ପିଲାକୁ ଜନ୍ମ ଦେବା ପରେ ମୁହଁ ଦେଖିପାରିଲାନି ମା’, ୱାର୍ଡକୁ ସିଫ୍ଟ ହେବା ସମୟରେ ଲିଫ୍ଟ ଖସିବା ଯୋଗୁ ଚାଲିଗଲା ଜୀବନ
ଉତ୍ତରପ୍ରଦେଶ ମେରଠର ଲୋହିଆ ନଗର ଥାନା ଅନ୍ତର୍ଗତ ଏକ ଘରୋଇ ହସପିଟାଲରେ ଲିଫ୍ଟ ଖସିପଡିବା ଯୋଗୁଁ ଜଣେ ମହିଳାଙ୍କର ଜୀବନ ଚାଲିଯାଇଛି । ଏହି ଘଟଣାରେ ୨ ଜଣ ଷ୍ଟାଫଙ୍କ ସହିତ ୩ ଜଣ ଆହତ ହୋଇଛନ୍ତି । ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକ ହସପିଟାଲରେ ଭଙ୍ଗାରୁଜା କରିଛନ୍ତି ।
ଖବର ମୁତାବକ, ମେରଠର ଲୋହିଆ ନଗର ଥାନା ଅଞ୍ଚଳ ହସପିଟାଲର ବୋଲି ଜଣାପଡିଛି । ଗୁରୁବାର ସନ୍ଧ୍ୟାରେ କରିସ୍ମା ନାମକ ଜଣେ ମହିଳା ଡେଲିଭରୀ ପାଇଁ ଭର୍ତ୍ତି ହୋଇଥିଲେ । ମହିଳା ଜଣକ ଏକ ସନ୍ତାନକୁ ଜନ୍ମ ଦେବା ପରେ ତାଙ୍କୁ ୱାଡର୍କୁ ସିଫ୍ଟ କରାଯାଉଥିଲା । ମହିଳାଙ୍କ ସହିତ ଦୁଇଜଣ ଷ୍ଟାଫ ଏବଂ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଲିଫ୍ଟରେ ଥିଲେ । ଲିଫ୍ଟ ଗ୍ରାଉଣ୍ଡ ଫ୍ଲୋର ପାଇଁ ତଳକୁ ଯାଉଥିବା ବେଳେ ହଠାତ୍ ଖସିପଡିଥିଲା ।
ଲିଫ୍ଟ ଖସିବା ଯୋଗୁଁ ମହିଳା ଜଣକ ୪୫ ମିନିଟ ପର୍ଯ୍ୟନ୍ତ ଲିଫ୍ଟ ଭିତରେ ଫସିଥିଲେ । ତାଙ୍କୁ ସେଠାରୁ କଢାଯାଇ ଅନ୍ୟ ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ମହିଳାଙ୍କ ପରିବାର ରାଗିଯାଇ ହସପିଟାଲରେ ଭଙ୍ଗାରୁଜା କରିଥିଲେ ।
ଏହାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବା ପରେ ମହିଳାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା । ଘଟଣା ପରେ ହସପିଟାଲର ଷ୍ଟାଫ ନର୍ସିଂ ହୋମ ଛାଡି ଫେରାର ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ମାମଲାର ଯାଞ୍ଚ କରୁଛି ।