ଆଡିଲେଡ୍ରେ ଆତ୍ମସମର୍ପଣ

ଗୋଟିଏ ଦିନରେ ଭାରତୀୟ କ୍ରିକେଟ୍କୁ ଲାଗିଛି ତିନିଟି ଝଟ୍କା। ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆରେ ଶୋଚନୀୟ ପ୍ରଦର୍ଶନ କରି ଆଡିଲେଡ୍ ଟେଷ୍ଟ୍କୁ ଲଜ୍ଜାଜନକ ଭାବେ ୧୦ ୱିକେଟ୍ରେ ହାରିଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ବ୍ରିସବନ୍ରେ ସେହି ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆକୁ ୧୨୨ ରନ୍ରେ ହାରି ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଆଗୁଆ ୨-୦ରେ ପରାଜିତ ହୋଇଛି। ରବିବାରର ଅନ୍ୟଏକ ନୈରାଶ୍ୟଜନକ ଘଟଣାକ୍ରମେ ଭାରତୀୟ ୧୯ବର୍ଷରୁ କମ୍ କ୍ରିକେଟ୍ ଦଳ ବାଂଲାଦେଶଠାରୁ ଏସିଆ କପ୍ ଫାଇନାଲ୍ରେ ୫୯ ରନ୍ରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଛି। ଏହି ତିନିଟି ପରାଜୟ ଭାରତୀୟ କ୍ରିକେଟ୍ର ସ୍ଥିତି, ଭବିଷ୍ୟତ ଓ ଦକ୍ଷତା ନେଇ ପ୍ରଶଂସକଙ୍କ ମନରେ ସଂଶୟ ସୃଷ୍ଟି କରିଛି।
ଗୋଟିଏ ଦିନ, ତିନିଟି ଝଟ୍କା
ଆଡିଲେଡ୍: ଆଡିଲେଡ୍ରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ଗୋଲାପି ବଲ୍ ଲଢ଼େଇକୁ ଅଢ଼େଇ ଦିନରେ ହାରିବାର ଲଜ୍ଜା ବହନ କରିଛି ରୋହିତ ବାହିନୀ। ପ୍ରଥମ ପାଳିରେ ୧୫୭ ରନ୍ରେ ପଛୁଆ ରହିବା ଏବଂ ଦ୍ବିତୀୟରେ ମାତ୍ର ୧୨୮ ରନ୍ରେ ଅଧାଦଳ ହରାଇବା ପରେ ଭାରତ ପରାଜୟ ଶନିବାର ହିଁ ନିଶ୍ଚିତ ହୋଇଯାଇଥିଲା। ରବିବାର ମାତ୍ର ଘଣ୍ଟାକ ଭିତରେ ଭାରତର ଅବଶିଷ୍ଟ ୫ ୱିକେଟ୍ ଅକ୍ତିଆର କରି ଅଷ୍ଟ୍ରେଲିଆ ଗୋଲାପି ବଲ୍ରେ ନିଜ ଆଧିପତ୍ୟକୁ ଅତୁଟ ରଖିବା ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। ପରେ ଭାରତ ଦେଇଥିବା ୧୯ ରନ୍ର ଛୋଟିଆ ଲକ୍ଷ୍ୟକୁ ଦୁଇ ଓପନର୍ ନାଥନ ମ୍ୟାକସ୍ବିନୀ ଓ ଉସମାନ ଖୱାଜା ମାତ୍ର ୩.୨ ଓଭରରେ ହାସଲ କରି କଙ୍ଗାରୁ ଦଳକୁ ସ୍ମରଣୀୟ ବିଜୟ ଉପହାର ଦେଇଥିଲେ। ଏହି ବିଜୟ ସହ ଅଷ୍ଟ୍ରେଲିଆ ମଧ୍ୟ ଗୋଲାପି ବଲ୍ରେ ନିଜ ଜୟ-ପରାଜୟ ରେକର୍ଡକୁ ୧୨-୧ ଏବଂ ଆଡିଲେଡ୍ରେ ଖେଳିଥିବା ଗୋଲାପି ବଲ୍ ଟେଷ୍ଟ୍ ବିଜୟଧାରାକୁ ୮-୦ରେ ପହଞ୍ଚାଇଥିଲା। ଆଜି ମାତ୍ର ୧୬.