ହୁରୁନ୍ ‘ନିଜ ଉଦ୍ୟମରେ ଉଦ୍ୟୋଗୀ’ ତାଲିକା: ଓଡ଼ିଶାରୁ ରିତେଶ, ଆଶିଷ, ରାହୁଲ

ଭୁବନେଶ୍ବର: ଇଣ୍ଡିଆ ଫାଷ୍ଟ୍ ବ୍ୟାଙ୍କ-ହୁରୁନ୍ ଇଣ୍ଡିଆ ପକ୍ଷରୁ ଦେଶର ଶ୍ରେଷ୍ଠ ୨୦୦ ‘ନିଜ ଉଦ୍ୟମରେ ଉଦ୍ୟୋଗୀ’ ହୋଇଥିବା ତାଲିକା ପ୍ରକାଶ କରାଯାଇଛି। ସେଥିରେ ଓଡ଼ିଶାର ତିନି ଜଣ ଉଦ୍ୟୋଗୀଙ୍କ ନାମ ରହିଛି। ସେମାନେ ହେଉଛନ୍ତି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍, ଅଫ୍ବିଜନେସ୍ ଓ ଓକ୍ସିଜୋର ସହ ପ୍ରତିଷ୍ଠାତା ଆଶିଷ ମହାପାତ୍ର ଓ ପପର୍ଲର ସହ ପ୍ରତିଷ୍ଠାତା ରାହୁଲ ଦାଶ। ରୁଚି କାଲ୍ରା, ବସନ୍ତ ଶ୍ରୀଧର, ଭୁବନ ଗୁପ୍ତା ଓ ନୀତୀନ ଜୈନଙ୍କ ସହ ମିଶି ଆଶିଷ ୨୦୧୫ରେ ଅଫ୍ବିଜନେସ୍ ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ ତାହା ୪୧,୬୦୦ କୋଟି ଟଙ୍କାର କମ୍ପାନିରେ ପରିଣତ ହୋଇପାରିଛି। ଏହି କମ୍ପାନି ତାଲିକାର ୧୬ତମ ସ୍ଥାନରେ ରହିଛି। ସେହିପରି ରୁଚି ଓ ବସନ୍ତଙ୍କ ସହ ମିଶି ୨୦୧୬ରେ ସେ ସ୍ଥାପନ କରିଥିବା ଅକ୍ସିଜୋ ତାଲିକାର ୧୧୨ତମ ସ୍ଥାନରେ ରହିଛି। ଅକ୍ସିଜୋ ଏବେ ଏକ ୮୩୦୦ କୋଟି ଟଙ୍କାର କମ୍ପାନି। ରିତେଶ ଅଗ୍ରୱାଲ୍ ୨୦୧୨ରେ ଓୟୋ ପ୍ରତିଷ୍ଠା କରିଥିଲେ। ତାହା ଏବେ ୨୦,୧୦୦ କୋଟି ଟଙ୍କାର କମ୍ପାନିରେ ପରିଣତ ହୋଇପାରିଛି। ଓୟୋ ତାଲିକାର ୪୫ତମ ସ୍ଥାନରେ ରହିଛି। ରାହୁଲ ଦାଶଙ୍କ ପର୍ପଲ୍ ୧୦,୯୦୦ କୋଟି ଟଙ୍କାର କମ୍ପାନି ହୋଇଥିବା ବେଳେ ତାହା ତାଲିକାର ୮୨ତମ ସ୍ଥାନରେ ରହିଛି।
ହୁରୁନ୍ ପକ୍ଷରୁ ଜାରି କରାଯାଇଥିବା ତାଲିକାର ଏକ ନମ୍ବର ସ୍ଥାନରେ ଆଭେନ୍ୟୁ ସୁପରମାର୍ଟସ୍ର ରାଧାକ୍ରିଷ୍ଣ ଦମାନି ରହିଛନ୍ତି। ତାଙ୍କ ପଛକୁ ଶ୍ରେଷ୍ଠ ଦଶ ଜଣ ଉଦ୍ୟୋଗୀଙ୍କ ମଧ୍ୟରେ ଜୋମାଟୋର ଦୀପିନ୍ଦର ଗୋୟଲ, ସ୍ବିଗିର ଶ୍ରୀହର୍ଷ ମାଜେଟି ଓ ନନ୍ଦନ ରେଡ୍ଡି, ମେକ୍ମାଇଁଟ୍ରିପ୍ର ଦୀପ୍ କାଲ୍ରା ଓ ରାଜେଶ ମାଗୋ, ମ୍ୟାକ୍ସ ହେଲ୍ଥ ଇନ୍ଷ୍ଟିଚ୍ୟୁଟ୍ର ଅଭୟ ଶୋଇ, ପଲିସି ବଜାର୍ର ୟାଶିଷ ଦାହିୟା ଓ ଆଲୋକ ବଂଶଲ, ଡ୍ରିମ୍୧୧ର ଭବିତ ସେଠ୍ ଓ ହର୍ଷ ଜୈନ୍, ଜିରୋଧାର ନୀତୀନ କାମାଥ ଓ ନିଖିଲ କାମାଥ୍, ରେଜର୍ପେର ହର୍ଷିଲ୍ ମାଥୁର ଓ ଶଶାଙ୍କ କୁମାର ଏବଂ ନାୟ୍କାର ଫାଲ୍ଗୁନି ନାୟାରଙ୍କ ନାମ ରହିଛି।