ଦେଶ- ବିଦେଶ

ଭାରତକୁ ଟ୍ରମ୍ପଙ୍କ ଟିକସ ଧମକ: ‘ଆମ ଉପରେ ଲଗାଇଲେ, ଆମେ ବି ଲଗାଇବୁ’

ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଟିକସ ଧମକ ଦେଇଛନ୍ତି। ସେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ଯଦି ଆମେରିକୀୟ ସାମଗ୍ରୀ ଉପରେ ଭାରତ ଉଚ୍ଚ ଟିକସ ଲଗାଇବ, ତେବେ ଆମେ ପାଲଟା ଟିକସ ଲଗାଇବୁ। ଯଦି ସେମାନେ ଆମ ଉପରେ ଟିକସ କଷିବେ, ଆମେ ବି ସମାନ ଟିକସ କଷିବୁ। ଆମେରିକାର ଅନେକ ସାମଗ୍ରୀ ଉପରେ ସେମାନେ ଟିକସ ଲଗାଇଥିବା ବେଳେ ଆମେ ସେଭଳି କରୁନାହୁଁ ବୋଲି ଟ୍ରମ୍ପ୍ କହିଛନ୍ତି।

ଚୀନ୍‌ ସହ ସମ୍ଭାବ୍ୟ ବାଣିଜ୍ୟ ରାଜିନାମା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯେ ଭାରତ ଓ ବ୍ରାଜିଲ୍ ତରଫରୁ କିଛି ଆମେରିକୀୟ ଉତ୍ପାଦ ଉପରେ ଚଢ଼ା ଟିକସ ଲାଗୁ କରାଯାଇଛି। ପାଲଟା ଟିକସ ଲଗାଇବା ଗୁରୁତ୍ବପୂର୍ଣ୍ଣ ବୋଲି କହି ଟ୍ରମ୍ପ ଜଣାଇଛନ୍ତି ଯେ ଯଦି ଭାରତ ୧୦୦ ପ୍ରତିଶତ ଟିକସ ଲଗାଇବ, ତେବେ ଆମେ ତା’ଠାରୁ କମ୍ ଟିକସ ଲଗାଇବୁ ନାହିଁ। ସେମାନେ ଆମ ଦେଶକୁ ସାଇକଲ୍ ଗୋଟିଏ ପଠାଇଲେ, ଆମେ ମଧ୍ୟ ସେମାନଙ୍କ ଦେଶକୁ ସାଇକେଲଟିଏ ପଠାଉଛୁ। ସେମାନେ ଆମ ଉପରେ ୧୦୦ କିମ୍ବା ୨୦୦ ପ୍ରତିଶତ ଟିକସ ଳଗାଉଛନ୍ତି। ଭାରତ ବହୁତ ଟିକସ ଅସୁଲ କରୁଛି। ବ୍ରାଜିଲ ବି ତାହା କରୁଛି। ଯଦି ସେମାନେ ଆମ ଉପରେ ଟିକସ ଲଗାଇବାକୁ ଚାହୁଛନ୍ତି, ତେବେ ଆମର କିଛି ଅସୁବିଧା ନାହିଁ। କିନ୍ତୁ ଆମେ ବି ସମାନ ଢଙ୍ଗରେ ସେମାନଙ୍କ ଉପରେ ଟିକସ ଲଗାଇବୁ ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପଙ୍କ ପ୍ରଥମ ପାଳି ଶାସନ ବେଳେ ମଧ୍ୟ ସେ ଭାରତ ଲଗାଇଥିବା ଟିକସକୁ ନେଇ ଖୋଲାଖୋଲି ବିରୋଧ କହିଥିଲେ। ବିଶେଷ କରି ହାର୍ଲି‌ ଡେଭିଡସନ୍ ବାଇକ୍ ଉପରେ ଭାରତ ଲଗାଇଥିବା ୧୦୦ ପ୍ରତିଶତ ଟିକସକୁ ସମାଲୋଚନା କରିବା ସହ ତାହା ପ୍ରତ୍ୟାହାର କରିବା ଲାଗି ଦାବି କରିଥିଲେ। ଏଥର ଯେହେତୁ ସଂଖ୍ୟାଗରି‌ଷ୍ଠତା ସହ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଫେରୁଛନ୍ତି, ତେଣୁ ସେ ନିଜ ଯୋଜନାଗୁଡ଼ିକୁ ଦୃଢ଼ ଭାବେ କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି। ସେ ଆମେରିକାକୁ ପ୍ରାଥମିକତା ଦେଉଛନ୍ତି। ଯେଉଁମାନେ ସେହି ଢାଞ୍ଚାକୁ ଗ୍ରହଣ କରିବେ ନାହିଁ, ସେମାନଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସେ ପଛାଇବେ ନାହିଁ। ଡଲାରର ବିକଳ୍ପ ଆଣିବା ଲାଗି ବ୍ରିକ୍ସ ସମୂହ ରଖିଥିବା ଯୋଜନାକୁ କିଛି ଦିନ ତଳେ ଟ୍ରମ୍ପ୍ ସମାଲୋଚନା କରିଥିଲେ। ଯଦି ସେଭଳି ମୁଦ୍ରା ଆସିବ କିମ୍ବା ଅନ୍ୟ କୌଣସି ମୁଦ୍ରାକୁ ବ୍ରିକ୍ସ ସମର୍ଥନ କରିବ ତେବେ ଆମେରିକା ସେମାନଙ୍କ ଉପରେ ଚଢ଼ା ଟିକସ ଲାଗୁ କରିବ ବୋଲି ଟ୍ରମ୍ପ୍ ଧମକ ଦେଇଥିଲେ। ବ୍ରିକ୍ସ ସମୂହରେ ଭାରତ ଏକ ପ୍ରମୁଖ ସଦସ୍ୟ। ଯେହେତୁ ବିଶ୍ବର ଅଧିକାଂଶ କାରବାର ବେଳେ ଡଲାରରେ ଦେୟ ପୈଠ କରାଯାଉଛି, ତେଣୁ ଅଧିକାଂଶ ଦେଶ ନିଜର ବୈଦେଶିକ ମୁଦ୍ରା ଭଣ୍ଡାର ଗଠନ କରିଛନ୍ତି। ଆମଦାନି ଓ ବୈଦେଶିକ ମୁଦ୍ରା ଆବଶ୍ୟକତା ପୂରଣ କରିବା ଲାଗି ସେମାନେ ସେଥିରେ ଆମେରିକୀୟ ଡଲାର ସମେତ ବିଭିନ୍ନ ମୁଦ୍ରା ରଖୁଛନ୍ତି।

 

Leave a Reply

Your email address will not be published. Required fields are marked *

Back to top button