇ ଛାତ୍ର ବିଳମ୍ବରେ ସ୍କୁଲକୁ ଆସିବାରୁ ପ୍ରିନ୍ସିପାଲ ପୁଅ ସୁଧୁରି ଯାଅ, ବିଗଡନି ବୋଲି କହିଥିଲେ । ଏଥିରେ ରାଗି ଯାଇ ୨ ଛାତ୍ର ପ୍ରିନ୍ସପାଲଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ସେ ଅପରାହ୍ନରେ ସ୍କୁଲ୍ ଟଏଲେଟ୍କୁ ଯାଉଥିବାବେଳେ ଛାତ୍ର ଜଣକ ତାଙ୍କ ମୁଣ୍ଡକୁ ବନ୍ଧୁକରୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ପ୍ରିନ୍ସିପାଲଙ୍କ ମୃତ୍ୟୁ ହୋଇଥିଲା ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ଛାନଭିନ୍ କରି ସିସିଟିଭି ଫୁଟେଜ କାଢିଛି । ଯେଉଁଥିରେ ସବୁ ସତ ଜଣାପଡିଛି । ଘଟଣା ପୂର୍ବରୁ କିଭଳି ଛାତ୍ର ଜଣକ ପ୍ରିନ୍ସିପାଲ ଚାମ୍ବରରେ ପହଞ୍ଚି ହେଲମେଟ ଏବଂ ଲଞ୍ଚ ବକ୍ସ ସହିତ ଚେୟାର ମଧ୍ୟ ଭାଙ୍ଗୁଥିବାର ନଜର ଆସିଛି । ଏହି ସବୁ ଘଟଣାକୁ ସ୍କୁଲର କର୍ମଚାରୀ ଦେଖିଥିଲେ କିନ୍ତୁ ପୋଲିସ ପଚରାଉଚରାରେ କିଛି କହିନଥିଲେ ।
ସୂଚନାଯୋଗ୍ୟ, ପୂର୍ବରୁ ଉତ୍ତରପ୍ରଦେଶ ଗୋରଖପୁରରେ ଏମିତି ଏକ ମାମଲା ଆସିଥିଲା । ଯେଉଁଠାରେ ସ୍କୁଲ ଶିକ୍ଷକ ଛାତ୍ରଙ୍କୁ ମୋବାଇଲ ଚଲାଇବାକୁ ମନା କରିବାରୁ ଶିକ୍ଷକଙ୍କ ଉପରେ ଆକ୍ରମଣ କରିଥିଲା ଛାତ୍ର ।