ରାଷ୍ଟ୍ରପତି ଦେଶ ଛାଡି ଫେରାର ହେବା ପରେ ସିରିଆରେ ଏୟାରଷ୍ଟ୍ରାଇକ କଲା ଆମେରିକା, ଧ୍ବଂସ କଲା ISIS ଆଡ୍ଡା
ସିରିଆରେ ବିଦ୍ରୋହୀମାନେ ଦେଶର ରାଜଧାନୀ ଦାମାସ୍କସ ଏବଂ ରାଷ୍ଟ୍ରପତିଙ୍କ ଆବାସରେ କବଜା କରିଛନ୍ତି । ଦେଶ ଛାଡି ଫେରାର ହୋଇଥିବା ସିରିଆ ରାଷ୍ଟ୍ରପତି ମସ୍କୋରେ ପହଞ୍ଚିଛନ୍ତି । ରୁଷ ଶରଣରେ ସିରିଆ ରାଷ୍ଟ୍ରପତି । ଏହାରି ମଧ୍ୟରେ ଆମେରିକା ସିରିଆରେ ଥିବା ଆଇଏସଆଇଏସ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଛି ।
ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି କି, ମଧ୍ୟ ସିରିଆରେ ଥିବା ଆଇଏସ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛି । ଆମେରିକାର ଉଦ୍ଦେଶ୍ୟ ଯୁଦ୍ଧଗ୍ରସ୍ତ ଦେଶରେ ଆଇଏସକୁ ରୋକିବା । ଆମେରିକାର ବାୟୁସେନା ୭୫ରୁ ଅଧିକ ସ୍ଥାନକୁ ଟାର୍ଗେଟ କରିଛି । ସିରିଆରେ ଆଇଏସଆଇଏସ ରୋକିବା ପାଇଁ ଆମେରିକା ଆଗକୁ ଏଭଳି ଆକ୍ରମଣ ଜାରି ରଖିବ ।
୨୪ ବର୍ଷ ଧରି ଅସଦ ସିରିଆକୁ ଶାସନ କରି ଚାଲିଥିଲେ । ୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ସିରିଆର ରାଷ୍ଟ୍ରପତି ଥିଲେ ଅସଦ । ବିଦ୍ରୋହୀମାନେ ତାଙ୍କୁ ଗାଦିଚ୍ୟୁତ କରିବା ଲକ୍ଷ୍ୟରେ ଦାମାସ୍କସରେ ପ୍ରବେଶ କରିଥିଲେ । ସିରିଆ ରାଷ୍ଟ୍ରପତି ଫେରାର ହେବା ପରେ ବିଦ୍ରୋହୀମାନେ ଶତାଧିକ କଏଦୀଙ୍କୁ ଜେଲରୁ ମୁକ୍ତ କରିଦେଇଛନ୍ତି । ଯେଉଁମାନେ ଅସଦଙ୍କ ଶାସନ କାଳରେ ଜେଲରେ ବନ୍ଦୀ ଥିଲେ ସେମାନଙ୍କୁ ଛାଡିଦେଇଛନ୍ତି ବିଦ୍ରୋହୀ । ବିଦ୍ରୋହୀମାନେ କଫ୍ୟୁ ଜାରି କରିବା ପରେ ଲୋକମାନେ ଜରୁରୀ ସାମଗ୍ରୀ ନେଇ ଚାଲିଯାଇଥିବେଳେ ବିଦ୍ରୋହୀମାନେ ରାଷ୍ଟ୍ରପତିଙ୍କ ବାସଭବନରେ ପଶି ପୋଷ୍ଟର, ବ୍ୟାନର ଏବଂ ମୂର୍ତ୍ତି ସବୁକିଛି ଭାଙ୍ଗିଛନ୍ତି । ସିରିଆ ରାଷ୍ଟ୍ରପତି ଭବନରେ ସାଧାରଣ ଲୋକମାନେ ପ୍ରବେଶ କରି ଲୁଟପାଟ କରିଛନ୍ତି । ସେମାନେ ପ୍ରତିମୂର୍ତ୍ତିରୁ ମୁଣ୍ଡକୁ ଅଲଗା କରି ରାସ୍ତାରେ ଘୋଷାରି ଘୋଷାରି ନେଇଛନ୍ତି ।
ଦେଶ ଛାଡି ପଳାଉଥିବା ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଥିଲା । ବିଦ୍ରୋହୀଙ୍କ ଆକ୍ରମଣ ପରେ ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦ ଏବଂ ତାଙ୍କ ପରିବାର ରାଜଧାନୀ ଦାମାସସ୍କ ଛାଡ଼ି ପଳାୟନ କରିଥିଲେ । ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି । ବିଦ୍ରୋହୀ ନୂଆ ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଫଗାନିସ୍ତାନ, ବାଙ୍ଗଲାଦେଶ ପରେ ସିରିଆରେ ଶାସକଙ୍କ ଗାଦିତ୍ୟୁତ ହୋଇଛି । ଘଟଣା ଉପରେ ସାରା ବିଶ୍ୱର ନଜର ରହିଥିଲା ବେଳେ ବ୍ରିଟେନ, ଫ୍ରାନ୍ସ, ୟୁକ୍ରେନ, ଇସ୍ରାଏଲ ସ୍ୱାଗତ ଜଣାଇଛନ୍ତି । ଅନ୍ୟପଟେ ଲେବାନନରେ ଥିବା ସିରିଆର ଶରଣାର୍ଥୀମାନେ ଉତ୍ସବ ମନାଇଛନ୍ତି ।
ସିରିଆରେ ଆଜିକୁ ଦୀର୍ଘ ୧୪ ବର୍ଷ ଧରି ଗୃହ ଯୁଦ୍ଧ ଲାଗି ରହିଥିବା ବେଳେ ଏଥିପାଇଁ ଦେଶର ବହୁ ନାଗରିକ ଅନ୍ୟ ଦେଶରେ ଶରଣାର୍ଥୀ ଭାବେ ଜୀବନ ବିତାଉଥିଲେ । ଏହି ବିଜୟକୁ ଲୋକଙ୍କ ବିଜୟ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।