ରାଜ୍ୟ

ବଦଳିବ ରାଜଧାନୀର ଚେହେରା: ଗ୍ରେଟର୍‌ ଭୁବନେଶ୍ବର ପାଇଁ ନକ୍ସା ପ୍ରସ୍ତୁତ

ଭୁବନେଶ୍ୱର: ରାଜଧାନୀର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ସହରରେ ଏକାଧିକ ସଡ଼କ, ଫ୍ଲାଏଓଭର, ରେଳ ଓଭରବ୍ରିଜ୍‌, ରିଙ୍ଗ୍‌ରୋଡ୍‌ ନିର୍ମାଣ ଯୋଜନା ହୋଇଛି। ଗାଡି ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟା ଦୂର କରିବାକୁ ପୂର୍ତ୍ତ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଳିତ ଉଦ୍ୟମ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଅଧିକାରୀମାନେ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ଉପସ୍ଥାପନା କରିଥିଲେ।

ଜୟଦେବବିହାର-ନନ୍ଦନକାନନ ନୂତନ ରାସ୍ତା, ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଙ୍ଗ୍‌ରୋଡ, ସୁନ୍ଦରପଦା-ଜଟଣୀ ରାସ୍ତାର ଉନ୍ନତୀକରଣ, ପିତାପଲ୍ଲୀ-ତ୍ରିଶୂଳିଆ ରାସ୍ତାର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମାଥମେଟିକ୍ସଠାରୁ ଏକାମ୍ରକାନନ ପର୍ଯ୍ୟନ୍ତ ନୂତନ ରାସ୍ତା, କଳ୍ପନା ଛକ-ମ୍ୟୁଜିଅମ୍‌-ରବି ଟକିଜ୍‌ ନୂତନ ଫ୍ଲାଏଓଭର, ଶିଶୁଭବନ-ମାଉସୀ ମା ଛକ ମଧ୍ୟରେ ଆଉ ଏକ ଆରଓବି, ତମାଣ୍ଡୋ-ଚନ୍ଦକା-ବାରଙ୍ଗ-ଧଉଳି ପର୍ଯ୍ୟନ୍ତ ରିଙ୍ଗ ରୋଡ୍‌ ନିର୍ମାଣ ବିଷୟରେ ପୂର୍ତ୍ତ ବିଭାଗ ପକ୍ଷରୁ ତଥ୍ୟ ରଖାଯାଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ ଭୁବନେଶ୍ବ ଅର୍ଥନୈତିକ ଜୋନ୍‌ ଗଠନ ଏବଂ ଗ୍ରେଟର୍‌ ଭୁବନେଶ୍ବର ଗଠନ ସମ୍ପର୍କିତ ବିସ୍ତୃତ ତଥ୍ୟ ରଖିଥିଲେ।

ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ପ୍ରଭାତୀ ପରିଡ଼ା, ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୂର୍ତ୍ତ ସଚିବ ଭି ଭି ଯାଦବ, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button