ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜିନିଷ ଭସ୍ମୀଭୂତ

ଚୌଦ୍ୱାର: ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଭସ୍ମୀଭୂତ । କଟକ ଜିଲ୍ଲା ଟାଙ୍ଗୀ ଥାନା ଗୋବିନ୍ଦପୁର ଛକରେ ଘଟିଛି ଏଭଳି ଭୟଙ୍କର ଅଗ୍ନିକାଣ୍ଡ । ଗୌରାଙ୍ଗ ମହାନ୍ତି ଓ ହୃଷିକେଶ ମହାନ୍ତିଙ୍କ ଦୁଇଟି ଦୋକାନ ଜଳିପୋଡ଼ି ଛାରଖାର ହୋଇଯାଇଛି । ଉଭୟ ଦୁଇ ଭାଇ । ବହୁ କଷ୍ଟରେ କେତେ ସ୍ୱପ୍ନ ସଜେଇ ଦୁଇ ଭାଇ ୨ଟି ଦୋକାନ କରିଥିଲେ କିନ୍ତୁ ଦଇବ ସାଜିଲା ଦାଉ । ହଠାତ ଦୋକାନ ଘରେ ନିଆଁ ଲାଗି ସବୁକିଛି ଜଳି ପାଉଁଶ ହୋଇଯାଇଛି । ଚାହୁଁ ଚାହୁଁ ନିଆଁ ଦୋକାନ ସାରା ବ୍ୟାପିଯାଇଥିଲା ।
ସ୍ଥାନୀୟ ଲୋକେ ଯିଏ ଯୁଆଡ଼େ ଥିଲେ ଧାଇଁ ଆସିଲେ । କିନ୍ତୁ ସର୍ବଗିଳା ନିଆଁକୁ କିଏ ବା ଆୟତ୍ତ କରି ପାରିବ । ଏହି ଆଉ ଏହି ଅଗ୍ନିକାଣ୍ଡରେ ସଉଦା ଓ ଟେକ୍ସନାରୀ ଦୋକାନର ଲକ୍ଷାଧିକ ଟଙ୍କାର ଜିନିଷ ଭସ୍ମୀଭୂତ ହୋଇଯାଇଛି । ଏପଟେ ମୁଣ୍ଡରେ ହାତ ଦେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ଦୋକାନୀ ଜଣକ । କାହିଁକି ନା ନିଆଁର ଉଗ୍ର ରୂପରେ ସବୁକିଛି ହରାଇବସିଛନ୍ତି ଏହି ଦୋକାନୀ । କଣ କରିବେ, କେମିତି ଚଳିବେ କିଛି ବି ବୁଝିପାରୁନାହାନ୍ତି । କାରଣ ଏହି ଦୋକାନ ହିଁ ଥିଲା ତାଙ୍କ ରୋଜଗାରର ପନ୍ଥା । ଯାହା ଜଳିପୋଡ଼ି ପାଉଁଶ ହୋଇଯାଇଛି ।
ସୂଚନା ମୁତାବକ, ଗତ ରାତିରେ ଦୁଇ ଭାଇ ନିଜ ଦୋକାନ ବନ୍ଦ କରି ନିଜ ଘରକୁ ଚାଲିଯାଇଥିଲେ । ଘରେ ଖାଇ ଶୋଇଥିଲେ । ଦୋକାନରେ ନିଆଁ ଲାଗିବା ଦେଖି ସେହି ଠାରେ ଅନ୍ୟ ଦୋକାନରେ ଥିବା ଲୋକେ ଖବର ଦେଇଥିଲେ । ରାତି ପ୍ରାୟ ୨ଟାରେ ଖବର ପାଇ ଦୋକାନୀ ଜଣକ ଆସି ଦେଖନ୍ତି ତ ସବୁ ଜଳି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ଚୌଦ୍ୱାର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଗ୍ନି ବିପନ୍ନକୁ ସହାୟତା ପାଇ ଦାବି କରିଛନ୍ତି ବିପନ୍ନ ଓ ସ୍ଥାନୀୟ ବଣିକ ସଙ୍ଘ । ଅନ୍ୟପଟେ କେହି ଜଣେ ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇଥିବା ସନ୍ଦେହ କରୁଛନ୍ତି ଦୋକାନୀ ଏବଂ ସ୍ଥାନୀୟ ବାସିନ୍ଦା । ତେବେ ଏନେଇ ଥାନାରେ ଅଭିଯୋଗ କରିବା ପାଇଁ ମଧ୍ୟ କହିଛନ୍ତି ଅଗ୍ନୀ ବିପନ୍ନ । ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରି ଦୋକାନ କରିଥିଲେ । କିନ୍ତୁ ଏ ଦୋକାନ ଜଳିଗଲା ପରେ ସେମାନଙ୍କ ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି । ଯଦି ଏମାନଙ୍କ ପାଇଁ କିଛି ସାହାଯ୍ୟ ମିଳନ୍ତା ତେବେ ଏମାନଙ୍କ ଦୁଃଖ ଯାଆନ୍ତା ।