ପୁଣି ପୁଲିସକୁ ସିନ୍ଧିଚୋରଙ୍କ ଚ୍ୟାଲେଞ୍ଜ: ଏଥର ବାପୁଜୀ ହାଇଟ୍ସ୍ରେ କଳାକନା

ଧଉଳି: ରାଜଧାନୀ ଉପକଣ୍ଠରେ ସିନ୍ଧିରୋରଙ୍କ ଉପଦ୍ରବ ଆପାର୍ଟମେଣ୍ଟବାସିନ୍ଦାଙ୍କ ନିଦ ହଜାଇଦେଇଛି। କମିସନରେଟ୍ ପୁଲିସକୁ ଚ୍ୟାଲେଞ୍ଜ୍ ଦେଇ ସିନ୍ଧିଚୋର ଗ୍ୟାଙ୍ଗ୍ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇଚାଲିଛନ୍ତି। ଗତ ମାସ ୨୯ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ସପ୍ତାହକ ଭିତରେ ସିନ୍ଧିଚୋର ଗ୍ୟାଙ୍ଗ୍ କୌଶଲ୍ୟାଗଙ୍ଗରୁ ପାହାଳ ପର୍ଯ୍ୟନ୍ତ ୪ ଆପାର୍ଟମେଣ୍ଟରେ ୧୦ ଫ୍ଲାଟ୍ରେ କଳାକନା ବୁଲାଇସାରିଲେଣି। ମାତ୍ର ପରିତାପର କଥା ପୁଲିସ ଗୋଟିଏ ବି ମାମଲାରେ ସିନ୍ଧିଚୋରଙ୍କୁ ଠାବ କରିବା ସମ୍ଭବ ହେଲାନାହିଁ। ତେଣୁ ଲୋକମାନେ ଯେତିକି ଭୟଭୀତ, କମିସନରେଟ୍ ପୁଲିସ ତା’ଠୁ ବେଶି ନିନ୍ଦିତ ହେଲାଣି। ଗତକାଲି ରାତିରେ ଧଉଳି ଥାନା ଅଧୀନ ବାପୁଜୀ ହାଇଟ୍ସ ଆପାର୍ଟମେଣ୍ଟରୁ ହୋଇଥିବା ପୁଣି ଏକ ବଡ଼ଧରଣର ସିନ୍ଧିଚୋରି କମିସନରେଟ୍ ପୁଲିସର ମୁଣ୍ଡବିନ୍ଧା ବଢ଼ାଇଦେଇଛି।
ନେଇଗଲେ ୧୦୦ ଗ୍ରାମ୍ ସୁନା, ନଗଦ ୪୦ ହଜାର
ସପ୍ତାହକରେ ୪ ଆପାର୍ଟମେଣ୍ଟର ୧୦ ଫ୍ଲାଟ୍ରୁ ଚୋରି
ଧଉଳି ଥାନା ଅଧୀନ ସରଦେଇପୁରସ୍ଥିତ ବାପୁଜୀ ହାଇଟ୍ସର ତୃତୀୟ ମହଲାରେ ଥିବା ୩୦୪ ନମ୍ବର ଫ୍ଲାଟ୍ରୁ ଏହି ସିନ୍ଧିଚୋରି ହୋଇଛି। ଉକ୍ତ ଫ୍ଲାଟ୍ରେ ଭଡ଼ାରେ ରହୁଥିବା ଘରୋଇ କଲେଜର ଅଧିକାରୀ ବାଳକୃଷ୍ଣ ପାଣିଗ୍ରାହୀଙ୍କ ଘରୁ ପ୍ରାୟ ୧୦୦ ଗ୍ରାମ୍ ଓଜନର ସୁନା ଅଳଙ୍କାର ଓ ନଗଦ ୪୦ ହଜାର ଟଙ୍କା ଲୁଟ୍ ହୋଇଛି ବୋଲି ଅଭିଯୋଗ ହୋଇଛି। ଲୁଟ୍ ଅଳଙ୍କାର ମଧ୍ୟରେ ରହିଛି ଗୋଟିଏ ସୁନାଚେନ, ସୁନା ହାର, ଚୁଡ଼ି, ମୁଦି, ଶଙ୍ଖା, ମଙ୍ଗଳସୂତ୍ର ଓ ଅନ୍ୟାନ୍ୟ ଗହଣା। ବାଳକୃଷ୍ଣ ଗତ ୪ ତାରିଖରେ କୌଣସି କାର୍ଯ୍ୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଯାଇଥିଲେ। ଏହି ମଉକାରେ ଦୁର୍ବୃତ୍ତମାନେ ତାଙ୍କ ଫ୍ଲାଟ୍ର ଗ୍ରିଲ୍ ଓ କବାଟ ତାଲା ଭାଙ୍ଗି ଲୁଟ୍ପାଟ୍ କରିଛନ୍ତି। ପରଦିନ ସକାଳୁ ତାଙ୍କ ପଡ଼ୋଶୀମାନେ ଏହା ଜାଣିବା ପରେ ତାଙ୍କୁ ଫୋନ୍ କରି ଜଣାଇଥିଲେ। ଖବର ପାଇ ଧଉଳି ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ଧରି ଘଟଣାସ୍ଥଳରେ ଛାନ୍ଭିନ୍ କରିଥିଲା। ସିସି କ୍ୟାମେରା ଫୁଟେଜ୍ରେ ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତଙ୍କୁ ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ଉକ୍ତ ଫ୍ଲାଟ୍ର ୩ଟି ଗେଟ୍ର ଗ୍ରିଲ୍ ଓ କବାଟ ତାଲା ଭାଙ୍ଗି ଭିତରେ ପଶିବା ପରେ ଆଲମିରା ତାଡ଼ି ସବୁ ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଛନ୍ତି। ବାଳକୃଷ୍ଣଙ୍କ ଅଭିଯୋଗ ଅନୁସାରେ ଦୁର୍ବୃତ୍ତମାନେ ସୁରକ୍ଷାକର୍ମୀଙ୍କୁ ଭେଟିଥିବା ସିସିଟିଭି ଫୁଟେଜ୍ରେ ରହିଛି। ତେଣୁ ସେ ସୁରକ୍ଷାକର୍ମୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରିଛନ୍ତି। ଏହାବାଦ ଘଟଣା ରାତିର ଆପାର୍ଟମେଣ୍ଟ ସିସି କ୍ୟାମେରା ଫୁଟେଜ୍ ଡିଲିଟ୍ ହୋଇଥିବାରୁ ସନ୍ଦେହ ଆହୁରି ବଢ଼ିଛି। ତେଣୁ ପୁଲିସ ବାପୁଜୀ ହାଇଟ୍ସର ୨ ସୁରକ୍ଷାକର୍ମୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।
ସୂଚନାଯୋଗ୍ୟ ଯେ ଗତ ମାସ ୨୯ ଓ ୩୦ ତାରିଖରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ପୁବାଶାସନସ୍ଥିତ ବିଶାଲ ଗାର୍ଡେନ୍ରେ ୪ଟି ଫ୍ଲାଟ୍ରେ ରହୁଥିବା ବରିଷ୍ଠ ନାଗରିକଙ୍କ ଘର ଦୁର୍ବୃତ୍ତମାନେ କଳାକନା ବୁଲାଇଥିଲେ। ୩ ତାରିଖ ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅଧୀନ ରଙ୍ଗବଜାର ବଜାର ନିକଟସ୍ଥ ଶ୍ରେୟା ଆପାର୍ଟମେଣ୍ଟର ଦୁଇଟି ଫ୍ଲାଟ ଓ ତନ୍ମୟ ଗ୍ରିନ୍ ଡୁପ୍ଲେକ୍ସ ଡି- ୪ରୁ ୨୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟ୍ ହୋଇଥିଲା। ସେହିଭଳି ପାହାଳସ୍ଥିତ ସନ୍ରାଇଜ୍ ସରୋବର ଆପାର୍ଟମେଣ୍ଟରୁ ୩ଫ୍ଲାଟ୍ରୁ ସିନ୍ଧିଚୋରି ହୋଇଥିଲା। କୌଣସି ମାମଲାରେ ପୁଲିସ ସିନ୍ଧିଚୋରଙ୍କ ଟେର୍ ପାଇନାହିଁ।