୧ ଓଭର ଭିତରେ ଅଷ୍ଟ୍ରେଲିଆର ଭାରତର ୫ ୱିକେଟ୍ ନେବା ସହ ବିଜୟ ଲକ୍ଷ୍ୟକୁ ଛୁଇଁବା ଏହି ମ୍ୟାଚ୍ର ଅନ୍ୟତମ ହାଇଲାଇଟ୍ ଥିଲା। ମ୍ୟାଚ୍ର ୭ଟି ଯାକ ଅଧିବେଶନରେ ଅଷ୍ଟ୍ରେଲିଆ ପୂରା ଆଧିପତ୍ୟ ବିସ୍ତାର କରି ଭାରତଠାରୁ ମଧ୍ୟ ପର୍ଥ ଟେଷ୍ଟ୍ ପରାଜୟର ପ୍ରତିଶୋଧ ନେଇଥିଲା। ଏବେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୫ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର୍ ଟ୍ରଫିରେ ୧-୧ ସ୍ଥିତିରେ ପହଞ୍ଚି ଯାଇଛନ୍ତି। ଆଡିଲେଡ୍ର ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳ ମଧ୍ୟ୍ୟ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ୍ ତାଲିକାର ତୃତୀୟ ସ୍ଥାନକୁ ଖସି ଯାଇଛି। ସେହିଭଳି ଦିବା-ରାତ୍ର ଟେଷ୍ଟ୍ରେ ଦଳର ଦୁର୍ବଳତା ପଦାରେ ପଡ଼ିଛି। ପ୍ରଥମ ପାଳିରେ ମିଚେଲ ଷ୍ଟାର୍କ ଭାରତର ବିପର୍ଯ୍ୟୟ ଘଟାଇଥିଲେ। ଦ୍ବିତୀୟରେ ଏହି କାମ କଙ୍ଗାରୁ ଅଧିନାୟକ ପ୍ୟାଟ୍ କମିନ୍ସ କରିଥିଲେ। ପାଞ୍ଚ ୱିକେଟ୍ ସଫଳତା ପାଇ ଭାରତର ଦ୍ବିତୀୟ ପାଳିକୁ ସେ ୧୭୫ ରନ୍ରେ ଅଟକାଇ ଦେଇଥିଲେ। ପ୍ରଥମ ପାଳିରେ ଭାରତ ୧୮୦ ରନ୍ କରିବା ପରେ ଅଷ୍ଟ୍ରେଲିଆକୁ ୩୩୭ ରନ୍ କରିବାର ସୁଯୋଗ ଦେଇ ମ୍ୟାଚ୍କୁ ଏକପ୍ରକାର ହାତଛଡ଼ା କରିଥିଲା।
ରବିବାର ଭାରତ ଶନିବାରର ସ୍କୋର୍ ୧୨୮/୫ରୁ ଅସମାପ୍ତ ଦ୍ବିତୀୟ ପାଳି ଆରମ୍ଭ କରିଥିଲା। ବ୍ୟକ୍ତିଗତ ସ୍କୋର୍ରେ କୌଣସି ରନ୍ ଯୋଡ଼ିବା ପୂର୍ବରୁ ଋଷଭ ପନ୍ତଙ୍କୁ ଷ୍ଟାର୍କ ଶିକାର କରି ନେଇଥିଲେ। ଏପରିକି ଏକଦା ଭାରତ ପାଳି ପରାଜୟ ବରଣ କରିବାର ଆଶଙ୍କା ସୃଷ୍ଟି ହୋଇଥିଲା। ଅନ୍ୟତମ ଅପରାଜିତ ଯୁବ ତାରକା ନୀତୀଶ କୁମାର ରେଡ୍ଡୀ କିନ୍ତୁ ଲଢ଼ିଥିଲେ। ହେଲେ ପୁଣି ଥରେ ଅର୍ଦ୍ଧଶତକ ପୂରଣ କରିବା ଲକ୍ଷ୍ୟ ହାସଲ କରି ପାରି ନଥିଲେ। ଫଳରେ ଭାରତ ଆଉ ମାତ୍ର ୪୭ ରନ୍ ଯୋଡ଼ି ପାରିଥିଲା। ପ୍ରଥମ ପାଳିରେ ୧୪୦ ରନ୍ର ଦ୍ରୁତ ଓ ଲଢ଼ୁଆ ଶତକ ଅର୍ଜନ କରିଥିବା ଟ୍ରାଭିସ୍ ହେଡ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